ଫୁଲବାଣୀ : ଯୋଗାଣ ବିଭାଗ, ସ୍ଥାନୀୟ ଗ୍ୟାସ୍‌ ଏଜେନ୍‌ସି ଏବଂ କଳାବେପାରୀଙ୍କୁ ନେଇ ଫୁଲବାଣୀ ସହରରେ ଏକ ଗ୍ୟାସ୍‌ କଳାବଜାର ରାକେଟ୍‌ ସକ୍ରିୟ ଅଛି। ଫଳରେ ପ୍ରକୃତ ଗ୍ରାହକଙ୍କୁ ଗ୍ୟାସ୍‌ ସିଲିଣ୍ଡର୍‌ ମିଳିବା କଷ୍ଟକର ଥିବା ସତ୍ତ୍ବେ କଳାବେପାରୀ, ଜଳଖିଆ ଦୋକାନୀ, ହୋଟେଲ ମାଲିକ ଏବଂ ଗ୍ୟାସ୍‌ ସିଲିଣ୍ଡର୍‌ ମରାମତି ଦୋକାନୀଙ୍କୁ ଯାହାକୁ ଯେତେ ମିଳି ଯାଉଛି। ଗ୍ରାହକଙ୍କ ପାଇଁ ଉଦ୍ଦିଷ୍ଟ ଘରୋଇ ସିଲିଣ୍ଡର୍‌କୁ ହୋଟେଲ, ରେଷ୍ଟୁରାଣ୍ଟ୍‌ ମାଲିକଙ୍କୁ ଚଢ଼ା ଦରରେ ବିକ୍ରି କରି ଗ୍ୟାସ୍‌ ଏଜେନ୍‌ସି ମାଲେମାଲ୍‌ ହେଉଥିବା ବେଳେ ବୁକିଂ କରିବାର ମାସ ମାସ ବିତି ଯାଉଥିଲେ ମଧ୍ୟ ଗ୍ରାହକଙ୍କୁ ସିଲିଣ୍ଡର୍‌ ମିଳୁନାହିଁ। 'ସମ୍ବାଦ'ର ଅନୁସନ୍ଧାନରୁ ଜଣାପଡ଼ିଛି, ଫୁଲବାଣୀ ସହରରେ ପାଖାପାଖି ୧୦ରୁ ଊର୍ଦ୍ଧ୍ବ ବେଆଇନ ଗ୍ୟାସ୍‌ ସିଲିଣ୍ଡର୍‌ ଡିପୋ ରହିଛି।

Advertisment

ଏହି ଡିପୋ ଚଳାଉଥିବା ବେପାରୀ ମୂଳ ଗ୍ୟାସ୍‌ ଏଜେନ୍‌ସି ପାଖରୁ ସବୁତକ ଗ୍ୟାସ୍‌ ସିଲିଣ୍ଡର୍‌ କିଣି ନେଇ ନିଜ ଗୋଦାମରେ ଗଚ୍ଛିତ ରଖୁଛନ୍ତି ଏବଂ ଏହାକୁ କଳାବଜାରରେ ଚଢ଼ା ଦରରେ ବିକ୍ରି କରୁଛନ୍ତି। ପ୍ରକୃତ ହିତାଧିକାରୀ ନିୟମ ଅନୁଯାୟୀ ବୁକିଂ କରି ମଧ୍ୟ ଗ୍ୟାସ ପାଉନାହାନ୍ତି। ଏମିତି ବ୍ୟବସ୍ଥା ଫୁଲବାଣୀ ସହରରେ ବର୍ଷତମାମ ଲାଗି ରହିଥିଲେ ମଧ୍ୟ ପ୍ରଶାସନ ପକ୍ଷରୁ ଏହାର ସମାଧାନ କରାଯାଉ ନାହିଁ। ଯୋଗାଣ ବିଭାଗ ସବୁ ଜାଣିଶୁଣି ସହରରେ ଥିବା ଏହି ବେଆଇନ ଗ୍ୟାସ୍‌ ଡିପୋ ଏବଂ ହୋଟେଲଗୁଡ଼ିକ ଉପରେ ଚଢ଼ଉ କରୁନାହିଁ। ଆହୁରି ମଧ୍ୟ ଫୁଲବାଣୀ ସହରରେ ପାଖାପାଖି ୩୦ରୁ ଊର୍ଦ୍ଧ୍ବ ଗ୍ୟାସ୍‌ ସିଲିଣ୍ଡର୍‌ ମରାମତି ଓ ଛୋଟ ସିଲିଣ୍ଡରରେ ଗ୍ୟାସ୍‌ ପିଲିଂ କରି ବିକିବା ଦୋକାନ ରହିଛି। ଏମାନେ ମଧ୍ୟ ଖୁବ୍‌ ସହଜରେ ଏଜେନ୍‌ସି ପାଖରୁ ଘରୋଇ ଗ୍ୟାସ୍‌ ସିଲିଣ୍ଡର୍‌ ପାଇ ଯାଉଛନ୍ତି।

ଫୁଲବାଣୀସାହିର ଜଣେ ଗ୍ରାହକ ପ୍ରଜ୍ଞାପାରମିତ‌ା ବାରିକଙ୍କ କହିବା ଅନୁଯାୟୀ, ପ୍ରତିଥର ସେ ନିୟମିତ ବୁକିଂ କଲେ ସୁଦ୍ଧା ତାଙ୍କୁ ଗ୍ୟାସ୍‌ ସିଲିଣ୍ଡର୍‌ ମିଳେନାହିଁ। ସେ ବାଧ୍ୟ ହୋଇ କଳା ବେପାରୀଙ୍କଠାରୁ ଚୋରାରେ ଗ୍ୟାସ୍‌ ସିଲିଣ୍ଡର୍‌ କିଣିଥା’ନ୍ତି। ହୋଟେଲ ମାଲିକମାନଙ୍କୁ କମର୍ସିଆଲ୍‌ ଗ୍ୟାସ୍‌ ସିଲିଣ୍ଡର୍‌ ବଦଳରେ ଘରୋଇ ଗ୍ୟାସ୍‌ ସିଲିଣ୍ଡର୍‌ ଯୋଗାଣ କରାଯାଉଛି। ତେବେ ଏନେଇ ଜିଲ୍ଲା ଯୋଗାଣ ବିଭାଗ ସବୁଜାଣି ନିରବଦ୍ରଷ୍ଟା। ଫୁଲବାଣୀ ସହରରେ ଏଭଳି କାରନାମା ନିୟମିତ ଚାଲିଥିବା ବେଳେ ଯୋଗାଣ ବିଭାଗ ସମ୍ପୃକ୍ତ ଯୋଗାଣକାରୀ ସଂସ୍ଥା ସହ ସଲାସୁତରା କରି ଚୁପ୍‌ ବସି ପଡ଼ିଛି। ଫଳରେ ସାଧାରଣ ଗ୍ରାହକ ମାସ ମାସ ଧରି ଗ୍ୟାସ୍‌ ସିଲିଣ୍ଡର୍‌ ପାଉନାହିଁ। ଏହାକୁ ନେଇ ସମଗ୍ର ଫୁଲବାଣୀ ସହରରେ ଗ୍ରାହକ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଫୁଲବାଣୀ ସହରରେ ଏଚ୍‌ପି ଗ୍ୟାସ୍‌ ବଣ୍ଟନ ପାଇଁ ଯେଉଁ ଏଜେଣ୍ଟ୍‌ ଦାୟିତ୍ବ ନେଇଛନ୍ତି, ସେମାନେ ଗ୍ରାହକଙ୍କୁ ମାସ ମାସ ଧରି ଗ୍ୟାସ୍‌ ସିଲିଣ୍ଡର ଯୋଗାଇ ଦେଇ ପାରୁ ନଥିବାରୁ ଗ୍ରାହକ ମହଲରେ ଅସନ୍ତୋଷ ଦେଖା ଦେଇଛି।

ଗ୍ରାହକମାନେ କିଭଳି ଗ୍ୟାସ୍‌ ସିଲିଣ୍ଡର୍‌ ପାଇବେ, ସେନେଇ ଜିଲ୍ଲା ଯୋଗାଣ ଅଧିକାରୀ ଅନାଥ ସ୍ବାଇଁଙ୍କ ସହ‌ ଯୋଗାଯୋଗ କରିଥିଲୁ। ତେବେ ତାଙ୍କ ନିୟନ୍ତ୍ରଣରେ ଗ୍ୟାସ୍‌ ଯୋଗାଣକାରୀ ସଂସ୍ଥା ନାହାନ୍ତି ବୋଲି ସେ କହିଛନ୍ତି। ଫୁଲବାଣୀ ସହରରେ ଏଭଳି ସମସ୍ୟା ବର୍ଷତମାମ ଲାଗି ରହିଥିବା ବେଳେ ଏହାର ସମାଧାନ କ'ଣ ବୋଲି ବିଭିନ୍ନ ମହଲରେ ପ୍ରଶ୍ନ ହୋଇଛି। ପ୍ରଥମେ ଫୁଲବାଣୀ ସହରରେ ଥିବା ବେଆଇନ ଗ୍ୟାସ୍‌ ଡିପୋ ଏବଂ ହୋଟେଲମାନଙ୍କ ଉପରେ ଚଢ଼ଉ କରାଯାଉ ବୋଲି ବିଜେପି ନେତା ତପନ ପାଢୀ ଦାବି କରିଛନ୍ତି। ଏହି କଳାବେପାର ସମ୍ପର୍କରେ ଜିଲ୍ଲାପାଳ ଆଶିଷ ଈଶ୍ବର ପାଟିଲଙ୍କ ଦୃଷ୍ଟି ଆକର୍ଷଣ କରିଥିଲୁ। ଏ ନେଇ ଉଚିତ୍‌ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲ୍ଲାପାଳ ପ୍ରତିଶ୍ରୁତି ଦେଇଛନ୍ତି।