ଭିନ୍ନ ଏକ ମହିଳା: ୧୦ ବର୍ଷରେ ଏକ ହଜାରରୁ ଊର୍ଦ୍ଧ୍ବ ସାପ ଧରିସାରିଲେଣି ଶିକ୍ଷୟିିତ୍ରୀ

ମାଲକାନଗିରି: ସ୍ନେହଲତା ସୋରେନ। ଜିଲ୍ଲା ମଂଗଳ ବିଭାଗର ଏସଏସଡି ବିଦ୍ୟାଳୟରେ ଶିକ୍ଷକତା କରନ୍ତି। ଜନ୍ମ ମୟୁରଭଞ୍ଜ ଜିଲ୍ଲାରେ। କିନ୍ତୁ କର୍ମଭୂମୀ ହେଲା ମାଲକାନଗିରି। ପେସାରେ ଶିକ୍ଷକତା କଲେ ମଧ୍ୟ ସେ ଜଣେ ଆଗ ଧାଡିର ସମାଜସେବୀ ଭାବେ ବେଶ ପରିଚିତ। ଅନ୍ୟର ଦୁଃଖକୁ ସେ ସହ୍ୟ କରି ପାରନ୍ତି ନାହିଁ। ଯଥାସମ୍ଭବ ସହଯୋଗର ହାତ ବଢାନ୍ତି। କେବଳ ମଣିଷ ନୁହନ୍ତି,ବରଂ ପଶୁପକ୍ଷୀଙ୍କୁ ମଧ୍ୟ ସେ ବେଶ ଭଲପାଆନ୍ତି। ବିଶେଷ କରି ସେ ଲୋକଙ୍କୁ ସାପ ଦାଉରୁ ରକ୍ଷା କରିବା ବିଡା ନେଇଛନ୍ତି।ଲୋକେ ସାପକୁ ଦେଖିଲେ ଭୟରେ ମାରିଦିଅନ୍ତି। ସେ କିନ୍ତୁ ସାପକୁ ବି ଭଲପାଇବାକୁ ବୁଝାଇଥାନ୍ତି। ସେ ମଧ୍ୟ ପ୍ରାଣୀ। ତା ଉପରେ କୌଣସି ଆକ୍ରମଣ ନହେଲେ ସେ କାହାରିକୁ କାମୁଡେ ନାହିଁ ବୋଲି ସେ କହନ୍ତି।

ସେ ଗତ ୧୦ ବର୍ଷହେଲା ସାପ ଧରିବା ସହ ତାକୁ ସୁସ୍ଥ ଅବସ୍ଥାରେ ଜଂଗଲରେ ପୁଣି ଛାଡି ଦିଅନ୍ତି। ତାଂକ ଭାଇ ଗୁରୁ ଦେବଜିତ ରାଉତରାୟ ତାଂକୁ ସାପ ଧରିବା କାମ ଶିକ୍ଷା ଦେଇଥିବା ସେ କହନ୍ତି। ଗତ ୧୦ ବର୍ଷ ମଧ୍ୟରେ ଏକ ହଜାରରୁ ଉର୍ଦ୍ଧ୍ବ ସାପ ଧରିଥିବା କୁହାଯାଇଛି। ଯେତେବେଳେ ବି ମାଲକାନଗିରି ଜିଲ୍ଲାରେ କାହାରି ଘରେ ସାପ ପଶିଥିବା ଖବର ପାଆନ୍ତି ତୁରନ୍ତ ସେ ନିଜର ସମସ୍ତ କାମ ଛାଡି ସେଠାକୁ ଚାଲିଯାନ୍ତି। ଲୋକଙ୍କୁ ଭୟଭିତ ନହେବାକୁ ବୁଝାଇବା ସହ ଅତି ସହଜରେ ସାପକୁ କାବୁ କରନ୍ତି। ତାଂକରି ଏହି ଦୁଃସାହସିକ କାମକୁ ଲୋକେ ଭୟ କରିବା ସହ ପ୍ରଶଂସା ମଧ୍ୟ କରନ୍ତି। ଜଣେ ମହିଳା ହୋଇ ଏଭଳି ବିପଦପୂର୍ଣ୍ଣ କାମ କରିବା ଉପାନ୍ତ ଅଂଚଳରେ ସମସ୍ତଙ୍କ ପାଇଁ ଏକ ଆଶ୍ଚର୍ଯ୍ୟର ବିଷୟ। ସ୍ନେହଲତା ଯେଭଳି ଭାବେ ସାପକୁ କାବୁ କରନ୍ତି ତାହା ଦେଖିଲେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାନ୍ତି।

ଅତି କୌଶଳର ସହ ସାପକୁ କାବୁ କରିବା ପରେ ସହଜରେ ସାପକୁ ନିଜ ହାତକୁ ଆଣିଥାନ୍ତି। ତାଂକର ଏଭଳି ମାନବିକତା ପାଇଁ ତାଂକୁ ବିଭିନ୍ନ ମହଲରେ ପୁରସ୍କୃତ ମଧ୍ୟ କରାଯାଇସାରିଛି। ପେଶା ଶିକ୍ଷକତା ହୋଇଥିଲେ ମଧ୍ୟ ନିଶା ସାପ ଧରିବା କାମ। ସେ ଆଗକୁ ମଧ୍ୟ ଏଭଳି ମହତ କାର୍ଯ୍ୟ କରିଚାଲିବେ ବୋଲି କହିଛନ୍ତି। ପ୍ରକାଶ ଥାଉକି ମାଲକାନଗିରି ସହ ସାପର ଗନ୍ତାଘର। ବର୍ଷାଦିନ ଆସିବା ମାତ୍ରେ ମାଲକାନଗିରି ସମେତ ପ୍ରାୟତଃ ପ୍ରତ୍ୟେକ ଗ୍ରାମରେ ସାପ ବାହାରିଥାନ୍ତି। ସେହିପରି ସାପ କାମୁଡାରେ ସବୁଠାରୁ ବେଶୀ ମାଲକାନଗିରି ଜିଲ୍ଲାରେ ହିଁ ମୃତ୍ୟୁ ହୋଇଥାଏ। ତେଣୁ ସ୍ନେହଲତାଙ୍କ ଏହି କାମ ଯୋଗୁଁ ବହୁ ଲୋକ ସାପ କାମୁଡାରୁ ବର୍ତ୍ତିଯାଉଥିବା କହନ୍ତି। ସାପକୁ ଭଲ ପାଇବା ଯୋଗୁଁ ଆଜି ସେ କେବଳ ମାଲକାନଗିରି ନୁହେଁ ବରଂ ସାରା ରାଜ୍ୟରେ ଏକ ପ୍ରକାର ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି।

ସମ୍ବନ୍ଧିତ ଖବର