ଖଡ଼ିଆଳ: ସ୍ଥାନୀୟ ରାଜା ଆର୍ତ୍ତତ୍ରାଣ ହାଇସ୍କୁଲ ପଡ଼ିଆଠାରେ ଏକ ଭୋଜି ପରେ ଫିଙ୍ଗାଯାଇଥିବା ବାସି ଭାତ ଖାଇ ୧୦ରୁ ଅଧିକ ଗୋରୁଙ୍କ ମୃତ୍ୟୁ ଘଟିଛି। ଏବେ ପଡ଼ିଆରେ ଆବର୍ଜନା ପଡ଼ିରହିଛି ଓ ଦୁର୍ଗନ୍ଧମୟ ପରିବେଶ ସୃଷ୍ଟି ହୋଇଛି ବୋଲି ଲୋକେ ଅଭିଯୋଗ କରି ଅସନ୍ତୋଷ ପ୍ରକାଶ କରିଛନ୍ତି।

Advertisment

ସୂଚନା ଅନୁସାରେ, ଗତ ୭ ତାରିଖ ଦିନ ଏହି ପଡ଼ିଆରେ ନୂଆଁଖାଇ ଭେଟ୍‌ଘାଟ୍‌ ଅନୁଷ୍ଠିତ ହୋଇଥିଲା। ଏଠାରେ ଭୋଜି ଭାତର ବ୍ୟବସ୍ଥା ହୋଇଥିଲା। ପରେ ବଳିପଡ଼ିଥିବା ବହୁ ପରିମାଣର ଖାଦ୍ୟ ପଡ଼ିଆରେ ଫିଙ୍ଗି ଦିଆଯାଇଥିଲା। ସେହି ଖାଦ୍ୟ ସାମଗ୍ରୀକୁ ଖାଇ ୧୦ରୁ ଅଧିକ ଗୋରୁଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି। ଖଡ଼ିଆଳ ୱାର୍ଡ ନଂ ୨ ପୁଲିସ ପଡ଼ାର ମହିଳା କବିତା ସତନାମୀଙ୍କ ଅଭିଯୋଗ ଅନୁସାରେ, ତାଙ୍କ ଗାଈକୁ ୫୦ ହଜାର ଟଙ୍କାରେ କିଣିଥିଲେ। ସେହି ଗାଈ ସହିତ ଦୁଇଟି ବାଛୁରୀ ମଧ୍ୟ ମୃତ୍ୟୁ ହୋଇଥିବାରୁ ସେ ଭାଙ୍ଗି ପଡ଼ିଛନ୍ତି ବୋଲି ପ୍ରକାଶ କରିଛନ୍ତି। ତୁରନ୍ତ କ୍ଷତିପୂରଣ ଦେବାକୁ ସେ ଦାବି କରିଛନ୍ତି। ସେହିପରି ପଡ଼ାର ବସନ୍ତ ପଟେଲଙ୍କ ଗୋଟିଏ ବାଛୁରୀର ମୃତ୍ୟୁ ଘଟିଛି। ଏନେଇ ଖଡ଼ିଆଳ ବ୍ଲକ୍‌ ପ୍ରାଣୀ ଚିକିତ୍ସାଧିକାରୀଙ୍କୁ ପଚାରିବାରୁ କିଛି ଗାଈ, ବଳଦ ଭାତ ଖାଇ ମରିଥିବା ସୂଚନା ମିଳିଛି ଓ କିଛି ଭାତ ଖାଇଥିବା ଗାଈ, ବଳଦଙ୍କ ଚିକିତ୍ସା କରାଯାଉଛି ବୋଲି ସେ କହିଥିଲେ।

ଅନ୍ୟପକ୍ଷରେ ସଭାସ୍ଥଳ ଖେଳପଡ଼ିଆରେ ବଳକା ଖାଦ୍ୟ ସାମଗ୍ରୀ ପଡ଼ି ଦୁର୍ଗନ୍ଧମୟ ପରିବେଶ ସୃଷ୍ଟି ହୋଇଛି। ପଡ଼ିଥିବା ପଚା ଖାଦ୍ୟ ସାମଗ୍ରୀକୁ ଏବେ ବି ଗୋରୁମାନେ ଖାଉଥିବାରୁ ଆଗକୁ ଗୋରୁ ମୃତ୍ୟୁ ସଂଖ୍ୟା ବଢ଼ିପାରେ ବୋଲି ଆଶଙ୍କା କରାଯାଉଛି। ପଡ଼ିଆର ଅସ୍ବାସ୍ଥ୍ୟକର ପରିବେଶକୁ ନେଇ ଜନସାଧାରଣଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ଏନେଇ ଖଡ଼ିଆଳ ଏନ୍‌ଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଚିନ୍ମୟ ଆଚାର୍ଯ୍ୟଙ୍କୁ ପଚାରିବାରୁ ଗାଈ, ବଳଦ ମୃତ୍ୟୁ ବରଣ କରିବା ଆଜି ଜାଣିଛି, ପଡ଼ିଆକୁ ତୁରନ୍ତ ସଫା କରାଯିବ ବୋଲି ସେ କହିଥିଲେ।