ଭୁବନେଶ୍ବର : ରାଜ୍ୟରେ ଗତ ୫ବର୍ଷରେ ୧୬,୩୮,୬୪୮ ନିର୍ମାଣ ଶ୍ରମିକ ଓଡ଼ିଶା କୋଠାବାଡ଼ି ଏବଂ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ ଅଧୀନରେ ପଞ୍ଜୀକୃତ ହୋଇଛନ୍ତି। ୨୦୧୯-୧୯ରେ ୪,୮୦,୪୭୫, ୨୦୧୯-୨୦ରେ ୨,୮୩,୦୬୪. ୨୦୨୦-୨୧ରେ ୩,୦୭,୧୪୦. ୨୦୨୧-୨୨ରେ ୩,୬୯,୦୬୭ ଓ ୨୦୨୨-୨୩ ଫେବ୍ରୁଆରି ପର୍ଯ୍ୟନ୍ତ ୧,୯୮,୮୦୨ଜଣ ପଞ୍ଜିକୃତ ହୋଇଥିବା ସୂଚନା ଦେଇଛନ୍ତି ଶ୍ରମ ମନ୍ତ୍ରୀ ଶ୍ରୀକାନ୍ତ ସାହୁ।
ବିଧାୟକ ସୌମ୍ୟରଂଜନ ପଟ୍ଟନାୟକଙ୍କ ଏକ ପ୍ରଶ୍ନର ଉତ୍ତରରେ ଶ୍ରୀ ସାହୁ କହିଛନ୍ତି ଯେ ବିଗତ ୫ବର୍ଷରେ ବିଭିନ୍ନ ଜିଲ୍ଲାରୁ ବାହାର ରାଜ୍ୟରେ ପ୍ରବାସୀ ଶ୍ରମିକ ନିୟୋଜନ ପାଇଁ ଅନ୍ତ ରାଜ୍ୟ ପ୍ରବାସୀ ଶ୍ରମିକ(ନିଯୁକ୍ତି ନିୟନ୍ତ୍ରଣ ଓ ସେବା ସର୍ତ୍ତାବଳୀ) ଆଇନ, ୧୯୭୯ ଅନୁଯାୟୀ ଠିକାଦାରଙ୍କୁ ଲାଇସେନ୍ସ ପ୍ରଦାନ କରାଯାଉଛି। ଗତ ୫ବର୍ଷରେ ୨୫୪୮ ଠିକାଦାରଙ୍କୁ ଲାଇସେନ୍ସ ଦିଆଯାଇଥିବା ବେଳେ ୧,୫୮,୮୨୯ ପ୍ରବାସୀ ଶ୍ରମିକ ବାହାରକୁ ଯାଇଛନ୍ତି। ଏଥିରେ ବଲାଙ୍ଗୀର, ନୂଆପଡ଼ା ଜିଲ୍ଲାର ସର୍ବାଧିକ ଶ୍ରମିକ ରହିଛନ୍ତି। ରାଜ୍ୟ ସରକାର ପ୍ରବାସୀ ଶ୍ରମିକମାନଙ୍କ ଆର୍ଥିକ ସୁରକ୍ଷା ଓ ଉନ୍ନତି ପାଇଁ ବଲାଙ୍ଗୀର, ବରଗଡ଼, କଳାହାଣ୍ଡି ଓ ନୂଆପଡ଼ା ଜିଲ୍ଲାର ୨୦ଟି ପ୍ରବାସୀ ପ୍ରବଣ ବ୍ଲକ୍ରେ ୪୭୭ ଗ୍ରାମ ପଞ୍ଚାୟତ ପାଇଁ ଏକ ସ୍ବତନ୍ତ୍ର ସହାୟତା ପ୍ୟାକେଜ କାର୍ଯ୍ୟକାରୀ କରୁଛନ୍ତି।