ଅକ୍ଟୋବରରେ ମିଳିବ ଅଧିକ ୧୮ଲକ୍ଷ ଡୋଜ୍, ରାଜ୍ୟରେ ତ୍ୱରାନ୍ୱିତ ହେବ କରୋନା ଟିକାକରଣ

ଭୁବନେଶ୍ବର : ଆସନ୍ତା ମାସରେ ରାଜ୍ୟରେ ଟିକାକରଣ ଆହୁରି ତ୍ବରାନ୍ବିତ ହେବ। ଚଳିତ ମାସ ତୁଳନାରେ କେନ୍ଦ୍ର ସରକାର ରାଜ୍ୟକୁ ଅଧିକ ଟିକା ଆବଣ୍ଟନ କରିଛନ୍ତି। ଅଗଷ୍ଟଠାରୁ ରାଜ୍ୟରେ ପ୍ରତି ମାସରେ ଆବଣ୍ଟିତ ଟିକାର ପରିମାଣ ବଢ଼ି ଚାଲିଛି। ତେଣୁ ଅକ୍ଟୋବରରେ ଅଧିକ ୧୮ଲକ୍ଷ ଡୋଜ୍ ଆସିବ ବୋଲି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ମିଳିଛି।

ଅକ୍ଟୋବର ପାଇଁ ସମୁଦାୟ ୭୮ଲକ୍ଷ ୩୪ହଜାର ୪୮୦ ଡୋଜ୍ ଟିକା ଆବଣ୍ଟିତ ହୋଇଛି। ଏଥିରେ ସରକାରୀ ବ୍ୟବସ୍ଥାକୁ ୬୯ଲକ୍ଷ ୧୩ହଜାର ୬୦ ଡୋଜ୍ ଓ ଘରୋଇ ହସ୍ପିଟାଲ ପାଇଁ ୯ଲକ୍ଷ ୨୧ହଜାର ୪୨୦ ଡୋଜ୍ ଟିକା ଆବଣ୍ଟିତ କରାଯାଇଛି। ସରକରୀ କ୍ଷେତ୍ରକୁ ମିଳିବାକୁ ଥିବା ଟିକାରେ ୫୬ଲକ୍ଷ ୬୫ହଜାର ୨୬୦ ଡୋଜ୍ କୋଭିସିଲ୍‌ଡ ଓ ୧୨ଲକ୍ଷ ୪୭ହଜାର ୮ଶହ କୋଭାକ୍ସିନ୍ ଏବଂ ଘରୋଇ ହସ୍ପିଟାଲ ପାଇଁ ୭ଲକ୍ଷ ୫୫ହଜାର ୪ଶହ କୋଭିସିଲ୍‌ଡ ଓ ୧ଲକ୍ଷ ୬୬ହଜାର ୨୦ ଡୋଜ୍ କୋଭାକ୍ସିନ୍ ଟିକା ରହିଛି। ରାଜ୍ୟ ସରକାର ଦୈନିକ ୪.୧୩ଲକ୍ଷ ଟିକାକରଣ ଲକ୍ଷ୍ୟ ରଖିଥିବା ବେଳେ ଅଧିକ ଡୋଜ୍ ଆସିବା ଫଳରେ ଟିକାକରଣ ଆହୁରି ତ୍ବରାନ୍ବିତ ହେବ ବୋଲି ଆଶା କରାଯାଉଛି।

ରାଜ୍ୟ ସରକାର ସମୁଦାୟ ୩.୧ କୋଟି ହିତାଧିକାରୀଙ୍କୁ ଟିକା ଦେବାକୁ ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି। ଏବେ ସୁଦ୍ଧା ୬୭ ପ୍ରତିଶତ ହିତାଧିକାରୀ ପ୍ରଥମ ଡୋଜ୍ ନେଇସାରିଲେଣି। ତେବେ ରାଜ୍ୟ ସରକାର ଏବେ ଦ୍ବିତୀୟ ଡୋଜ୍ ଟିକାକୁ ଗୁରୁତ୍ବ ଦେଉଛନ୍ତି। ଦ୍ବିତୀୟ ଡୋଜ୍ ଟିକା ନେବାକୁ ଭୁଲି ଯାଇଥିବା ହିତାଧିକାରୀଙ୍କୁ ଟିକାକରଣ କେନ୍ଦ୍ରକୁ ଆଣିବା ଲାଗି ସମ୍ମୁଖ ଯୋଦ୍ଧାଙ୍କୁ ଦାୟିତ୍ବ ଦେବା ଲାଗି ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ଚଳିତ ମାସରେ କେନ୍ଦ୍ର ସରକାର ୬୦.୧୩ ଲକ୍ଷ ଡୋଜ୍ ଟିକା ଆବଣ୍ଟିତ କରିଥିବା ବେଳେ ଏଥିରେ ୫୧ଲକ୍ଷ ୬୯ହଜାର ୨୮୦ ଡୋଜ୍ କୋଭିସିଲ୍‌ଡ ଓ ୮ଲକ୍ଷ ୪୪ ହଜାର ୪୩୦ କୋଭାକ୍ସିନ୍ ରହିଛି। ଏହା ଅଗଷ୍ଟ ମାସ ତୁଳନାରେ ଅଧିକ। ତେବେ ରାଜ୍ୟର ଘରୋଇ ହସ୍ପିଟାଲ ପାଇଁ ଯେତିକି ଟିକା ଆବଣ୍ଟିତ ହେଉଛି, ତାହାର ଯଥେଷ୍ଟ କମ୍ ଟିକା ଘରୋଇ ହସ୍ପିଟାଲମାନେ ଉଠାଉଛନ୍ତି। ଏପରିକି ଏହି ସଂଖ୍ୟା ଲକ୍ଷେ ତଳେ ରହୁଥିବା ନଜରକୁ ଆସୁଛି। ତେଣୁ ଘରୋଇ ହସ୍ପିଟାଲକୁ ମିଳିଥିବା ଟିକା କ୍ଷେତ୍ରରେ ଓଡ଼ିଶା କ୍ଷତି ସହି ଚାଲିଛି।

ଅପରପକ୍ଷରେ କେନ୍ଦ୍ର ସରକାରଙ୍କ ନିକଟରୁ ଗତ କିଛି ଦିନ ହେବ ରାଜ୍ୟକୁ ଟିକା ଆସିନାହିଁ। ଚଳିତ ମାସ ପାଇଁ ଆବଣ୍ଟିତ ହୋଇଥିବା ଟିକା ଆସିବା ବାକି ରହିଛି। ରାଜ୍ୟ ନିକଟରେ ଏବେ ୯ଲକ୍ଷ ୭ହଜାର ୪୯୯ ଡୋଜ୍ କୋଭିସିଲ୍‌ଡ ଓ ୨ଲକ୍ଷ ୨୭ହଜାର ୭୩୦ ଡୋଜ୍ କୋଭାକ୍ସିନ୍ ମହଜୁଦ ଅଛି। ରାଜ୍ୟରେ ଏବେ ଦୈନିକ ୪ଲକ୍ଷରୁ ଅଧିକ ଟିକାକରଣ କରାଯାଉଥିବାରୁ ଧାର୍ଯ୍ୟ ସମୟ ଭିତରେ ଟିକା ନ ଆସିଲେ ପୁଣି ସମସ୍ୟା ସୃ୍ଷ୍ଟି ହୋଇପାରେ। ରାଜ୍ୟ ଟିକାକରଣ ନୋଡାଲ ଅଧିକାରୀ ଡା. ବିଜୟ ପାଣିଗ୍ରାହୀ କହିଛନ୍ତି, ଲଗାତାର ଭାବେ ରାଜ୍ୟକୁ ଅଧିକ ଟିକା ଆବଣ୍ଟିତ କରାଯାଉଛି। ଆସନ୍ତା ମାସରେ ଅଧିକ ୧୮ଲକ୍ଷ ଡୋଜ୍ କେନ୍ଦ୍ର ସରକାର ଆବଣ୍ଟିତ କରିଛନ୍ତି। ତେବେ ଘରୋଇ ହସ୍ପିଟାଲକୁ ଆବଣ୍ଟିତ ହେଉଥିବା ଟିକାର ଯଥେଷ୍ଟ କମ୍ ଟିକା ସେମାନେ ଉଠାଉଛନ୍ତି। ଚଳିତମାସ ଶେଷ ହେବା ଲାଗି ଆହୁରି ସପ୍ତା‌ହେ ବାକି ଥିବାରୁ ବଳକା ଟିକା ଆସିବା ଅନୁମାନ କରାଯାଉଛି ବୋଲି ଡା. ପାଣିଗ୍ରାହୀ କହିଛନ୍ତି।

ଶୁକ୍ରବାର ରାଜ୍ୟରେ ୧୫୪୨ ଟିକାକରଣ ଅଧିବେଶନ ଅନୁଷ୍ଠିତ ହୋଇଛି। ଏଥିରେ ୩ଲକ୍ଷ ୨୦ହଜାର ୯୫୧ ହିତାଧିକାରୀ ଟିକା ନେଇଛନ୍ତି। ଏଥିରେ ୧୮-୪୪ବର୍ଗର ୧ଲକ୍ଷ ୩୮ହଜାର ୧୭୧ଡୋଜ୍ ପ୍ରଥମ, ୭୬,୩୪୨ଡୋଜ୍ ଦ୍ବିତୀୟ, ୪୫ବର୍ଷରୁ ଅଧିକ ୫୭,୯୦୪ ପ୍ରଥମ ଓ ୪୭,୪୦୮ ଦ୍ବିତୀୟ ଡୋଜ୍ ଟିକା ନେଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ୨କୋଟି ୯୪ଲକ୍ଷ ୬୫ହଜାର ୩୨୭ ଡୋଜ୍ ଟିକା ଦିଆଗଲାଣି। ରାଜ୍ୟରେ ୧୮-୪୪ବର୍ଗର ଯୋଗ୍ୟ ହିତାଧିକାରୀଙ୍କ ମଧ୍ୟରୁ ୫୯ ପ୍ରତିଶତ ଓ ୪୫ବର୍ଷରୁ ଅଧିକ ୮୦ ପ୍ରତିଶ ନିଜର ପ୍ରଥମ ଡୋଜ୍ ଟିକା ନେଇ ସାରିଲେଣି। ଆସନ୍ତାକାଲି ରାଜ୍ୟରେ ୧୨୮୬ ଟିକାକରଣ ଅଧିବେଶନ ଅନୁଷ୍ଠିତ ହେବ ବୋଲି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ସମ୍ବନ୍ଧିତ ଖବର