ଭୁବନେଶ୍ବର : ରାଜ୍ୟର ଜଳସମ୍ପଦ ବିଭାଗ ଅନ୍ତର୍ଗତରେ ପରିଚାଳିତ ୧୧ଟି ଜଳସେଚନ ପ୍ରକଳ୍ପରେ ସମୁଦାୟ ୧୭ ହଜାର ୮୭୪ ଅନୁସୂଚିତ ଜନଜାତି ବିସ୍ଥାପିତ ହୋଉଛନ୍ତି। ରାଜ୍ୟସଭାର ଅଣତାରକା ପ୍ରଶ୍ନରେ ରାଜ୍ୟ ସରକାରଙ୍କ ପକ୍ଷରୁ ଏହି ସୂଚନା ଦିଆଯାଇଛି।
କେନ୍ଦୁଝର ଜିଲ୍ଲାସ୍ଥିତ କାନୁପୁର ଜଳସେଚନ ପ୍ରକଳ୍ପରେ ସର୍ବାଧିକ ୩୩୬୪, ମୟୂରଭଞ୍ଜସ୍ଥିତ ସୁବର୍ଣ୍ଣରେଖା ଜଳସେଚନ ପ୍ରକଳ୍ପ ଯୋଗୁଁ ୨୬୫୪, ବଲାଙ୍ଗୀରସ୍ଥିତ ଲୋୟର୍ ସୁକତେଲ ଜଳସେଚନ ପ୍ରକଳ୍ପରେ ୧୨୩୩, ଗଜପତି ଜିଲ୍ଲାସ୍ଥିତ ଛେଳିଗଡ଼ ଜଳପ୍ରକଳ୍ପ ଯୋଗୁଁ ୩୩୯, ଯାଜପୁରସ୍ଥିତ ରେଙ୍ଗାଲି ଜଳ ପ୍ରକଳ୍ପ ଯୋଗୁଁ ୧୩୬୮, ଢେଙ୍କାନାଳସ୍ଥିତ ରେଙ୍ଗାଲି ରାଇଟ କେନାଲ ସିଷ୍ଟମରେ ୧୧୧, କଳାହାଣ୍ଡିର ରେତ ଜଳସେଚନ ପ୍ରକଳ୍ପ ଯୋଗୁଁ ୨୮୩, ନୂଆପଡ଼ାସ୍ଥିତ ଲୋୟର ଇନ୍ଦ୍ର ପ୍ରକଳ୍ପ ଯୋଗୁଁ ୨୧୮୮, କୋରାପୁଟସ୍ଥିତ ତେଲେଙ୍ଗୀର ମଧ୍ୟମ ଜଳସେଚନ ପ୍ରକଳ୍ପରେ ୭୮୧, ମୟୂରଭଞ୍ଜ ଜିଲ୍ଲାର ଦେଓ ଜଳସେଚିତ ପ୍ରକଳ୍ପ ଯୋଗୁଁ ୨୮୯୨ ଜନଜାତି ବିସ୍ଥାପିତ ହୋଇଥିବା ଜଣାଯାଇଛି।
ତଥ୍ୟ ଅନୁଯାୟୀ, ଚମ୍ପୁଆ ଉପଖଣ୍ଡ ଅନ୍ତର୍ଗତ ବୈତରଣୀ ନଦୀରେ ନିର୍ମାଣାଧୀନ କାନୁପୁର ଜଳସେଚନ ଜଳସେଚନ ପ୍ରକଳ୍ପ ଯୋଗୁଁ ୧୬ଟି ଗାଁର ସମୁଦାୟ ୩୫୫୭ ଜନସାଧାରଣ ପ୍ରଭାବିତ ହେଉଛନ୍ତି। ୨୦୦୨ ମସିହାରେ ପ୍ଲାନିଂ କମିସନ ପକ୍ଷରୁ ଏହାର ଅନୁମୋଦନ ମିଳିଥିଲା। ମୟୂରଭଞ୍ଜ ଏବଂ ବାଲେଶ୍ବର ଜିଲ୍ଲାର ୭୦ ହଜାର ହେକ୍ଟର ଜମିରେ ଜଳସେଚନ ପାଇଁ ସୁବର୍ଣ୍ଣରେଖା ଜଳସେଚନ ପ୍ରକଳ୍ପ ନିର୍ମାଣ ହୋଇଥିଲା। ଏଥିଯୋଗୁଁ ୨୩ ହଜାର ୪୨୮ ବିସ୍ଥାପିତ ହୋଇଛନ୍ତି। ୧୯୯୪ ମସିହାରେ ବଲାଙ୍ଗୀର ଜିଲ୍ଲାର ଲୋୟରସୁକତେଲ ପ୍ରକଳ୍ପ ମଞ୍ଜୁରି ପାଇଥିଲା। ଏହି ସମୟରେ ବ୍ୟୟ ଅଟକଳ ୨୧୬ କୋଟି ଟଙ୍କା ଥିଲା। ତାହା ବର୍ତ୍ତମାନ ୧୦୪୧.୦୯ କୋଟିକୁ ବୃଦ୍ଧି ପାଇଛି। ୨୦୦୧ ମସିହାରେ ମୁଖ୍ୟମନ୍ତ୍ରୀ ଏହାର ଶିଳାନ୍ୟାସ କରିଥିଲେ। ୨୦୧୩ ମସିହା ଏପ୍ରିଲ ମାସରେ ଏହାର ନିର୍ମାଣ ଆରମ୍ଭ ହୋଇଥିଲା। ମହାନଦୀ କୂଳରେ ନିର୍ମାଣ କରାଯାଉଥିବା ଏହି ପ୍ରକଳ୍ପ ଯୋଗୁଁ ୨୯ଟି ଗାଁର ୯୨୧୨ ପରିବାର ପ୍ରଭାବିତ ଏବଂ ବିସ୍ଥାପିତ ହେଉଛନ୍ତି। ଏଥି ଜରିଆରେ ୫୧ ହଜାର ହେକ୍ଟର ଜମି ଜଳସେଚିତ ହେବା ନେଇ ଲକ୍ଷ୍ୟ ରହିଛି।
ଆରଉଦୟଗିରି ବ୍ଲକର ବଡ଼ଜୋର ନଦୀର ନିର୍ମାଣାଧୀ ଛେଳିଗଡ଼ ଜଳପ୍ରକଳ୍ପ ଯୋଗୁଁ ୪ଟି ଗାଁ ୭୮୨ ଲୋକ ପ୍ରଭାବିତ ହେଉଛନ୍ତି। ଏହା ଗଞ୍ଜାମ ଏବଂ ଗଜପତି ଜିଲ୍ଲାର ୬ ହଜାର ହେକ୍ଟର ଜମି ଜଳସେଚିତ କରିବା ନେଇ ଆଶା ରହିଛି। ବ୍ରାହ୍ମଣୀ ନଦୀରେ ନିର୍ମାଣ କରାଯାଉଥିବା ରେଙ୍ଗାଲି ଜଳସେଚନ ପ୍ରକଳ୍ପ ୧୯୮୦ ମସିହାରେ ନିର୍ମାଣ ଆରମ୍ଭ ହୋଇ ବାରମ୍ବାର ବିଳମ୍ବିତ ହୋଇଛି। ନୂଆପଡ଼ା ଜିଲ୍ଲା ତେଲନଦୀରେ ଲୋୟର ଇନ୍ଦ୍ର ଜଳସେଚନ ପ୍ରକଳ୍ପ ନିର୍ମାଣାଧୀନ ରହିଛି। ଏଥିଯୋଗୁଁ ୩୦ଟି ଗାଁର ୬୧୮୧ ବ୍ୟକ୍ତି ପ୍ରଭାବିତ ହେଉଛନ୍ତି। ଅଧିକାଂଶ ବିସ୍ଥାପିତଙ୍କୁ ଥଇଥାନ କରାଯାଇଥିଲେ ମଧ୍ୟ ଏହା ଠିକ ଭାବରେ ହୋଇନଥିବା ନେଇ ଜନଅସନ୍ତୋଷ ବଢିବାରେ ଲାଗିଛି।
ଜୟପୁର ଉପଖଣ୍ଡ ସ୍ଥିତ ତେଲେଙ୍ଗିର ନଦୀରେ ନିର୍ମାଣ କରାଯାଉଥିବା ତେଲେଙ୍ଗିର ଜଳସେଚନ ପ୍ରକଳ୍ପ ଯୋଗୁଁ ୩ଟି ଗାଁର ୧୫୭୫ ଅଧିବାସୀ ପ୍ରଭାବିତ ହୋଇଛନ୍ତି। କେବଳ ଏହି ପ୍ରକଳ୍ପ ନୁହେଁ, ଓଡ଼ିଶାରେ ଆଜି ପର୍ଯ୍ୟନ୍ତ ଯେତେ ଉନ୍ନୟନ ପ୍ରକଳ୍ପ ହୋଇଛି ଏଥିମଧ୍ୟରୁ ଅଧିକାଂଶ ଜନଜାତି ଲୋକହିଁ ବିସ୍ଥାପିତ ହୋଇଛନ୍ତି। ଏକ ରିପୋର୍ଟ ଅନୁସାରେ, ୧୯୯୫ ମସିହା ପର୍ଯ୍ୟନ୍ତ ଦେଶରେ ହୋଇଥିବା ବିଭିନ୍ନ ଉନ୍ନୟନ ପ୍ରକଳ୍ପ ଯୋଗୁଁ ୪ ଲକ୍ଷ ଆଦିବାସୀ ବିସ୍ଥାପିତ ହୋଇଥିଲେ। ଓଡ଼ିଶାରେ କୋରାପୁଟର ପରଜା, ରାୟଗଡ଼ାର କନ୍ଧ, ମାଲକାନଗିରିର କୋଣ୍ଡାଦୋରା, କଦବା, ସୁନ୍ଦରଗଡ଼ର ବିଭିନ୍ନ ସମ୍ପ୍ରଦାୟର ଆଦିବାସୀ ବିଶେଷ ଭାବରେ ବିସ୍ଥାପିତ ହେବା ସହିତ କ୍ଷତିଗ୍ରସ୍ତ ହୋଇଛନ୍ତି।