ଭୁବନେଶ୍ବର: କେନ୍ଦ୍ର ସରକାର ଓ ରାଜ୍ୟ ସରକାରଗୁଡ଼ିକର ପରାମର୍ଶ କ୍ରମେ ମାଓ ଅଧ୍ୟୁଷିତ ଅଞ୍ଚଳରେ ଯବାନମାନେ ଦିନରାତି ନିଜର ଅଭିଯାନରେ ଲାଗିପଡ଼ିଛନ୍ତି। ଆତ୍ମସମର୍ପଣ କରୁଥିବା ମାଓବାଦୀମାନଙ୍କୁ ସରକାର ଭଲରାସ୍ତାରେ ବଢ଼ିବା ପାଇଁ ସାମାଜିକ ଓ ଆର୍ଥିକ ସହାୟତା ମଧ୍ୟ ପ୍ରଦାନ କରୁଛନ୍ତି। ଦେଶକୁ ୨୦୨୬ ମାର୍ଚ୍ଚ ସୁଦ୍ଧା ମାଓମୁକ୍ତ କରିବାକୁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଆହ୍ବାନ ଦେଇଥିବା ବେଳେ ବିଗତ ୨୪ ଘଣ୍ଟା ମଧ୍ୟରେ ଶତାଧିକ ମାଓବାଦୀ ପୁଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି। ବିଗତ ୨୪ ଘଣ୍ଟା ମଧ୍ୟରେ ୧୩୭ ଜଣ ମାଓବାଦୀ ପୁଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି।
ମାଓ ଦମନ ଅଭିଯାନରେ ମହାରାଷ୍ଟ୍ର ଓ ଛତିଶଗଡ଼ ପୁଲିସକୁ ବଡ଼ଧରଣର ସଫଳତା ମିଳିଛି। ଛତିଶଗଡ଼ରେ ମାଓ ଦମନ ଅଭିଯାନ ଜୋର୍ଦାର ହେବା ପରେ ପୁଲିସ ମହାରାଷ୍ଟ୍ର, ତେଲେଙ୍ଗାନା, ଆନ୍ଧ୍ରପ୍ରଦେଶ ଓ ଓଡ଼ିଶା ସୀମାନ୍ତରେ କମ୍ବିଂ ଏବଂ ସର୍ଚ୍ଚ ଅପରେସନ୍କୁ ତ୍ବରାନ୍ବିତ କରିଛି। ଟାର୍ଗେଟ୍ରେ ଟପ୍ କ୍ୟାଡର୍ ନକ୍ସଲ ଥିବାରୁ ଏନ୍କାଉଣ୍ଟର୍ ଭୟରେ ମୁଖ୍ୟସ୍ରୋତକୁ ଜଣେ ପରେ ଜଣେ କ୍ୟାଡର୍ ଫେରୁଛନ୍ତି। ମଙ୍ଗଳବାର କେନ୍ଦ୍ରୀୟ କମିଟି ସଦସ୍ୟ ସୋନୁ ଓରଫ୍ ବେଣୁଗୋପାଲ ନିଜର ୬୦ ସହକର୍ମୀଙ୍କ ସହ ମହାରାଷ୍ଟ୍ରର ଗଡ଼ଚିରୋଲି ପୁଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି। ମାଓବାଦୀ ଆତ୍ମସମର୍ପଣ କରିବା ପୁଲିସ୍ ପାଇଁ ବଡ଼ ସଫଳତା ହୋଇଥିବା ବେଳେ ମାଓ ସଙ୍ଗଠନକୁ ଲାଗିଛି ବଡ଼ ଝଟକା।
ଆଜି ଛତିଶଗଡ଼ର କାଂକେର ଜିଲ୍ଲା ପୁଲିସ ନିକଟରେ ୫୦ ଜଣ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ଏଲ୍ଏମ୍ଜି, ଏକେ ୪୬, ଇନ୍ସାସ୍ ସମେତ ସେମାନେ ଆତ୍ମସମର୍ପଣ କରିଛନ୍ତି। ବସ୍ତର ଆଇଜି ସୁନ୍ଦରରାଜ ପି ଓ କାଂକେର ଏସପିଙ୍କ ନିକଟରେ ଆତ୍ମସମର୍ପଣ କରିଛନ୍ତି। ୨ ଏସଜେଡସି ମେମ୍ବର ରାଜମନ ଏବଂ ରାଜୁସଲାମଙ୍କ ଆତ୍ମସମର୍ପଣ କରିଛନ୍ତି। ମୋଟାମୋଟି ଭାବେ କହିବାକୁ ଗଲେ ୨୪ ଘଣ୍ଟା ମଧ୍ୟରେ ୧୩୭ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ଏଥିରେ ଗଡଚିରୋଲିରେ ୬୦, ସୁକୁମାରେ ୨୭ ଏବଂ କାଙ୍କେର ଠାରେ ୫୦ ଜଣ ସାମିଲ ଅଛନ୍ତି। ଗଡ଼ଚିରୋଲିରେ ଆତ୍ମସମର୍ପଣକାରୀଙ୍କ ମଧ୍ୟରେ ୧୦ ମହିଳା ସାମିଲ ଅଛନ୍ତି। ସମସ୍ତଙ୍କ ନାଁରେ ୫୦ ଲକ୍ଷ ଟଙ୍କାର ପୁରସ୍କାର ଥିଲା।
୨୦୨୬ ମାର୍ଚ୍ଚ ସୁଦ୍ଧା ଛତିଶଗଡ଼ ସମେତ ଦେଶକୁ ମାଓ ମୁକ୍ତ କରିବା ପାଇଁ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ ନିର୍ଦ୍ଦେଶ ଦେଇଛନ୍ତି। ସମସ୍ତ ମାଓପ୍ରବଣ ରାଜ୍ୟରେ ବ୍ୟାପକ କେନ୍ଦ୍ରୀୟ ଫୋର୍ସ ମୁତୟନ ହୋଇଥିବା ବେଳେ ମାଓ ଦମନ ଅଭିଯାନ ଗତିଶୀଳ ହୋଇଛି। ଫଳସ୍ବରୂପ ଏନ୍କାଉଣ୍ଟର୍ରେ କେନ୍ଦ୍ରୀୟ କମିଟି ମୁଖ୍ୟ ବାସବରାଜୁ, ଟପ୍ ମାଓ ନେତା ଭାସ୍କର ରାଓ, ଉଦୟଙ୍କ ଭଳି ବହୁ ଆଗଧାଡ଼ିର ମାଓ ନେତାଙ୍କ ମୃତ୍ୟୁ ହୋଇଛି।
ସେପ୍ଟେମ୍ବର ମାସରେ କେନ୍ଦ୍ରୀୟ କମିଟି ସଦସ୍ୟ ସୋନୁ ସରକାର ଓ ପୁଲିସ ନିକଟକୁ ଚିଠି ଲେଖି ଅସ୍ତ୍ର ବିରତି ପାଇଁ ଅନୁରୋଧ କରିଥିଲେ। ଆସନ୍ତା ୬ ମାସ ପର୍ଯ୍ୟନ୍ତ ପୁଲିସ ପକ୍ଷରୁ ଅପରେସନ୍ ବନ୍ଦ କରାଗଲେ ଆମେ କୌଣସି ଅଘଟଣ ଘଟାଇବୁ ନାହିଁ। ଆଗାମୀ ଦିନରେ କିପରି ଶାନ୍ତିରେ ସଂଗଠନ କାମ କରିବ ସେ ନେଇ ଚିନ୍ତା କରିବୁ। ଆବଶ୍ୟକ ପଡ଼ିଲେ ସଂଗଠନ ଆଗାମୀ ଦିନରେ ନିର୍ବାଚନ ଲଢ଼ି ଲୋକଙ୍କ ସେବାରେ ନିୟୋଜିତ ହେବ ବୋଲି ସୋନୁ ଚିଠିରେ ଉଲ୍ଲେଖ କରିଥିଲେ। ତେବେ ସୋନୁଙ୍କ ଏହି ପ୍ରସ୍ତାବକୁ ତେଲେଙ୍ଗାନା ଏରିଆ କମିଟି ବିରୋଧ କରିଥିଲା। ସୋନୁଙ୍କର ଏହା ନିଜ ନିଷ୍ପତ୍ତି ବୋଲି କହିଥିଲା।
ଏହା ପରେ ‘ମାଡ୍ ଡିଭିଜନ’ର ସଚିବ ରାଣୀ ଚିଠି ଲେଖି ସୋନୁଙ୍କ ଅସ୍ତ୍ର ବିରତି ପ୍ରସ୍ତାବକୁ ସମର୍ଥନ କରୁଥିବା କହିଥିଲେ। ଅସ୍ତ୍ର ବିରତି ପ୍ରସ୍ତାବ ପରେ ସୋନୁଙ୍କୁ ମାଓ ସଂଗଠନ ପକ୍ଷରୁ ଆକ୍ରମଣ ଭୟ ରହିଥିଲା। କୌଣସି ମୁହୂର୍ତ୍ତରେ କିଛି ବି ଘଟିବାର ଆଶଙ୍କା ଥିଲା। ଏହା ପୂର୍ବରୁ ସୋନୁ ସରକାରଙ୍କ ସହ ଆଲୋଚନା କରି ଗଡ଼ଚିରୋଲି ପୁଲିସ ନିକଟରେ ୫୦ ବନ୍ଧୁକ ଧରି ୬୦ ସହକର୍ମୀଙ୍କ ସହ ଆତ୍ମସମର୍ପଣ କରିଛନ୍ତି। ଏହା ପୂର୍ବରୁ କେବେ ଏତେ ସଂଖ୍ୟାରେ କ୍ୟାଡର୍ ନକ୍ସଲ ଆତ୍ମସମର୍ପଣ କରିନଥିଲେ।
maoists