ଭୁବନେଶ୍ବର: କରୋନା ପରିସ୍ଥିତିରେ ରାଜ୍ୟର ଔଷଧ ଦୋକାନଗୁଡ଼ିକରେ ଥଣ୍ଡା, ଜ୍ବର ଔଷଧର ବିକ୍ରି ବୃଦ୍ଧି ପାଇଛି। ଗତ ମେ’ ଓ ଜୁନ୍ ମାସରେ ରାଜ୍ୟରେ ୧ଲକ୍ଷ ୨୦ ହଜାରରୁ ଅଧିକ ଲୋକ ଏହି ଔଷଧ ନେଇଛନ୍ତି। ଜୁଲାଇ ମାସରେ ଏହି ସଂଖ୍ୟା ଜୁନ୍‌ଠାରୁ ଅଧିକ ବୋଲି କୁହାଯାଉଛି। ରାଜ୍ୟର ଅନେକ ସ୍ଥାନରେ କରୋନା ଲକ୍ଷଣ ଥିବା ଲୋକମାନେ ଭୟରେ ପରୀକ୍ଷା କରିବା ପରିବର୍ତେ ଥଣ୍ଡା, ଜ୍ବର ଔଷଧ ଖାଇ ଘରେ ରହୁଥିବା ନଜରକୁ ଆସୁଛି। ତେଣୁ ଲକ୍ଷାଧିକ ଲୋକଙ୍କ ମଧ୍ୟରୁ କେତେଜଣଙ୍କ ଏହି ପରୀକ୍ଷା ହୋଇଛି, ତାହା ସ୍ପଷ୍ଟ ହୋଇପାରି ନାହିଁ।

Advertisment

କରୋନା ଲକ୍ଷଣ ଥିବା ଲୋକମାନେ ପରୀକ୍ଷା ପାଇଁ ଆଗେଇ ଆସୁ ନ ଥିବାରୁ ରାଜ୍ୟ ସରକାର ଔଷଧ ଦୋକାନୀମାନଙ୍କୁ ଥଣ୍ଡା, ଜ୍ବର ଔଷଧ ନେଉଥିବା ଲୋକମାନଙ୍କ ଠିକଣା ସଂଗ୍ରହ କରିବା ଲାଗି ନିର୍ଦେଶ ଦେଇଥିଲେ। ଫଳରେ ଯଦି କୌଣସି ବ୍ୟକ୍ତିଙ୍କୁ ନେଇ ସନ୍ଦେହ ଉପୁ‌ଜେ, ତାହାଲେ ସେମାନଙ୍କ ପରୀକ୍ଷା ହୋଇପାରିବ। ସୂଚନା ଅନୁସାରେ, ଗତ ମେ’ ମାସରେ ୪୮ ହଜାରୁ ଅଧିକ ଓ ଜୁନ୍ ମାସରେ ୭୨ ହଜାରରୁ ଅଧିକ ଲୋକ ଥଣ୍ଡା, ଜ୍ବର ଔଷଧ ନେଇଛନ୍ତି। ଜୁଲାଇରେ ମଧ୍ୟ ଏହି ସଂଖ୍ୟା ଆହୁରି ଅଧିକ ହେବ ବୋଲି କୁହାଯାଉଛି। ରାଜ୍ୟରେ ୨୫ ହଜାରରୁ ଅଧିକ ଔଷଧ ଦୋକାନ ରହିଥିବା ବେଳେ ସବୁ ଔଷଧ ଦୋକାନରୁ ତଥ୍ୟ ସଂଗ୍ରହ କରିବା କଷ୍ଟକର। ଏହାସହ ଅନେକ ମଧ୍ୟ ଔଷଧ ଦୋକାନରେ ନିଜର ଠିକ୍‌ ଠିକଣା ଦେଇ ନ ଥିବା ମଧ୍ୟ ନଜରକୁ ଆସିଛି। ତେଣୁ ୨ମାସରେ ଏହି ସଂଖ୍ୟା ୧ଲକ୍ଷ ୨୦ ହଜାର ବଦଳରେ ବହୁତ ଅଧିକ ହେବ ବୋଲି ଜଣାପଡ଼ିଛି।

publive-image Mumbai Live

ମୌସୁମୀ ସମୟରେ ସାଧାରଣତଃ‌ ଲୋକମାନେ ଥଣ୍ଡା, ଜ୍ବରରେ ଆକ୍ରାନ୍ତ ହୋଇଥାନ୍ତି। ତେଣୁ ଔଷଧ ଦୋକାନରୁ ଏଥିପାଇଁ ଔଷଧ ନେବା ଏକ ସାଧାରଣ ଘଟଣା। ରାଜ୍ୟରେ ଏଭଳି ଅନେକ କରୋନା ପଜିଟିଭ୍ ବ୍ୟକ୍ତିଙ୍କ ଉଦାହରଣ ରହିଛି, ଯେଉଁମାନେ ଥଣ୍ଡା, ଜ୍ବର ପାଇଁ ଔଷଧ ଦୋକାନରୁ ଔଷଧ ନେଇ ଖାଇଥିଲେ। ମାତ୍ର ଭଲ ନ ହେବାରୁ କୋଭିଡ୍‌ ପରୀକ୍ଷାରେ ସଂକ୍ରମିତ ଥିବା ନଜରକୁ ଆସିଛନ୍ତି। ମାତ୍ର ରାଜ୍ୟରେ ଯେଉଁଭଳି ଭାବେ କରୋନା ବ୍ୟାପି ଚାଲିଛି, ଏଭଳି ପରିସ୍ଥିତିରେ ଥଣ୍ଡା, ଜ୍ବର ଔଷଧ ନେଇଥିବା ଲୋକ ସ୍ବାଭାବିକ ଭାବେ ସନ୍ଦେହ ଘେରକୁ ଆସିଛନ୍ତି।
ସ୍ବାସ୍ଥ୍ୟ ବିଭାଗର ମୁଖପାତ୍ର(ବୈଷୟିକ) ଡା. ଜୟନ୍ତ ପଣ୍ଡା କହିଛନ୍ତି, ମୌସୁମୀ ଓ ଶୀତ ଋତୁରେ ଲୋକମାନେ ସାଧାରଣ ଭାବେ ଥଣ୍ଡା, ଜ୍ବରରେ ପଡ଼ିବା ସ୍ବାଭାବିକ। କୋଭିଡ୍‌ ଲଢ଼େଇରେ ଆଗରେ ଥିବା ବ୍ୟକ୍ତି, ହଟ୍‌ସ୍ପଟ୍‌ ଅଞ୍ଚଳକୁ ଗସ୍ତ କରିଥିବା, ପଜିଟିଭ୍ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିମାନେ ଓ କୋଭିଡ୍‌ ଲକ୍ଷଣ ଥିବା କାଶ, ଜ୍ବର, ଛାତିରେ ଯନ୍ତ୍ରଣା ଥିବା ବ୍ୟକ୍ତିଙ୍କ ହିଁ କୋଭିଡ୍‌ ପରୀକ୍ଷା କରାଯିବା ନେଇ ଗୁରୁତ୍ବ ଦିଆଯାଉଛି। ସାଧାରଣ ଥଣ୍ଡା, ଜ୍ବର ପାଇଁ ଔଷଧ ଦୋକାନରେ ଉପଲବ୍ଧ ଔଷଧରେ ସାଧାରଣ ଭାବେ ଭଲ ହୋଇଯାଏ। ତେଣୁ ସବୁ ଥଣ୍ଡା, ଜ୍ବର ରୋଗୀ ଯେ କରୋନାରେ ଆକ୍ରାନ୍ତ, ସେଭଳି ପରିସ୍ଥିତି ରାଜ୍ୟରେ ଆସିନାହିଁ। ଏପରିକି ସମସ୍ତଙ୍କୁ କୋଭିଡ୍‌ ପରୀକ୍ଷା କରାଯାଇ ପାରିବ ନାହିଁ। ଆଇସିଏମ୍‌ଆର ନିର୍ଦେଶାବଳି ମଧ୍ୟ ଏଥିପାଇଁ ଆସିନାହିଁ। ଔଷଧ ନେଇଥିବା ସବୁ ରୋଗୀଙ୍କ କୋଭିଡ୍‌ ପରୀକ୍ଷା ମଧ୍ୟ ଫଳପ୍ରଦ ହେବ ନାହିଁ ବୋଲି ଡା. ପଣ୍ଡା କହିଛନ୍ତି।