ମଣ୍ଡି ଅପେକ୍ଷାରେ ବରଗଡ଼ର ଚାଷୀ, ୨୦ ଲକ୍ଷ କ୍ବିଣ୍ଟାଲ ଧାନ ଖୋଲା ବଜାରକୁ ଆସିବ

ବରଗଡ଼: ଗତ ଖରିଫ ଭଳି ଚଳିତ ରବି ଚାଷରେ ବି ବରଗଡ଼ ଜିଲ୍ଲାର ଚାଷୀଙ୍କ ୧୦ଲକ୍ଷ କ୍ବିଣ୍ଟାଲରୁ ଅଧିକ ଧାନ ବଳିଯିବା ଆଶଂକା ରହିଛି। ଖୋଦ୍‌ ଚାଷୀମାନେ ଏହି ଆକଳନ କରିଛନ୍ତି। ଏଥିପାଇଁ ବଳିଷ୍ଠ ଯୁକ୍ତି ବି ରହିଛି। ପ୍ରଥମତଃ ଜିଲ୍ଲାରେ କେଉଁ ଋତୁରେ କେତେ ଜମିରେ କେତେ ଧାନ ଚାଷ ହେଲା, ତାହାର ହିସାବ କାହାରି ପାଖରେ ନାହିଁ। ଦ୍ବିତୀୟତଃ, ରାଜ୍ୟ ସରକାର ଯେତିକି ଧାନ କିଣା ଟାର୍ଗେଟ ନିର୍ଦ୍ଧାରଣ କରିଛନ୍ତି, ସେହି ହିସାବରେ ରବି ଫସଲ ପାଇଁ ଟାର୍ଗେଟ ଅତି କମ୍‌ ରହିବ। ସୂଚନା ମୁତାବକ, ରାଜ୍ୟ ପାଇଁ ୨୦୨୧-୨୨ ଆର୍ଥିକ ବର୍ଷରେ ମୋଟ୍‌ ୭୭ଲକ୍ଷ ମେଟ୍ରିକ୍‌ ଟନ୍‌ ଧାନ କିଣା ଟାର୍ଗେଟ ନିର୍ଦ୍ଧାରଣ କରାଯାଇଥିଲା। ଏଥିରୁ ଗତ ଖରିଫରେ ୬୩ ଲକ୍ଷ ମେଟ୍ରିକ୍‌ ଟନ୍‌ ଟାର୍ଗେଟ୍‌ ରହିଥିଲା। କିନ୍ତୁ କିଣା ହେଲା ମାତ୍ର ୫୭ ଲକ୍ଷ ମେଟ୍ରିକ୍‌ ଟନ୍‌।

ଏହି ଆଧାରରେ ରବି ପାଇଁ ପର୍ଯ୍ୟାପ୍ତ ଟାର୍ଗେଟ୍‌ ରଖି ଧାନ କିଣିବା କଥା। କିନ୍ତୁ ଏଥର ରବି ପାଇଁ ଟାର୍ଗେଟ୍‌ ରହିଛି ମାତ୍ର ୧୪ ଲକ୍ଷ ମେଟ୍ରିକ୍‌ ଟନ୍‌। ଓଡ଼ିଶାର ଭାତହାଣ୍ଡି କହାଯାଉଥିବା ବରଗଡ଼ ଜିଲ୍ଲାରେ ଏଥର ସ୍ଥିତି ଗତବର୍ଷ ତୁଳନାରେ ଆହୁରି ଭୟଙ୍କର ରୂପ ଧାରଣ କରିବାକୁ ଯାଉଛି। କାରଣ ଜିଲ୍ଲା‌ରେ ପ୍ରତି ବର୍ଷ ଧାନ ସଂଗ୍ରହ ପରିମାଣ କମି କମି ଯାଉଛି। ୨୦୨୦ ରବିରେ ଜିଲ୍ଲାରେ ୫୭ଲକ୍ଷ କ୍ବିଣ୍ଟାଲ ଧାନ ସଂଗ୍ରହ ହୋଇଥିଲା। ଯାହା ୨୦୨୧ରେ ଖସି ୫୨ ଲକ୍ଷ କ୍ବିଣ୍ଟାଲକୁ ପହଂଚିଥିଲା। ଯଦି ରାଜ୍ୟ ସାରା ଟାର୍ଗେଟ୍‌ କଥା ଚିନ୍ତା କରାଯାଏ, ତେ‌ବେ ବରଗଡ଼ରେ ଗତବର୍ଷ ତୁଳନାରେ ଆହୁରି କମ୍‌ ଧାନ ସଂଗ୍ରହ ହେବ। ଚାଷୀଙ୍କ ଆକଳନ ହେଲା, ୨୦ ପ୍ରତିଶତ ଟାର୍ଗେଟ୍‌ ବୃଦ୍ଧି କରା ନଗଲେ ଜିଲ୍ଲାରେ ୨୦ଲକ୍ଷ କ୍ବିଣ୍ଟାଲ ଧାନ କିଣା ହୋଇପାରିବ ନାହିଁ। ଫଳରେ ଚାଷୀମାନେ ସ୍ବଳ୍ପ ଦରରେ ଧାନ ବିକିବାକୁ ବାଧ୍ୟ ହେବେ।

ସରକାରୀ ନଥିପତ୍ରରେ କହାଯାଇଛି ଯେ ଏଥର ବରଗଡ଼ରେ ୭୦ହଜାର ହେକ୍ଟରରେ ରବି ଧାନ ଚାଷ ହୋଇଛି। କିନ୍ତୁ ଏଠାକାର ଚାଷୀଙ୍କ ପରିସଂଖ୍ୟାନଭିତ୍ତିକ ତଥ୍ୟ ହେଲା, ଜିଲ୍ଲାରେ କେବଳ ବିଜୁ କୃଷକ ‌କଲ୍ୟାଣ ଯୋଜନାରେ ୨୬୮୦୮ ବୋର୍‌ୱେଲ୍‌ ରହିଛି। ଗୋଟିଏ ବୋରୱେଲ୍‌ରେ ୨.୫ ହେକ୍ଟର ଜମିରେ ଚାଷ ହେଉଛି। ଅର୍ଥାତ କେବଳ ବିଜୁ କୃଷକ ‌କଲ୍ୟାଣ ଯୋଜନାରେ ହିଁ ୬୫ ହଜାର ହେକ୍ଟର ଜମିରେ ରବି ଧାନ ଚାଷ ହାଇଛି। ହୀରାକୁଦ ସେଚାଞ୍ଚଳରେ ୫୪ହଜାର ହେକ୍ଟର ଧାନ ଚାଷ ହୋଇଛି। ଏହାବାଦ୍‌ ଛୋଟମୋଟ ଡ୍ୟାମ୍‌ରୁ ପୁଣି ୫ହଜାର ହେକ୍ଟର ପାଖାପାଖି ଜମିରେ ରବିଧାନ ଚାଷ ଚାଲିଛି। ମୋଟାଭୋଟି ଭାବେ ୧.୨୦ ଲକ୍ଷ ହେକ୍ଟର ଜମିରେ ଧାନ ଚ‌ାଷ ହୋଇଛି। ଯାହା ସରକାରୀ ତଥ୍ୟ ତୁଳନାରେ ୫୦ହଜାର ହେକ୍ଟର ଅଧିକ। ଏଥର ବମ୍ପର ଉତ୍ପାଦନ ହୋଇଥିବା ବେଳେ କମ୍ ଟାର୍ଗେଟ୍‌ ମିଳିବା ନିଶ୍ଚିତ ଭାବେ ଚାଷୀଙ୍କ ଚିନ୍ତା ଦ୍ବିଗୁଣିତ କରିଛି।

ଅନ୍ୟପକ୍ଷରେ  ସାଧରଣତଃ ରବିଧାନ ପାଇଁ ମେ’ ୧ରୁ ଜୁନ୍‌ ୩୦ ମଣ୍ଡି ବ୍ୟବସ୍ଥା ରହିବା କଥା। ଚଳିତ ବର୍ଷ ଜିଲ୍ଲାରେ ମେ’ ୬ରୁ ମଣ୍ଡି ଖୋଲିବା ବଦଳରେ ମେ’ ୧୬ ତାରିଖ ଖୋଲିବ। ତେଣୁ ୪୫ ଦିନ ମଧ୍ୟରେ ୬୦ ଲକ୍ଷ କ୍ବିଣ୍ଟାଲ ଧାନ କିଣିବା ଅସମ୍ଭବ। କାରଣ ବରଗଡ଼ ଜିଲ୍ଲାରେ ସେଭଳି ଭିତ୍ତିଭୂମି ନାହିଁ। ଯେଉଁ ଚାଷୀମାନେ ଆଗୁଆ ମଣ୍ଡି ଖୋଲିବ ବୋଲି ଧାନ ଅମଳ କରିଛନ୍ତି, ସେମାନେ ଏବେଠୁ ସ୍ବଳ୍ପ ଦରରେ ଧାନ ବିକିବା ଆରମ୍ଭ କଲେଣି। ତେଣୁ ୨୦ ଲକ୍ଷ କ୍ବିଣ୍ଟାଲରୁ ଅଧିକ ଧାନ ଏଥର ଖୋଲା ବଜାରରେ ବିକ୍ରି ହେବା ନିଶ୍ଚିତ।

ସମ୍ବନ୍ଧିତ ଖବର