କବାଟବନ୍ଧ : ଧର୍ମଶାଳା ବ୍ଲକ୍ ଜେନାପୁର ଅଞ୍ଚଳରେ ଗତକାଲିଠାରୁ ଝାଡ଼ାବାନ୍ତିରେ ୧୫ରୁ ଅଧିକ ଲୋକ ଆକ୍ରାନ୍ତ ହୋଇଛନ୍ତି। ଆକ୍ରାନ୍ତମାନଙ୍କୁ ପ୍ରଥମେ ଜେନାପୁର ପିଏଚ୍ସି ଓ ପରେ ଧର୍ମଶାଳା ଏବଂ ଦାନଗଦୀ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା କରାଯାଇଛି। ରବିବାର ଦିନ ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଘଟଣାସ୍ଥଳ ପରିଦର୍ଶନ କରିବା ସହ ଜଳ ନମୁନା ସଂଗ୍ରହ କରିଥିଲେ।
ସୂଚନା ମୁତାବକ, ଜେନାପୁର ପଣସପଡ଼ିଆ ଓ ପଥରଡିହସାହି ଗ୍ରାମର ସୁଶୀଳା ପ୍ରଧାନ (୭୫), ରାଜେଶ ସାହୁ (୨୮), ବିବେକ ସାହୁ (୨୧), ଦିଲୀପ ସାହୁ (୫୩), ଲକ୍ଷ୍ମୀପ୍ରିୟା ସାହୁ (୨୩), କୋଇଲି ସାହୁ (୫୦), ସାଇପ୍ରସାଦ ପ୍ରଧାନ(୧୪), ସାଇଜ୍ୟୋତି ପ୍ରଧାନ (୧୦), ଗୋବିନ୍ଦ ପ୍ରଧାନ (୫୬), ଅନିତା ପ୍ରଧାନ (୨୩), ସୌଦାମିନୀ ପ୍ରଧାନ (୫୦)ଙ୍କ ସମେତ ୧୫ରୁ ଊର୍ଦ୍ଧ୍ବ ଲୋକ ଗତ ଶନିବାର ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଥିଲେ। ସେମାନଙ୍କୁ ପ୍ରଥମେ ଜେନାପୁର ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ପରେ ଧର୍ମଶାଳା ଓ ଦାନଗଦୀ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ନିଆଯାଇଥିଲା। ସେଠାରୁ ୩ ଜଣଙ୍କୁ କଟକ ବଡ଼ ଡାକ୍ତରଖାନାକୁ ପଠାଯାଇଛି। ଅନ୍ୟମାନଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ରହିଛି। ରବିବାର ସକାଳେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ ନେତୃତ୍ବରେ ଏକ ଡାକ୍ତରୀଦଳ ଜେନାପୁରରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିବା ସହ ଜଳ ନମୁନା ସଂଗ୍ରହ କରିଥିଲେ। ଝାଡ଼ାବାନ୍ତିର କାରଣ ଜଣାପଡ଼ିନଥିଲେ ବି ଫୁଡ୍ ପଏଜନ ହୋଇଥିବା ସନ୍ଦେହ କରାଯାଉଛି। ତେବେ ଅଧିକାଂଶ ରୋଗୀ ସୁସ୍ଥ ହେଲେଣି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/05/danagadi-chc.jpg)