ଭୁବନେଶ୍ୱର : ରାଜ୍ୟ ମାନବାଧିକାର କମିସନରେ ମାମଲା ସଂଖ୍ୟା ବଢ଼ିବାରେ ଲାଗିଛି। ଗତ ସେପ୍ଟେମ୍ବର ଶେଷ ସୁଦ୍ଧା କମିସନରେ ୧୪ ହଜାର ୧୧୧ ମାମଲା ବିଚାର ପାଇଁ ପଡ଼ି ରହିଛି। ମାମଲାଗୁଡ଼ିକରେ ଜଡ଼ିତ ଥିବା ପୀଡ଼ିତଙ୍କ ସଂଖ୍ୟା ହିସାବକୁ ନେଲେ ତାହା ଅତି କମ୍ରେ ୪୦ ହଜାର ହେବ ବୋଲି କୁହାଯାଉଛି। ଅର୍ଥାତ୍ ୪୦ ହଜାର ପୀଡ଼ିତ ନ୍ୟାୟ ଅପେକ୍ଷାରେ ରହିଛନ୍ତି।
ଚଳିତ ବର୍ଷ ଜାନୁଆରି ମାସର ତଥ୍ୟ ବିଚାରକୁ ନେଲେ କମିସନରେ୧୬ ହଜାର ୧୦୮ ମାମଲା ବିଚାର ପାଇଁ ରହିଥିଲା। ସେହି ମାସରେ ନୂଆ ୩୧୬ ମାମଲା ରୁଜୁ ହେଲା, ୨୫୧ଟି ମାମଲା ଫଇସଲା ହେଲା। ଅର୍ଥାତ୍ ଫେବ୍ରୁଆରି ମାସ ଆରମ୍ଭରୁ ବିଚାରାଧୀନ ମାମଲା ସଂଖ୍ୟା ୧୬ ହଜାର ୧୭୧ରେ ପହଞ୍ଚିଥିଲା। ଏପ୍ରିଲ ଆରମ୍ଭରେ ବିଚାରାଧୀନ ମାମଲା ସଂଖ୍ୟା ଥିଲା ୧୬ ହଜାର ୫୦। ଏହି ମାସରେ ନୂଆ ୨୭୮ଟି ମାମଲା ରୁଜୁ ହେଲା, ୪୬୪ଟି ଫଇସଲା ହେଲା। ଅର୍ଥାତ୍ ରୁଜୁ ହୋଇଥିବା ମାମଲାଠାରୁ ଫଇସଲା ହୋଇଥିବା ମାମଲା ସଂଖ୍ୟା ପ୍ରଥମ ଥର ପାଇଁ ବଢ଼ିଲା। ଏଭଳି ମେ’ ମାସ ଆରମ୍ଭ ବେଳକୁ ବିଚାରାଧୀନ ମାମଲା ସଂଖ୍ୟା ୧୫ ହଜାର ୮୬୪ରେ ପହଞ୍ଚିଥିଲା। ମେ’ ମାସରୁ ହିଁ ବିଚାରାଧୀନ ମାମଲା ସଂଖ୍ୟା କମିବା ଆରମ୍ଭ ହୋଇଥିଲା। ଜୁନ୍ ମାସରେ ବିଚାରାଧୀନ ମାମଲା ସଂଖ୍ୟା ୧୫ ହଜାର ୬୯୨ ରହିଥିବା ବେଳେ ଜୁଲାଇରେ ୧୫ ହଜାର ୬୨୮, ଅଗଷ୍ଟରେ ୧୫ ହଜାର ୩୬୦ ଓ ସେପ୍ଟେମ୍ବରରେ ଏହା ୧୪ ହଜାର ୬୨୦ରେ ପହଞ୍ଚିଥିଲା।
ଅନ୍ୟପଟେ ମେ’ ମାସରୁ ଫଇସଲା ହାର ମଧ୍ୟ ବଢ଼ିଥିଲା। ମେ’ ମାସରେ ୩୧୭ ମାମଲାର ଫଇସଲା ହୋଇଥିବା ବେଳେ ଜୁନ୍ରେ ୩୪୦, ଜୁଲାଇରେ ୪୫୮, ଅଗଷ୍ଟରେ ୯୬୬ ଓ ସେପ୍ଟେମ୍ବରରେ ୮୪୦ ମାମଲାର ଫଇସଲା ହୋଇଥିଲା। କିନ୍ତୁ ମାମଲା ସଂଖ୍ୟା ନିୟମିତ ବଢ଼ୁଥିବାରୁ ଯେତେ ଫଇସଲା ହେଲେ ମଧ୍ୟ ଗଡ଼ୁଥିବା ମାମଲା ସଂଖ୍ୟାରେ ଏହା ସେତେଟା ପ୍ରଭାବ ପକାଇ ପାରୁନଥିଲା। ଜାନୁଆରି ମାସରେ ୩୧୬ ମାମଲା ରୁଜୁ ହୋଇଥିବା ବେଳେ ଫେବ୍ରୁଆରିରେ ୩୨୮, ମାର୍ଚ୍ଚରେ ୩୧୮, ଏପ୍ରିଲ୍ରେ ୨୭୮, ମେ'ରେ ୧୪୫, ଜୁନ୍ରେ ୨୭୬, ଜୁଲାଇରେ ୧୯୦, ଅଗଷ୍ଟରେ ୨୨୬ ଓ ସେପ୍ଟେମ୍ବରରେ ୩୩୧ ମାମଲା ରୁଜୁ ହୋଇଛି। ଅର୍ଥାତ କରୋନା କାଳରେ ମଧ୍ୟ ମାମଲା ସଂଖ୍ୟା କମିନାହିଁ।
ମାନବାଧିକାର କର୍ମୀ ଜୟନ୍ତ ଦାସଙ୍କ କହିବା ମୁତାବକ ଅନେକ ମାମଲାର ତ୍ବରିତ ଫଏସଲା ହୋଇପାରନ୍ତା ଯଦି ମାମଲାଗୁଡ଼ିକ ଭିଡିଓ କନ୍ଫରେନ୍ସିଂରେ ଶୁଣାଣି କରାଯାଆନ୍ତା। କାରଣ ଅନେକ ସମୟରେ ସାକ୍ଷୀ ଉପସ୍ଥିତ ହୋଇପାରୁ ନଥିବାରୁ ଶୁଣାଣିରେ ବିଳମ୍ବ ହେଉଛି। ଯେଉଁଗୁଡ଼ିକ ଗୁରୁତ୍ବପୂର୍ଣ୍ଣ ମାମଲା ଅଛି, ସେଗୁଡ଼ିକ କିଭଳି ତ୍ବରିତ ଫଏସଲା ହୋଇପାରିବ ସେ ବ୍ୟବସ୍ଥା କରିବା ଆବଶ୍ୟକ। ପୁଣି ଆବଶ୍ୟକତା ହେଉଛି ଡିଜିଟାଲାଇଜେସନ। କେତେକ ମାମଲା ଜାତୀୟ ମାନବାଧିକାର କମିସନରୁ ରାଜ୍ୟ କମିସନକୁ ସ୍ଥାନାନ୍ତର ହେଉଛି। ଏଠାରେ ସେହି ମାମଲାର ଗୋଟିଏ ନମ୍ବର କରିଦେଇ ସେହି ନମ୍ବର ଆଧାରରେ ଚିଠିଟିଏ ପଠାଇ ଦେଉଛନ୍ତି ଯେ ଏହି ମାମଲା ଉପରେ ନିଜର ମତ ଉପସ୍ଥାପନ କର। ଏଥିରେ ମାମଲାର ବିବରଣୀ ରହୁନାହିଁ। ବିବରଣୀ ଲେଖିବା ଯଦି ସହଜ ନୁହେଁ; ତେବେ ଡିଜିଟାଲାଇଜେସନ ଦ୍ବାରା ଏହାକୁ ସହଜ କରିହେବ। ୱେବ୍ସାଇଟ୍ ଜରିଆରେ ଏହି ନମ୍ବରକୁ ଆଧାର କରି ମାମଲାର ସମ୍ପୂର୍ଣ୍ଣ ବିବରଣୀ ରଖିହେବ। ଯେତେବେଳେ ଯିଏ ଚାହିବ ସେ ମାମଲା ସମ୍ବନ୍ଧରେ ଜାଣି ପାରିବ। ଏ ସବୁ ଉପରେ ଗୁରୁତ୍ବ ଦେଲେ ଗଡ଼ୁଥିବା ମାମଲା ସଂଖ୍ୟା କମିପାରିବ ବୋଲି ସେ କହିଛନ୍ତି।