ଟିକା ନେବା ପରେ ସଂକ୍ରମିତ ହେଲେଣି ୧୮ହଜାରରୁ ଅଧିକ

ଭୁବନେଶ୍ବର : ରାଜ୍ୟରେ କରୋନା ଟିକା ନେବା ପରେ ୧୮,୮୦୫ଜଣ ସଂକ୍ରମିତ ହୋଇଛନ୍ତି। ଏଥିରେ ୧୦,୪୦୯ଜଣ ପ୍ରଥମ ଡୋଜ୍ ନେବା ପରେ ଓ ୮୩୬୯ଜଣ ଦ୍ବିତୀୟ ଡୋଜ୍ ନେବା ପରେ ସଂକ୍ରମିତ ହୋଇଥିବା ଜଣାପଡ଼ିଛି। ତେବେ କରୋନା ଟିକାର ଦୁଇ ଡୋଜ୍‌ ନେବାର ୧୪ଦିନ ପରେ ସଂକ୍ରମିତ(ବ୍ରେକ୍ ଥ୍ରୁ) ହୋଇଥିବା ବ୍ୟକ୍ତିଙ୍କ ସଂଖ୍ୟା ରହିଛି ୫୦୩୯। ଭୁବନେଶ୍ବରରେ ୧୭୦୫ଜଣ ବ୍ରେକ ଥ୍ରୁ ସଂକ୍ରମଣର ଶିକାର ହୋଇଛନ୍ତି। ତହିଁରୁ ୨୫୨୭ଜଣ ଦ୍ବିତୀୟ ଡୋଜ୍ ନେଇଥିବା ବେଳେ ୧୮୯୦ଜଣ ପ୍ରଥମ ଡୋଜ୍ ନେବା ପରେ ସଂକ୍ରମିତ ହୋଇଛନ୍ତି। ତେବେ ରାଜଧାନୀରେ ଗତ କିଛିଦିନ ଭିତରେ ପଜିଟିଭ୍ ଚିହ୍ନଟ ହୋଇଥିବା ୪୦ ପ୍ରତିଶତ ବ୍ୟକ୍ତି ଦୁଇ ଡୋଜ୍ ଟିକା ନେଇଥିବା ନଜରକୁ ଆସିଛି। ଯାହାକି ପ୍ରଶାସନର ଚିନ୍ତା ବଢ଼ାଇ ଦେଇଛି।

ଅପରପକ୍ଷରେ ବରଗଡ଼ ଜିଲ୍ଲାରେ ଟିକା ନେବା ପରେ ସଂକ୍ରମିତଙ୍କ ସଂଖ୍ୟା କମ୍ ରହିଛି। ଜିଲ୍ଲାରେ ପ୍ରଥମ ଡୋଜ୍ ପରେ ୫ଜଣ ଓ ଦ୍ବିତୀୟ ଡୋଜ୍ ପରେ ୪୨ଜଣ ଚିହ୍ନଟ ହୋଇଛନ୍ତି। ନୂଆପଡ଼ାରେ ପ୍ରଥମ ପରେ ୪ ଓ ଦ୍ବିତୀୟ ପରେ ୬୨ଜଣ ଓ କେନ୍ଦୁଝରରେ ପ୍ରଥମ ପରେ ୯ ଓ ଦ୍ବିତୀୟ ଡୋଜ୍ ପରେ ୧୧୧ଜଣ ଆକ୍ରାନ୍ତ ହୋଇଛନ୍ତି। ମୟୂରଭଞ୍ଜ ଜିଲ୍ଲାରେ ସର୍ବାଧିକ ୬୨୧ ବ୍ରେକ୍‌ ଥ୍ରୁ ସଂକ୍ରମଣ ନଜରକୁ ଆସିଛି। ଏହାବାଦ୍ ମାଲକାନାଗିରିରେ ୩୨୨, ପୁରୀ ୨୫୫, କନ୍ଧମାଳରେ ୨୪୫ଜଣ କ‌ରୋନାରେ ସଂକ୍ରମିତ ହୋଇଛନ୍ତି। ହେଲେ ବାଲେଶ୍ବରରେ ମାତ୍ର ୪, ନବରଙ୍ଗପର ୬, ଅନୁଗୁଳ ୮ ଓ ସୋନପୁରରେ ୧୧ଜଣ ବ୍ରେକ୍‌ ଥ୍ରୁ ସଂକ୍ରମଣ ହୋଇଛନ୍ତି।

ତେବେ ସ୍ବାସ୍ଥ୍ୟ ବିଭାଗର ଅଧିକାରୀଙ୍କ ମତରେ ରାଜ୍ୟରେ ପ୍ରଥମ ଡୋଜ୍ ନେଇଥିବା ‌ଲୋକଙ୍କ ଭିତରେ ୦.୦୯ ପ୍ରତିଶତ ଓ ଦ୍ବିତୀୟ ଡୋଜ୍ ପରେ ୦.୨୫ ପ୍ରତିଶତ ଲୋକ ସଂକ୍ରମିତ ହୋଇଛନ୍ତି। ମାତ୍ର ରାଜ୍ୟରେ କରୋନା ଟିକା ନେବା ପରେ ଯେଉଁ ବ୍ୟକ୍ତିମାନେ ସଂକ୍ରମିତ ହୋଇ ରାଜ୍ୟ ବାହାରେ ପ୍ରାଣ ହରାଇଛନ୍ତି ସେମାନଙ୍କ ତଥ୍ୟ ରାଜ୍ୟ ସରକାରଙ୍କ ନିକଟରେ ନାହିଁ।

ସମ୍ବନ୍ଧିତ ଖବର