ଚାକିରି ଆଳରେ ୨୫ଲକ୍ଷରୁ ଊର୍ଦ୍ଧ୍ବ ଠକେଇ, ପୁଲିସ ପଞ୍ଝାରେ ୫ ନକଲି ସାମ୍ବାଦିକ

ସେମିଳିଗୁଡା: ମାତ୍ର ୪୦ହଜାର ଟଙ୍କା ଦେଲେ ବଡ଼ ଘରୋଇ ତଥା ସରକାରୀ କଂପାନିରେ ଚାକିରି। ଭଲ ଦରମା ସହ ଅନ୍ୟାନ୍ୟ ସୁବିଧା ମିଳିବ ବୋଲି ପ୍ରଲୋଭନର ଜାଲ ବିଛାଇଥିଲେ। ଚାକିରି ଆଳରେ ୨୫ ଲକ୍ଷଟଙ୍କା ଠକି ନେବାପରେ ୫ଜଣ ନକଲି ସାମ୍ବାଦିକ ପୁଲିସ୍‌ ହାତରେ ଧରାପଡ଼ିଛନ୍ତି। ସୂଚନା ଅନୁଯାୟୀ, ରାୟଗଡ଼ା ସହରର ସୁଧୀର କୁମାର ଚୌଧୁରୀ ଏବଂ ତାଙ୍କ ପୁଅ ସନ୍ତୋଷ କୁମାର ଚୌଧୁରୀ ଗୋଟିଏ ଜାଲି ସଂସ୍ଥା ଖୋଲିଥିଲେ। ଏହି ସଂସ୍ଥା ବିଭିନ୍ନ କଂପାନିରେ ନିଯୁକ୍ତି ଦେଉଥିବା ନେଇ ପୋଷ୍ଟର ତଥା ବ୍ୟାନର ବହୁସ୍ଥାନରେ ଲଗାଇଥିଲେ। ଏପରିକି ବିଭିନ୍ନ ମାଧ୍ୟମରେ ନିଜ ସଂସ୍ଥାର ବିଜ୍ଞାପନ ‌ଦେଇ ଶିକ୍ଷିତ ବେକାରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। କୋରାପୁଟ ଜିଲ୍ଲାର ପ୍ରାୟ ୭୦ଜଣ ଶିକ୍ଷିତ ବେକାର ଏହି ସଂସ୍ଥାର ଜାଲ୍‌ରେ ଫସି ଯୋଗାଯୋଗ କରିଥିଲେ। ସେମାନଙ୍କୁ ନିଜ ଜିଲ୍ଲାରେ ତଥା ଦାମନଯୋଡ଼ିର ନାଲକୋ ଏବଂ ସୁନାବେଡ଼ାର ହାଲ୍‌ରେ ନିଯୁକ୍ତି ମିଳିଯିବ ବୋଲି ପ୍ରତିଶ୍ରୁତି ଦିଆଯାଇଥିଲା। ବଦଳରେ ପ୍ରତ୍ୟେକ ପ୍ରାର୍ଥୀଙ୍କ ଠାରୁ ୪୦ହଜାର ଟଙ୍କା ଲେଖାଏଁ ଆଦାୟ ହୋଇଥିଲା। ପ୍ରତିଶ୍ରୁତି ମୁତାବକ ୩ଜଣ ଯୁବକଙ୍କୁ ନାଲ୍‌କୋର ନକଲି ନିଯୁକ୍ତି ପତ୍ର ଏବଂ ଗେଟ୍‌ ପାସ୍‌ ମଧ୍ୟ ଦେଇଥିଲେ। ନିର୍ଦ୍ଧାରିତ ଦିନ ସେମାନେ ନାଲକୋରେ ଯୋଗଦେବାକୁ କୁହାଗଲା। ସେହି ଅନୁସାରେ ଯୁବକମାନେ ନକଲି ନିଯୁକ୍ତି ପତ୍ର ଏବଂ ଗେଟ୍‌ ପାସ୍‌ ନେଇ ନାଲ୍‌କୋ କାର୍ଯ୍ୟାଳୟରେ ପହଞ୍ଚିଥିଲେ। ତେବେ ମୁଖ୍ୟ ଫାଟକର ସୁରକ୍ଷା କର୍ମୀ ଗେଟ୍‌ ପାସ୍‌ ଗୁଡ଼ିକୁ ଯାଞ୍ଚ କରିବା ସମୟରେ ସନ୍ଦେହ କରିଥିଲେ। ତୁରନ୍ତ ପୁଲିସକୁ ଖବର ଦେବାରୁ ସଂପୃକ୍ତ ଯୁବକଙ୍କୁ ପଚରାଉଚୁରା ଆରମ୍ଭ ହୋଇଥିଲା। ଏହାପରେ ନକଲି ନିଯୁକ୍ତି ରୢାକେଟ୍‌ ଉପରୁ ପରଦା ଉଠିଥିଲା।

ଘଟଣା ସମ୍ବେଦନଶୀଳ ହୋଇଥିବାରୁ ପୁଲିସ ଚେର ପର୍ଯ୍ୟନ୍ତ ପହଞ୍ଚିବାକୁ ବଡ଼ ଯୋଜନା ପ୍ରସ୍ତୁତ କରିଥିଲା। ସୁନାବେଡ଼ା ଏସ୍‌ଡିପିଓ ମନୋଜ ବେହେରାଙ୍କ ତତ୍ତ୍ବାବଧାନରେ ଦାମନଯୋଡ଼ି, ସୁନାବେଡ଼ା ସମେତ ତିନୋଟି ଥାନାର ଅଧିକାରୀଙ୍କୁ ନେଇ ଗୋଟିଏ ଟିମ୍‌ ଗଠନ ‌ହେଇଥିଲା। ଏହି ଟିମ୍‌ ତଦନ୍ତ ପ୍ରକ୍ରିୟାକୁ ତ୍ବରାନ୍ବିତ କରି ସେମିଳିଗୁଡାର ଏକ ହୋଟେଲରୁ ୩ଜଣଙ୍କୁ ଗିରଫ କରିଥିଲା। ପରବର୍ତ୍ତୀ ସମୟରେ ଆଉ ଦୁଇ ଜଣଙ୍କୁ ଗିରଫ କରିଥିଲା। ସେମାନଙ୍କ ଠାରୁ ସମ୍ବାଦିକ ପରିଚୟ ପତ୍ର ମିଳିଥିବା ବେଳେ ୫୫ଟି ନକଲି ଗେଟ୍‌ ପାସ୍‌ ବାହାରିଥିଲା। ଗିରଫ ବ୍ୟକ୍ତିମାନେ ହେଲେ; ରାୟଗଡ଼ାର ବାପା-ପୁଅ ସୁଧୀର ଏବଂ ସନ୍ତୋଷ ସହ ଭୁବନେଶ୍ବର ଗ୍ରିନ୍‌ ହାଇ ଆପାର୍ଟମେଣ୍ଟରେ ରହୁଥିବା ସନ୍ତୋଷ କୁମାର ବରାଡ, ଭୁବନେଶ୍ବର ଝାରପଡାର କମଳ ଲୋଚନ ମହାନ୍ତି, ଯାଜପୁର ଜିଲ୍ଲା ବରୀ ରାମଚନ୍ଦ୍ରପୁରର ଅଭିମନ୍ୟୁ ମିଶ୍ର।

ସମ୍ବନ୍ଧିତ ଖବର