ଭୁବନେଶ୍ବର : ରାଜ୍ୟରେ ୧୨,୨୪,୭୨୬ ପରିବାର କଚ୍ଚା ଘରେ ରହୁଛନ୍ତି। ଏଥିରେ ମୟୂରଭଞ୍ଜରେ ସର୍ବାଧିକ ୧,୬୪,୫୧୩, କେନ୍ଦୁଝର ୮୪,୦୫୪, ବାଲେଶ୍ବର ୭୬,୭୩୮, ନୂଆପଡ଼ା ୬୧,୫୨୦ ପରିବାର ଅଛନ୍ତି। ଏହି ପରିବାରମାନଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଗୃହ ମଞ୍ଜୁର ପାଇଁ ଆବଶ୍ୟକ ପଦକ୍ଷେପ ନିଆଯାଉଛି। ଏହି ଗୃହ ନିର୍ମାଣ ପାଇଁ ୧୫,୫୪୫ କୋଟି ଟଙ୍କା ଖର୍ଚ ହେବ ବୋଲି ବିଧାନସଭାରେ ସୂଚନା ଦେଇଛନ୍ତି ପଞ୍ଚାୟତିରାଜ ମନ୍ତ୍ରୀ ପ୍ରଦୀପ କୁମାର ଅମାତ।
ବିଧାୟକ ସୌମ୍ୟରଂଜନ ପଟ୍ଟନାୟକଙ୍କ ଏକ ପ୍ରଶ୍ନର ଉତ୍ତରରେ ଶ୍ରୀ ଅମାତ କହିଛନ୍ତି ଯେ ମୟୂରଭଞ୍ଜରେ ଗୃହ ନିର୍ମାଣ ପାଇଁ ୨୧୩୯ କୋଟି, କେନ୍ଦୁଝର ୧୦୯୩ କୋଟି, ବାଲେଶ୍ବର ୯୨୧, ନୂଆପଡ଼ା ୮ଶହ କୋଟି ଓ ଦେବଗଡ଼ ଜିଲ୍ଲାରେ ସର୍ବନିମ୍ନ ୧୯କୋଟି ଟଙ୍କା ଖର୍ଚ ହେବ। ଏହାସହ ଗ୍ରାମୀଣ ଗୃହ ନିର୍ମାଣ ଯୋଜନାରେ ଆର୍ଥିକ ବର୍ଷ ୨୦୧୪/୧୫ରୁ ୨୦୨୨ ମସିହା ଭିତରେ ୩୧,୩୯,୮୦୪ ପକ୍କା ଘର କାର୍ଯ୍ୟ ସଂପୂର୍ଣ୍ଣ ହୋଇଛି। ଏଥିରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା(ଗ୍ରାମୀଣ)ରେ ୧୭,୦୫,୯୧୭ ଘର, ଇନ୍ଦିରା ଆବାସ ଯୋଜନାରେ ୧୦,୬୫,୩୭୪, ବିଜୁ ପକ୍କା ଘର ଯୋଜନାରେ ୩,୧୬,୦୪୭, ନିର୍ମାଣ ଶ୍ରମିକ ପକ୍କା ଘର ଯୋଜନା ୨୨,୬୭୧, ପକ୍କା ଘର ଯୋଜନା(ମାଇନିଂ) ୨୮,୮୫୩ ଓ ମତ୍ସ୍ୟଜୀବୀ ବାସଗୃହ ଯୋଜନାରେ ୯୪୨ ଘର ନିର୍ମାଣ କରାଯାଇଛି। ତେବେ ୧,୬୪, ୨୨୭ ପକ୍କା ଘର ନିର୍ମାଣାଧୀନ ରହିଛି।