ବାଲେଶ୍ବର: ୟୁକ୍ରେନ୍-ଋଷ ଦେଶ ମଧ୍ୟରେ ଜାରି ରହିଛି ଯୁଦ୍ଧ। ଆଉ ଏହାରି ଭିତରେ ସେଠାରେ ଫସି ରହିଥିବା ଭାରତୀୟ ଛାତ୍ରଛାତ୍ରୀମାନେ କିପରି ସୁରକ୍ଷିତ ଅବସ୍ଥାରେ ନିଜ ଦେଶକୁ ଫେରିବେ ସେନେଇ ସେମାନଙ୍କ ପରିବାର ଚିନ୍ତାରେ ରହିଥିବା ବେଳେ ଭାରତ ସରକାର ପ୍ରୟାସ ଜାରି ରଖିଛନ୍ତି। ଦୁଇଦେଶ ମଧ୍ୟରେ ପରିସ୍ଥିତି ଦିନକୁ ଦିନ ଜଟିଳ ଆଡ଼କୁ ଗତି କରୁଥିବା ବେଳେ ସେଠାରେ ରହି ଡାକ୍ତରୀ ପଢ଼ୁଥିବା ବାଲେଶ୍ବର ଜିଲ୍ଲାର ପ୍ରାୟ ୧୦ରୁ ଅଧିକ ଛାତ୍ରଛାତ୍ରୀ ସେମାନଙ୍କୁ ଉଦ୍ଧାର କରିବା ପାଇଁ ଭିଡିଓ ବାର୍ତ୍ତା ଜରିଆରେ ଜିଲ୍ଲା ପ୍ରଶାସନ ତଥା ଓଡ଼ିଶା ଏବଂ କେନ୍ଦ୍ର ସରକାରଙ୍କୁ ଆକୁଳ ନିବେଦନ କରିଛନ୍ତି।
ବାଲେଶ୍ବର ସଦର ଥାନା ଅଧୀନ କୁରୁଡ଼ା ପଞ୍ଚାୟତ ହରିଡ଼ା ଗ୍ରାମର ଅବସରପ୍ରାପ୍ତ ବ୍ୟାଙ୍କ ମ୍ୟାନେଜର ତ୍ରିଲୋଚନ ପରିଡ଼ାଙ୍କ ବଡ଼ ପୁଅ ଗୌରୀଶଙ୍କର ପରିଡ଼ା ଏବଂ ଗଗନ ବୁଗୁଡ଼େଇଙ୍କ ପୁଅ ତପନ ବୁଗୁଡ଼େଇ ୟୁକ୍ରେନ୍ରେ ରହି ଡାକ୍ତରୀ ଶିକ୍ଷା ଅଧ୍ୟୟନ କରୁଛନ୍ତି। ଗୌରୀଶଙ୍କରଙ୍କର ଏମବିବିଏସ୍ରେ ଏବେ ଶେଷବର୍ଷ ଚାଲିଥିବା ବେଳେ ତପନଙ୍କ ଚତୁର୍ଥ ବର୍ଷ ଚାଲିଛି। ଦୁହେଁ ସେଠାରେ ସୁମି ବିଶ୍ବବିଦ୍ୟାଳୟରେ ପଢ଼ୁଛନ୍ତି। ଗୌରୀଶଙ୍କର କହିବା ଅନୁସାରେ, ଆସନ୍ତା ମେ ମାସରେ ତାଙ୍କର ଶେଷ ପରୀକ୍ଷା ଥିଲା। ପରୀକ୍ଷା ସାରି ସେ ଘରକୁ ଫେରିବେ ବୋଲି ଯୋଜନା କରିଥିଲେ।
କିନ୍ତୁ ତା ପୂର୍ବରୁ ରୁଷିଆ-ୟୁକ୍ରେନ୍ ମଧ୍ୟରେ ଯୁଦ୍ଧ ଯୋଗୁ ସବୁ କିଛି ବାତିଲ ହୋଇଯାଇଛି। ସେମାନଙ୍କ ପାଖରେ ଥିବା ଖାଦ୍ୟସାମଗ୍ରୀ ସରି ଆସୁଥିବା ବେଳେ କେହି ବାହାରକୁ ବାହାରିବାକୁ ମନା କରାଯାଇଛି। ତେଣୁ ଭାରତୀୟ ଛାତ୍ରଛାତ୍ରୀମାନେ ଏବେ ସେଠାରୁ ସ୍ବଦେଶ ପ୍ରତ୍ୟାବର୍ତ୍ତନ ନେଇ ଆଶଙ୍କା ସୃଷ୍ଟି ହୋଇଛି। ଗୌରୀଶଙ୍କର ଆହୁରି କହିଛନ୍ତି ଯେ, ଯେଉଁ ସହରରେ ଏବେ ସେ ଅବସ୍ଥାନ କରୁଛନ୍ତି ତାହା ଇଭ୍ଠାରୁ ଖୁବ୍ ନିକଟତର। ପ୍ରତି ସମୟରେ ସେମାନେ ଭୟଙ୍କର ବିସ୍ଫୋରଣ ଶବ୍ଦ ଶୁଣୁଥିବା ସେ କହିଛନ୍ତି। ଏଥି ସହ ଶତାଧିକ ଭାରତୀୟ ଡାକ୍ତରୀ ଛାତ୍ରଛାତ୍ରୀ ସେଠାରେ ଫସି ରହିଥିବା ବେଳେ ତନ୍ମଧ୍ୟରୁ ବାଲେଶ୍ବର ଜିଲ୍ଲାରୁ ୧୦ରୁ ଅଧିକ ଛାତ୍ରଛାତ୍ରୀ ଥିବା ଗୌରୀଶଙ୍କର ସୂଚନା ଦେଇଛନ୍ତି। ତେଣୁ ତୁରନ୍ତ ସେମାନଙ୍କୁ ଉଦ୍ଧାର କରି ସ୍ବଦେଶ ଆଣିବାକୁ ଗୌରୀଶଙ୍କର ଏବଂ ବାଲେଶ୍ବରରୁ ତାଙ୍କ ପରିବାର ଲୋକ ନିବେଦନ କରିଛନ୍ତି।
ସୁରକ୍ଷା ଚିନ୍ତାରେ ମୋରଡ଼ାର କୌଶିକ
ଚିତ୍ରଡ଼ା: ୟୁକ୍ରେନରେ ଫଶିଛନ୍ତି ସେଠାରେ ଡାକ୍ତରୀ ପଢୁଥିବା ମୋରଡ଼ା ବ୍ଲକ୍ ମୋରଡ଼ା ପଞ୍ଚାୟତର ସାମ୍ବାଦିକ ସୁଧାଂଶୁ କୁମାର ରାଉତଙ୍କ ପୁଅ କୌଶିକ କଲ୍ୟାଣ ରାଉତ। ୟୁକ୍ରେନ୍ ଉପରେ ଋଷ ଆକ୍ରମଣ କରିବା ପରେ କୌଶିକଙ୍କ ସୁରକ୍ଷାକୁ ନେଇ ଚିନ୍ତାରେ ଅଛନ୍ତି ପରିବାର ଲୋକ। କୌଶିକ ଘରକୁ ଆସିବାକୁ ଚାହୁଁଥିଲେ ବି ବିମାନ ସେବା ବନ୍ଦ ହୋଇଯାଇଛି। ଫଳରେ ସେ ସେଠାରେ ଅଟକି ରହିଛନ୍ତି। କୌଶିକଙ୍କ ପରି ଆହୁରି ଶହଶହ ଓଡ଼ିଆ ଛାତ୍ରଛାତ୍ରୀ ୟୁକ୍ରେନ୍ରେ ଫସିଥିବାରୁ ସେମାନଙ୍କୁ ସୁରକ୍ଷିତ ଭାବେ ଦେଶକୁ ଫେରାଇ ଆଣିବାକୁ କେନ୍ଦ୍ର ସରକାର ବ୍ୟବସ୍ଥା କରିବାକୁ ରାଜ୍ୟ ସରକାରଙ୍କୁ ଅନୁରୋଧ କରିଛନ୍ତି କୌଶିକଙ୍କ ପରିବାର ଲୋକେ। ତେବେ ଦିନକୁ ଦିନ ୟୁକ୍ରେନ ସ୍ଥିତି ଭୟଙ୍କର ହେଉଥିବାରୁ ସରକାର ତୁରନ୍ତ ଏହି ମାମଲାରେ ହସ୍ତକ୍ଷେପ କରିବାକୁ ସେମାନେ ନିବେଦନ କରିଛନ୍ତି।
ଡାକ୍ତରୀ ଛାତ୍ର ପଙ୍କଜଙ୍କୁ ଫେରାଇ ଆଣିବା ପାଇଁ ବାପାମା’ଙ୍କ ନିବେଦନ
କରଞ୍ଜିଆ: ୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ବ୍ଲକ ବଡ଼ଗାଁ ଗ୍ରାମବାସୀ ତଥା ଶୁକୃଳି ବ୍ଲକ୍ ଯନ୍ତ୍ରୀ ଡମ୍ବରୁଧର ମହାନ୍ତଙ୍କ ପୁଅ ପଙ୍କଜ କୁମାର ମହାନ୍ତ ୫ ବର୍ଷ ପୂର୍ବରୁ ୨୦୧୭ ମସିହାରେ ଡାକ୍ତରୀ ପଢିବାକୁ ୟୁକ୍ରେନ ଯାଇଥିଲେ। ସେ ୟୁକ୍ରେନର ଖାରକିଭ୍ ସହରରେ ଥିବା ଖାରକିଭ୍ ଜାତୀୟ ଡାକ୍ତରୀ ମହାବିଦ୍ୟାଳୟରେ ୫ମ ବର୍ଷରେ ଶିକ୍ଷା ଗ୍ରହଣ କରୁଛନ୍ତି। ମାତ୍ର ଗତକାଲି ଠାରୁ ଋଷ ଏବଂ ୟୁକ୍ରେନ ମଧ୍ୟରେ ଭୟାବହ ଯୁଦ୍ଧ ଲାଗିଥିବାରୁ ତାଙ୍କ ପରିବାର ଲୋକେ ପୁଅର ସୁରକ୍ଷା ପାଇଁ ଚିନ୍ତାରେ ଅଛନ୍ତି। ପୁଅ ସହ ଫୋନ୍ରେ ଯୋଗାଯୋଗ ହୋଇ ନପାରିବାରୁ ଅବସ୍ଥା ସଂପର୍କରେ ଜାଣି ପାରୁନାହାନ୍ତି। ତେଣୁ ପରିବାର ପକ୍ଷରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ପୁଅକୁ ଫେରାଇ ଆଣିବାକୁ ନିବେଦନ କରାଯାଇଛି।