ରାଜ୍ୟରେ ଦୈନିକ ସଂକ୍ରମଣ ୧୦ ହଜାର ଉପରେ

୧୦,୬୪୯ ଆକ୍ରାନ୍ତ, ୧୯ ମୃତ୍ୟୁ, ସୁସ୍ଥ ହେଲେ ଆଉ ୮୬୬୫ ରୋଗୀ

ଭୁବନେଶ୍ବର : ରାଜ୍ୟରେ ତିନି ଦିନ କରୋନା ସଂକ୍ରମଣ ୧୦ ହଜାର ତଳକୁ ରହିଲା ପରେ ଗତକାଲି ଠାରୁ ପୁଣି ଉପରମୁହାଁ ହୋଇଛି। ଗତ ୨୪ ଘଣ୍ଟା ମଧ୍ୟରେ ଦୈନିକ କରୋନା ସଂକ୍ରମଣ ୧୦ ହଜାର ଉପରେ ରହିଛି। ମୋଟ୍‌ ୧୦,୬୪୯ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ ୧୫୫୭ ଜଣ ଚିହ୍ନଟ ହୋଇଥିଲା ବେଳେ ତାଲିକାର ଦ୍ବିତୀୟରେ ରହିଛି କଟକ(୯୩୦)। ଏହା ବାଦ୍ ସୁନ୍ଦରଗଡ଼ରୁ ୭୭୪, ଅନୁଗୁଳରୁ ୫୫୭, ସମ୍ବଲପୁର ୪୯୪, ମୟୂରଭଂଜରୁ ୪୦୪, ବରଗଡ଼ରୁ ୩୯୧, ଝାରସୁଗୁଡ଼ାରୁ ୩୬୮, ନୟାଗଡ଼ରୁ ୩୫୭, ପୁରୀରୁ ୩୩୫, ନୂଆପଡ଼ାରୁ ୩୩୧ ଓ ଯାଜପୁରରୁ ୩୦୭ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଅନ୍ୟ ଜିଲ୍ଲାଗୁଡ଼ିକରେ ଆକ୍ରାନ୍ତଙ୍କ ସଂଖ୍ୟା ୩୦୦ ତଳେ ରହିଛି। ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍‌ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫,୭୬,୨୯୭ରେ ପହଞ୍ଚିଛି।

ରାଜ୍ୟରେ କରୋନା ଆଜି ପୁଣି ୧୯ ମୁଣ୍ଡ ନେଇଛି। ଅନୁଗୁଳରେ ସର୍ବାଧିକ ୩ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିଲା ବେଳେ ସୁନ୍ଦରଗଡ଼ ଓ ପୁରୀ ଜିଲ୍ଲାରୁ ୨ ଜଣ ଲେଖାଏ, ବାଲେଶ୍ୱର, ବରଗଡ଼, ବୌଦ୍ଧ, ବଲାଙ୍ଗୀର, ଗଞ୍ଜାମ, ଜଗତସିଂହପୁର, କନ୍ଧମାଳ, ଖୋର୍ଦ୍ଧା, ମାଲକାନଗିରି, ନୂଆପଡ଼ା, ରାୟଗଡ଼ା ଓ ସମ୍ବଲପୁର ଜିଲ୍ଲାରୁ ଜଣେ ଲେଖା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ଏହା ସହିତ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୨୨୫୧କୁ ବୃଦ୍ଧି ପାଇଛି। ସ୍ବାସ୍ଥ୍ୟ ବିଭାଗର ସୂଚନା ଅନୁଯାୟୀ ଆଜି ୮,୬୬୫ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଖୋର୍ଦ୍ଧାରୁ ସର୍ବାଧିକ ୧୧୪୬ ଆକ୍ରାନ୍ତ ସୁସ୍ଥ ହୋଇଥିଲା ବେଳେ ସୁନ୍ଦରଗଡରୁ ୬୨୮ ଓ କଟକରୁ ୪୪୪ ଜଣ ସୁସ୍ଥ ହୋଇଛନ୍ତି। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ମୋଟ୍‌ ୪,୮୨,୩୪୫ ଜଣ ଆକ୍ରାନ୍ତ ସୁସ୍ଥ ହୋଇସାରିଲେଣି।

ସମ୍ବନ୍ଧିତ ଖବର