ଆସିଲା ୨ଲକ୍ଷରୁ ଅଧିକ ‘କୋଭିସିଲ୍‌ଡ’, ୧୮-୪୪ବର୍ଗ ପାଇଁ ଦୂର ହେଲା ଟିକା ସଂକଟ

ଭୁବନେଶ୍ବର : ରାଜ୍ୟରେ ୧୮-୪୪ବର୍ଗର ଲୋକଙ୍କ ଟିକାକରଣ ବ୍ୟାଘାତ ହେବା ନେଇ ରହିଥିବା ଆଶଙ୍କା ଦୂର ହୋଇଛି। ରାଜ୍ୟରେ ଆଜି ୨ଲକ୍ଷ ୨୯ହଜାର ଡୋଜ୍ ‘କୋଭିସିଲ୍‌ଡ’ ଟିକା ଆସିଛି। ଫଳରେ ଭୁବନେଶ୍ବର ବାଦ୍ ୪ ମ୍ୟୁନିସିପାଲଟି ଓ ୬ ଜିଲ୍ଲାରେ ଟିକାକରଣ ପୂର୍ବଭଳି ସ୍ବାଭାବିକ ହେବ ବୋଲି ଆଶା କରାଯାଉଛି। ଆସନ୍ତାକାଲି ରବିବାର ସତ୍ବେ ରାଜ୍ୟରେ ୬୭ଟିକାକରଣ ଅଧିବେଶନ ଅନୁଷ୍ଠିତ ହେବ। ଗଞ୍ଜାମ, କଳାହାଣ୍ଡି, ପୁରୀ ଓ ସୁନ୍ଦରଗଡ଼ରେ ଟିକାକରଣ କରାଯିବ। ସୋମବାର ଦିନ ୬୫୪ ଟିକାକରଣ ଅଧିବେଶନ ଅନୁଷ୍ଠିତ ହେବ ବୋଲି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ରାଜ୍ୟ ସରକାରଙ୍କ ନିକଟରେ ଆଜି ପାଇଁ ମାତ୍ର ୨ହଜାରରୁ ଅଧିକ ‘କୋଭିସିଲ୍‌ଡ’ ଟିକା ମହଜୁଦ ରହିଥିଲା। ଏ ଦୃଷ୍ଟରୁ ଆସନ୍ତା ସୋମବାରରୁ ୧୮-୪୪ବର୍ଗର ଟିକାକରଣ ବାଧାପ୍ରାପ୍ତ ନେଇ ଆଶଙ୍କା ସୃଷ୍ଟି ହୋଇଥିଲା। ମାତ୍ର ଆଜି ୨ଲକ୍ଷ ୨୭ହଜାର ୭୫୦ ଡୋଜ୍ ଟିକା କମ୍ପାନି ଦେଇଥିବା ଧାର୍ଯ୍ୟ ତାରିଖରୁ ଆଗୁଆ ରାଜ୍ୟରେ ପହଞ୍ଚିଛି। ତେଣୁ ରାଜ୍ୟରେ ପୂର୍ବଭଳି ୧୮-୪୪ବର୍ଗଙ୍କ ଟିକାକରଣ ଜାରି ରହିବା ନେଇ ସ୍ପଷ୍ଟ ହୋଇଛି। ମାତ୍ର ରାଜଧାନୀ‌ରେ ଦିଆଯାଉଥିବା ‘କୋଭାକ୍ସିନ୍’ର ମାତ୍ର ୨୦୮୦ ଡୋଜ୍ ରାଜ୍ୟ ସରକାରଙ୍କ ନିକଟରେ ମହଜୁଦ ରହିଛି। ଏ ଦୃଷ୍ଟିରୁ ଭୁବନେଶ୍ବରରେ କେବଳ ପ୍ରଥମ ଡୋଜ୍ ଟିକା ଦିଆଯାଉଛି।

ଅପରପକ୍ଷରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ୪୫ବର୍ଷରୁ ଅଧିକ ଲୋକଙ୍କ ପାଇଁ ଆସିଥିବା ‘କୋଭାକ୍ସିନ୍’ର ବଳକା ଟିକା ୧୮-୪୪ବର୍ଗ କ୍ଷେତ୍ରରେ ବ୍ୟବହାର କରିବା ଲାଗି ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କ ଅନୁମତି ଲୋଡ଼ିଛନ୍ତି। ମାତ୍ର କେନ୍ଦ୍ରରୁ କୌଣସି ଉତ୍ତର ମିଳିନାହିଁ। କେନ୍ଦ୍ରରୁ ଓଡ଼ିଶାରୁ ଆସିଥିବା ‘କୋଭାକ୍ସିନ୍’ର ୪ଲକ୍ଷ ୫୨ହଜାର ୮୪୦ ଡୋଜ୍ ଟିକା ମହଜୁଦ ରହିଛି। ଏହାସହ ଆସନ୍ତା ୭ତାରିଖରେ ମଧ୍ୟ ରାଜ୍ୟ ସରକାର ଭାରତ ବାୟୋଟେକ୍‌ଠାରୁ କିଣିଥିବା ଟିକା ମଧ୍ୟ ଓଡ଼ିଶାରେ ପହଞ୍ଚିବ ବୋଲି ଆଶା କରାଯାଉଛି। ରାଜ୍ୟରେ ଆଜି ୭୩୬ ଟିକାକରଣ ଅଧିବଶେନରେ ୮୦,୭୮୩ଜଣଙ୍କୁ କରୋନା ଟିକା ଦିଆଯାଇଛି। ଏଥିରେ ୧୮-୪୪ବର୍ଗର ୫୬୨୯ଜଣ ପ୍ରଥମ ଓ ୭୭୪ଜଣ ଦ୍ବିତୀୟ ଡୋଜ୍ ଟିକା ନେଇଛନ୍ତି। ସେହିପରି ୪୫ବର୍ଷରୁ ଅଧିକ ୬୭,୩୫୬ଜଣ ପ୍ରଥମ ଓ ୪୪୮୧ଜଣ ଦ୍ବିତୀୟ ଡୋଜ୍ ଟିକା ଦିଆଯାଇଛି। ରାଜ୍ୟରେ ଏ ପର୍ଯ୍ୟନ୍ତ ୭ଲକ୍ଷ ୭୦ହଜାର ୬୯୩ଜଣ ୧୮-୪୪ବର୍ଗର ପ୍ରଥମ ଓ ୨୫୮୦ଜଣ ଦ୍ବିତୀୟ ଡୋଜ୍ ନେଇ ସାରିଛନ୍ତି। ସେହିପରି ପଞ୍ଜୀକୃତ ହୋଇଥିବା ସ୍ବାସ୍ଥ୍ୟକର୍ମୀଙ୍କ ମଧ୍ୟରୁ ୯୯ ପ୍ରତିଶତ ପ୍ରଥମ ଓ ୮୯ ପ୍ରତିଶତ ଦ୍ବିତୀୟ ଡୋଜ୍ ଟିକା ନେଇଛନ୍ତି। ଆଗଧାଡ଼ିର ଯୋଦ୍ଧାଙ୍କ ମଧ୍ୟରେ ୧୩୧ ପ୍ରତିଶତ ପ୍ରଥମ ଓ ୯୪ ପ୍ରତିଶତ ଦ୍ବିତୀୟ ଡୋଜ୍ ଟିକା ନେଇ ସାରିଲେଣି। ରାଜ୍ୟରେ ସମୁଦାୟ ଟିକାକରଣ ୮୧ଲକ୍ଷ ୮୪ହଜାର ୩୩୪କୁ ବୃଦ୍ଧି ପାଇଛି।

ସମ୍ବନ୍ଧିତ ଖବର