ଭୁବନେଶ୍ବର: ରାଜ୍ୟର ୨୬ ହଜାର ୧୭୦ ଅଙ୍ଗନବାଡ଼ି କେନ୍ଦ୍ରର ନିଜସ୍ବ କୋଠା ନାହିଁ। ୪୧ ହଜାର ୪୨୭ଟି କେନ୍ଦ୍ରର ଶୌଚାଳୟ ନଥିବା ବେଳେ ୯୮୩ଟି କେନ୍ଦ୍ରରେ ବିଶୁଦ୍ଧ ଜଳ ଯୋଗାଣ ବ୍ୟବସ୍ଥା ନାହିଁ। ଏହା ହେଉଛି ୩ ରୁ ୬ ବର୍ଷିୟ ୧୮ ଲକ୍ଷ ୭୭ ହଜାର ପିଲା ଯେଉଁ କେନ୍ଦ୍ରକୁ ଯାଉଛନ୍ତି, ତା’ର ଏଭଳି ବିକଳ ଚିତ୍ର।
ରାଜଧାନୀସ୍ଥିତ ୱାର୍ଡ ନମ୍ବର ୬୩ ଅନ୍ତର୍ଗତ ଉପରସାହି ଏବଂ ତଳସାହିରେ ଅଙ୍ଗନବାଡ଼ି କେନ୍ଦ୍ର ନଥିବାରୁ ପିଲାମାନେ ଅଙ୍ଗନବାଡ଼ି କର୍ମୀଙ୍କ ଘରେ ପଢୁଛନ୍ତି। ୱାର୍ଡ ୩୭ରେ ଭାଗବତ ଟୁଙ୍ଗିରେ ଚାଲିଛି ଅଙ୍ଗନବାଡ଼ି କେନ୍ଦ୍ର। କେବଳ ସୀମିତ ସଂଖ୍ୟକ କେନ୍ଦ୍ର ନୁହେଁ, ରାଜଧାନୀରେ ସ୍ଥିତ ଅଧିକାଂଶ ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକ ମଧ୍ୟରୁ କେଉଁଟା ଦିଦିଙ୍କ ଘରେ ତ ଆଉ କିଛି ଭାଗବତ ଟୁଙ୍ଗୀ କିମ୍ବା କେଉଁ କ୍ଲବ ଘରେ ଚାଲିଛି। ଏପରିକି ପଣ୍ଡାକୁଦିଆ ଭଳି କିଛି ସ୍ଥାନରେ ତ ଅଙ୍ଗନବାଡ଼ି କେନ୍ଦ୍ର ଥାଇ ବି ପିଲା ସେଠାରେ ପାଠ ପଢୁ ନାହାନ୍ତି। ଯଦି ରାଜଧାନୀର ସ୍ଥିତି ଏଭଳି ତେବେ ସମୁଦାୟ ରାଜ୍ୟର ଏହି ବିକଳ ଚିତ୍ର ନିଶ୍ଚିତ ଅନେକଙ୍କୁ ଆଶ୍ଚର୍ଯ୍ୟ କରିବ ନାହିଁ। ଦିଦିଙ୍କ ଘରେ କିମ୍ବା ଭଙ୍ଗା, ଦଦରା ବାସଭବନରେ ଅଙ୍ଗନବାଡ଼ି ଗୃହ ଚାଲିବା ଓଡ଼ିଶାରେ ନୂଆ ନୁହେଁ। କିନ୍ତୁ ୨୦୧୨ ମସିହା ନୟାଗଡ଼ ଜିଲ୍ଲା ରଣପୁରର ଅଙ୍ଗନବାଡ଼ି କେନ୍ଦ୍ର କାନ୍ଥ ଭୁଶୁଡ଼ି ପଡ଼ିବାରୁ ୭ ଜଣଙ୍କ ମୃତ୍ୟୁ ଘଟଣା ପରେ ଅଙ୍ଗନବାଡ଼ି କେନ୍ଦ୍ରର ସ୍ଥାୟୀ କୋଠା ନିର୍ମାଣ ପାଇଁ ସରକାର ନିଷ୍ପତ୍ତି ନେଇଥିଲେ। ଏଥିପାଇଁ ପ୍ରତିବର୍ଷ ଲକ୍ଷ୍ୟ ଧାର୍ଯ୍ୟ ହୁଏ।
ଆଜି ୧୩ ବର୍ଷ ପରେ ମଧ୍ୟ ଏତେ ସଂଖ୍ୟକ କେନ୍ଦ୍ର ନିଜସ୍ବ କୋଠା ବିନା ଚାଲୁଛି। ସେଥିରେ ପୁଣି ସର୍ବନିମ୍ନ ସୁବିଧା ଶୌଚାଳୟ ଏବଂ ପାନୀୟ ଜଳର ସୁବିଧା ନରହିବା ଆହୁରି ଆଶ୍ଚର୍ଯ୍ୟଜନକ। ରାଜ୍ୟରେ ସ୍ଥିତ ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକରେ କେବଳ ଗର୍ଭବତୀ ମହିଳା ଏବଂ ଶିଶୁମାନଙ୍କୁ ପୋଷଣଯୁକ୍ତ ଖାଦ୍ୟ ଦିଆଯାଏ ନାହିଁ, ବରଂ ୩ରୁ୬ ବର୍ଷିୟ ପିଲାମାନେ ଏଠାରେ ପାଠ ପଢ଼ନ୍ତି। ବିଭିନ୍ନ ପ୍ରକାର ସାଧାରଣ ଜ୍ଞାନ ହାସଲ କରନ୍ତି। ଏଥିପାଇଁ କେନ୍ଦ୍ର ମହିଳା ଏବଂ ଶିଶୁ କଲ୍ୟାଣ ବିଭାଗ ପକ୍ଷରୁ ଜାରି ଗାଇଡ୍ ଲାଇନ ଅନୁସାରେ, ୬୦୦ ଫୁଟ ପରିମିତ ଜମିରେ ସ୍ଥିତ ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକୁ ଶିଶୁମାନଙ୍କ ପାଇଁ ଆକର୍ଷଣୀୟ କରିବା ପାଇଁ ନିର୍ଦେଶ ରହିଛି। ଆଇସିଡିଏସ୍ ଯୋଜନା ଅନ୍ତର୍ଗତରେ ପ୍ରତି କେନ୍ଦ୍ରକୁ ୪.୫ ଲକ୍ଷ ଟଙ୍କା କେନ୍ଦ୍ର ପକ୍ଷରୁ ଦିଆଯିବାର ବ୍ୟବସ୍ଥା ରହିଛି। ଏପରିକି ମନରେଗା ଯୋଜନା ଅନ୍ତର୍ଗତରେ ମଧ୍ୟ ଅଙ୍ଗନବାଡ଼ି କେନ୍ଦ୍ର ନିର୍ମାଣ କରିବାକୁ କୁହାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/11/Anganwadi_centres.jpg)