କୋଭିଡ୍‌ ନେଲାଣି ୧୨ରୁ ଅଧିକ ସାମ୍ବାଦିକଙ୍କ ଜୀବନ

ଯଥାଶୀଘ୍ର ପରିବାରକୁ ୧୫ଲକ୍ଷ ସହାୟତା‌ ରାଶି ପ୍ରଦାନ ପାଇଁ ଦାବି

ଭୁବନେଶ୍ବର : ଦ୍ବିତୀୟ ଲହରରେ ମାତ୍ର ଗୋଟିଏ ମାସ ମଧ୍ୟରେ କୋଭିଡ୍‌ ନେଲାଣି ୧୨ରୁ ଊର୍ଧ୍ବ ସାମ୍ବାଦିକଙ୍କ ଜୀବନ। ଏଥିରେ ଉଭୟ ଛପା, ବୈଦ୍ୟୁତିକ, ୱେବ୍‌ ଚ୍ୟାନେଲର ସାମ୍ବାଦିକ ରହିଛନ୍ତି। ଆଜି ରାଜ୍ୟ ସରକାରଙ୍କ ପକ୍ଷରୁ ସାମ୍ବାଦିକମାନଙ୍କୁ ଆଗଧାଡ଼ିର କୋଭିଡ୍‌ ଯୋଦ୍ଧାର ମାନ୍ୟତା ଦିଆଯାଇଛି। ଏଭଳି ସ୍ଥିତିରେ ସରକାରଙ୍କ ପକ୍ଷରୁ ମୃତ ସାମ୍ବାଦିକମାନଙ୍କ ପରିବାରକୁ ୧୫ଲକ୍ଷ ଟଙ୍କାର ସହାୟତା ରାଶି ଯଥାଶୀଘ୍ର ପ୍ରଦାନ କରାଯିବା ପାଇଁ ଦାବି ହେଉଛି।

ଚଳିତ ବର୍ଷ ଏଯାଏ କୋଭିଡ୍‌ରେ ପ୍ରାଣ ହରାଇଥିବା ସାମ୍ବାଦିକମାନେ ହେଲେ, ଟାଇମ୍ସ ଅଫ୍‌ ଇଣ୍ଡିଆ ଭୁବନେଶ୍ବର ସଂସ୍କରଣ ସହଯୋଗୀ ବାର୍ତ୍ତା ସଂପାଦକ ପ୍ରୀତିମାନ ମହାପାତ୍ର(୪୫), ‘ସମ୍ବାଦ’ ସମ୍ବଲପୁର ସଂସ୍କରଣର ଡିଜିଏମ୍‌ ଦେବେନ୍ଦ୍ର ସାମନ୍ତରାଏ, ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ର ‘ସମ୍ବାଦ’ ପ୍ରତିନିଧି ଯତୀଶ ଖମାରୀ(୪୬), ଗଞ୍ଜାମର ‘ନିତିଦିନ’ର ମନୋଜ ସାହୁ(୪୨), ଗଞ୍ଜାମ ଜିଲ୍ଲା ୱେବ୍‌ ଟିଭି ନ୍ୟୁଜ୍‌-୬ର ଗୋବିନ୍ଦ ବେହେରା, ସମ୍ବଲପୁର ଅଧିବାସୀ ଜି-ଓଡ଼ିଶାର ମାନସ ଜୟପୁରିଆ(୪୯), ଝାରସୁଗୁଡ଼ା ଜିଲ୍ଲା ଏନ୍‌ଏଫ୍‌ ଟିଭିର ଅମଜାଦ ବାଦଶାହ(୪୫), ଭବାନୀପାଟଣା ଦୂରଦର୍ଶନର ପ୍ରତିନିଧି ଭାନୁପ୍ରକାଶ ରଥ(୪୫), ରାଉରକେଲାର ସାପ୍ତାହିକ ପତ୍ରିକା ‘ଶ୍ରମିକ ମାଲିକ’ର ସଂପାଦକ ଅଦ୍ବୈତ ପ୍ରସାଦ ବିଶ୍ବାଳ(୮୦), ଝାରସୁଗୁଡ଼ାର ‘ଶାସକ ପ୍ରଶାସକ’ ପୋର୍ଟାଲ ତଥା ଝାରସୁଗୁଡ଼ା ବିଚାରର ସୁବାସ ସାହାରେ(୪୯), ଗଞ୍ଜାମ ଜିଲ୍ଲାର ଅନୁପମ ଭାରତର କରୁଣାକର ସାହୁ(୫୨), ‘ସମୟ’ର ସିମୁଳିଆ ପ୍ରତିନିଧି ହରୀଶ ଚନ୍ଦ୍ର ସାହା ପ୍ରମୁଖ।

ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ର ଜନଜୀବନ ସହିତ ଜଡ଼ିତ ସକ୍ରିୟ ସାମ୍ବାଦିକ ଯତୀଶ ଖମାରୀଙ୍କ ଜୀବନ ଗୋଟିଏ ମୁହୂର୍ତ୍ତ ମଧ୍ୟରେ ଏଭଳି ଚାଲିଯିବ, ଏହା କେବେ ଚିନ୍ତା କରିନଥିବା ତାଙ୍କ ପରିବାର କହିଛନ୍ତି। ଯତୀଶଙ୍କ ଜ୍ବର ହେବାରୁ ପ୍ରଥମେ ପାଟନାଗଡ଼, ବଲାଙ୍ଗୀର ଡାକ୍ତରଖାନା ଦେଖାଇବା ପରେ କୋଭିଡ୍‌ ପଜିଟିଭ ଚିହ୍ନଟ ହୋଇଥିଲେ। ପରେ ତାଙ୍କୁ ଭୁବନେଶ୍ବରସ୍ଥିତ ଘରୋଇ ଡାକ୍ତରଖାନାକୁ ଅଣାଯାଇଥିଲା। କିଛି ଦିନର ଚିକିତ୍ସା ପରେ ତାଙ୍କୁ ମୃତ ଘୋଷଣା କରାଯାଇଥିଲା। ଯତୀଶ ନିଜ ଅନ୍ତେ ସ୍ତ୍ରୀଙ୍କୁ ଛାଡ଼ି ଯାଇଛନ୍ତି। କୋଭିଡ୍‌ ଯୋଗୁଁ କଳାହାଣ୍ଡି ଜିଲ୍ଲାର ଭାନୁପ୍ରକାଶଙ୍କ ଫୁସଫୁସ୍‌ ସଂକ୍ରମିତ ହୋଇଥିଲା। ତାଙ୍କୁ ଗୁରୁତର ଅବସ୍ଥାରେ ବିଶାଖାପଟନମ୍‌କୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ତାଙ୍କ ପରିବାରରେ ସ୍ତ୍ରୀ, ୧୦ ବର୍ଷର ପୁଅ ଅଛନ୍ତି। ଝାରସୁଗୁଡ଼ା ଜିଲ୍ଲା ସାମ୍ବାଦିକ ଅମଜାଦ ବାଦଶାହଙ୍କ କେବଳ ଓଡ଼ିଶା ନୁହେଁ, ଛତିଶଗଡ଼ରେ ମଧ୍ୟ ତାଙ୍କର ସ୍ବତନ୍ତ୍ର ପରିଚୟ ରହିଛି। ତାଙ୍କ ଘରେ ମା, ଖୁଡ଼ି ଏବଂ ସେ ନିଜେ ସଂକ୍ରମିତ ହୋଇ ରାଉରକେଲାସ୍ଥିତ କୋଭିଡ୍‌ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ମା’ ସୁସ୍ଥ ହୋଇଥିଲେ। ମାତ୍ର କୋଭିଡ୍‌ ତାଙ୍କର ଜୀବନ ନେଇଥିଲା। ନିଜ ଅନ୍ତେ ସ୍ତ୍ରୀ, ୪ ବର୍ଷର ଝିଅ, ୩ ମାସର ପୁଅକୁ ଛାଡ଼ି ଯାଇଛନ୍ତି। ଗଞ୍ଜାମ ଜିଲ୍ଲା କୁକୁଡ଼ାଖଣ୍ଡିର ୨୫ବର୍ଷୀୟ ଗୋବିନ୍ଦ ବେହେରାଙ୍କ ସମେତ ସମ୍ପୂର୍ଣ୍ଣ ପରିବାରର ୨୦ତାରିଖରେ ସଂକ୍ରମିତ ହୋଇଥିଲେ। ଚିକିତ୍ସାଧୀନ ବେଳେ ଗୋବିନ୍ଦଙ୍କ ମୃତ୍ୟୁ ହେଲା। ସମ୍ବଲପୁର ଅଧିବାସୀ ମାନସ ଜୟପୁରିଆ ସାମ୍ବାଦିକ ଏବଂ କଳାକାର ଭାବରେ ପରିଚିତ। କୋଭିଡ୍‌ ସଂକ୍ରମଣରେ ତାଙ୍କ ମୃତ୍ୟୁ ସମସ୍ତଙ୍କୁ ହତବାକ୍‌ କରିଦେଇଥିଲା। ସେ ନିଜ ଅନ୍ତେ ମା’, ବାପା, ସ୍ତ୍ରୀ ଏବଂ ନବମ ଶ୍ରେଣୀ ପଢୁଥିବା ଝିଅଙ୍କୁ ଛାଡ଼ି ଯାଇଛନ୍ତି। ରାଜଧାନୀରେ କାର୍ଯ୍ୟରତ ପ୍ରୀତିମାନ ମହାପାତ୍ର ବ୍ଲୁ ହୁଇଲ୍ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ତେବେ ଗତକାଲି ତାଙ୍କର ମୃତ୍ୟୁ ହୋଇ ଯାଇଥିଲା। ସେ ନିଜ ଅନ୍ତେ ସ୍ତ୍ରୀ, ଏକମାତ୍ର ଝିଅଙ୍କୁ ଛାଡ଼ି ଯାଇଛନ୍ତି। କରୁଣାକର ସାହୁ କୋଭିଡ୍‌ ଡାକ୍ତରଖାନା ଆସିବା ଦିନ ହିଁ ତାଙ୍କ ମୃତ୍ୟୁ ହୋଇଥିଲା। ତାଙ୍କ ପରିବାରରେ ସ୍ତ୍ରୀ, ସନ୍ତାନ ଅଛନ୍ତି। ମୃତ ଅଧିକାଂଶ ସାମ୍ବାଦିକ ନିମ୍ନ ମଧ୍ୟବିତ୍ତ ପରିବାରର। କାର୍ଯ୍ୟରତ ଅବସ୍ଥାରେ ତାଙ୍କ ମୃତ୍ୟୁ, ପରିବାରକୁ ଅନିଶ୍ଚିତତା ମଧ୍ୟକୁ ଠେଲି ଦେଇଛି। ତେଣୁ ସେମାନଙ୍କୁ ଯଥାଶୀଘ୍ର ଆର୍ଥିକ ସହାୟତା ଦେବା ପାଇଁ ବିଭିନ୍ନ ଜିଲ୍ଲାର ସାମ୍ବାଦିକ ସଙ୍ଗଠନଗୁଡ଼ିକ ପ୍ରଶାସନ ନିକଟରେ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର