ଦ୍ବିତୀୟ ଡୋଜ୍ ଟିକା ‌ଅପେକ୍ଷାରେ ୧.୯୨ଲକ୍ଷରୁ ଅଧିକ

ପରୀକ୍ଷାର୍ଥୀଙ୍କ ଆଡମିଟ୍‌ କାର୍ଡ କର୍ଫ୍ୟୁ ପାସ୍ ଭାବେ ବିବେଚିତ ହେବ

ଭୁବନେଶ୍ବର : ରାଜ୍ୟରେ ସ୍ବାସ୍ଥ୍ୟକର୍ମୀ, ଆଗଧାଡ଼ିର ଯୋଦ୍ଧା ଓ ନାଗରିକଙ୍କୁ ମିଶାଇ ୧ଲକ୍ଷ ୯୨ହଜାର ୫୪୯ଜଣ ଦ୍ବିତୀୟ ଡୋଜ୍ ଟିକା ଅପେକ୍ଷାରେ ରହିଛନ୍ତି। ତେଣୁ ଏହି ବର୍ଗର ଲୋକଙ୍କୁ ପ୍ରାଥମିକତା ଭିତ୍ତିରେ ଟିକାକରଣ କରିବା ଲାଗି ସବୁ ଜିଲ୍ଲାପାଳଙ୍କୁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଚିଠି ଜାରି ହୋଇଛି। ବିଭାଗ ପକ୍ଷରୁ କୁହାଯାଇଛି ଯେ ଗତମାସ ୧୩ତାରିଖରେ କେନ୍ଦ୍ର ସରକାର ‘କୋଭିସିଲ୍‌ଡ’ର ଦ୍ବିତୀୟ ଡୋଜ୍‌କୁ ୧୨-୧୬ ସପ୍ତାହକୁ ବୃଦ୍ଧି କରିଥିଲେ। ମାତ୍ର ‘କୋଭାକ୍ସିନ୍’ କ୍ଷେତ୍ରରେ ପୂର୍ବରୁ ରହିଥିବା ୪-୬ ସପ୍ତାହରେ କୌଣସି ପରିବର୍ତନ କରାଯାଇ ନାହିଁ। ଜାନୁଆରି ୧୬ତାରିଖରେ ଦେଶବ୍ୟାପୀ ଟିକାକରଣ ଆରମ୍ଭ ହୋଇଥିବା ବେଳେ ପ୍ରଥମେ ସ୍ବାସ୍ଥ୍ୟକର୍ମୀ, ଆଗଧାଡ଼ିର ଯୋଦ୍ଧା, ୬୦ବର୍ଷରୁ ଅଧିକ, ୪୫ବର୍ଷରୁ ଅଧିକ ଓ ଶେଷରେ ୧୮-୪୪ବର୍ଗଙ୍କ ଟିକାକରଣ କରାଯାଉଛି। ମାତ୍ର କୋ-ୱିନ୍ ପୋର୍ଟାଲରେ ୬୪,୪୬୫ ସ୍ବାସ୍ଥ୍ୟକର୍ମୀ, ୩୪,୮୯୩ ଆଗଧାଡ଼ିର ଯୋଦ୍ଧା ଓ ୯୩,୧୯୧ ନାଗରିକ ଦ୍ବିତୀୟ ଡୋଜ୍ ଟିକା ଅପେକ୍ଷାରେ ରହିଛି। ଏଥିରେ ଭୁବନେଶ୍ବରରେ ସମୁଦାୟ ୬୬,୩୦୯ଜଣ ଥିବା ବେଳେ ଗଞ୍ଜାମରେ ୧୩,୧୩୯ଜଣ, ସୁନ୍ଦରଗଡ଼ରେ ୯୨୫୦, କୋରାପୁଟ ୮୬୩୩, ମୟୂରଭଞ୍ଜରେ ୮୦୨୦ସହ ଅନ୍ୟ ଜିଲ୍ଲାର ହିତାଧିକାରୀ ରହିଛନ୍ତି।

ଗତ ୧୦ତାରିଖରେ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସ୍ବାସ୍ଥ୍ୟକର୍ମୀ, ଆଗଧାଡ଼ିର ଯୋଦ୍ଧାଙ୍କ ଦ୍ବିତୀୟ ଡୋଜ୍ ଟିକାକରଣ କମ୍ ସଂଖ୍ୟାରେ ହୋଇଥିବା ନଜରକୁ ଆସିଥିବା ନେଇ ରାଜ୍ୟମାନଙ୍କୁ ଚିଠି ଲେଖାଯାଇଛି। ମହାମାରୀ ସମୟରେ ଏହି ସମ୍ବେଦନଶୀଳ ବର୍ଗର ସଂପୂର୍ଣ୍ଣ ଟିକାକରଣ ଜରୁରୀ ବୋଲି କେନ୍ଦ୍ର ସରକାରଙ୍କ ପକ୍ଷରୁ କୁହାଯାଇଛି। ତେଣୁ ରାଜ୍ୟ ସରକାର ଦ୍ବିତୀୟ ଡୋଜ୍ ପାଇବା ଅପେକ୍ଷାରେ ରହିଥିବା ବ୍ୟକ୍ତିମାନଙ୍କୁ ଟିକା ପ୍ରଦାନ କରିବା ଲାଗି ଆଶା/ଅଙ୍ଗନବାଡ଼ି କର୍ମୀଙ୍କ ଜରିଆରେ ଟିକାକରଣ କେନ୍ଦ୍ରକୁ ଆଣିବା ଲାଗି କୁହାଯାଇଛି।

ଅପରପକ୍ଷରେ ଆଇଏନ୍‌ଆଇ-ସିଇଟି ଓ ଏମ୍‌ସର ପ୍ରବେଶିକ/ନିଯୁକ୍ତି ପରୀକ୍ଷା ଯଥାକ୍ରମେ ଆସନ୍ତା ୧୬ ଓ ୨୭ତାରିଖରେ ଅନୁଷ୍ଠିତ ହେବ। ନୂଆଦିଲ୍ଲୀ ଏମ୍‌ସ ପକ୍ଷରୁ ପରୀକ୍ଷା କେନ୍ଦ୍ରରେ କେନ୍ଦ୍ର ସରକାରଙ୍କ କୋଭିଡ୍‌ ନିର୍ଦେଶାବଳୀକୁ କଡ଼ାକଡ଼ି ପାଳନ କରିବା ଓ ପରୀକ୍ଷାର୍ଥୀଙ୍କ ଯାତାୟାତକୁ କମ୍ କରିବା ଲାଗି ୧୨୯ଟି ସହରରେ ପରୀକ୍ଷା କେନ୍ଦ୍ର କରାଯାଇଛି। ତେଣୁ ଏମ୍‌ସର ପ୍ରବେଶିକା ପରୀକ୍ଷା ପାଇଁ ପରୀକ୍ଷାର୍ଥୀଙ୍କୁ ମିଳିଥିବା ଆଡମିଟ୍‌ କାର୍ଡକୁ କର୍ଫ୍ୟୁ ପାସ୍ ଭାବେ ବିବେଚନା କରାଯିବ। ଯାହାଫଳରେ ପରୀକ୍ଷାର୍ଥୀମାନେ ସହଜରେ ଯାତାୟାତ କରିପାରିବେ। ଆସନ୍ତା ୧୬-୨୭ତାରିଖ ପର୍ଯ୍ୟନ୍ତ ଏହାର ଅବଧି ରହିବ। ଏମ୍‌ସର କର୍ମଚାରୀ/ନିରୀକ୍ଷକଙ୍କ ସହିତ ଟିସିଏସ୍, ଇସିଆଇଏଲ ଭଳି ଶିଳ୍ପ ସହଯୋଗୀଙ୍କୁ ସଙ୍ଗରୋଧ କିମ୍ବା କୋଭିଡ୍‌ ପରୀକ୍ଷାରୁ ବାଦ୍ ଦିଆଯାଇଛି। ମାତ୍ର କୋଭିଡ୍‌ ନିୟମାବଳୀକୁ କଡ଼ାକଡ଼ି ପାଳନ କରିବାକୁ କୁହାଯାଇଛି। ଏହାସହ ବିମାନ ବନ୍ଦର କର୍ତୃପକ୍ଷ/ରେଳବାଇ ଓ ସ୍ଥାନୀୟ ଅଧିକାରୀ ଏମ୍‌ସ ପ୍ରବେଶିକା ପରୀକ୍ଷା ନେଇ ଆବଶ୍ୟକ ସୁବିଧା ଓ ସୁରକ୍ଷା ପ୍ରଦାନ କରିବା ଲାଗି ସବୁ ଜିଲ୍ଲାପାଳମାନଙ୍କୁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ନିର୍ଦେଶ ଦିଆଯାଇଛି।

ସମ୍ବନ୍ଧିତ ଖବର