ଝାଡ଼ାବାନ୍ତି: ଆଈ ପରେ ନାତିର ମୃତ୍ୟୁ, ୨୦ରୁ ଅଧିକ ଆକ୍ରାନ୍ତ

ଦେଦର୍ହରେ ଡାକ୍ତରୀ ଦଳର ଚିକିତ୍ସା

ପାଟଣାଗଡ଼/ଖପ୍ରାଖୋଲ : ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଲକ୍‌ ପଡ଼ିଆବାହାଲ ପଞ୍ଚାୟତ ଦେଦର୍ହ ଗ୍ରାମରେ ଗତ ୨ ଦିନ ହେଲା ଝାଡ଼ାବାନ୍ତି ବ୍ୟାପିଛି। ଗୋଟିଏ ପରିବାରରେ ଆଈଙ୍କ ମୃତ୍ୟୁ ପରେ ନାତିର ମୃତ୍ୟୁ ଶୋକାକୁଳ ପରିବେଶ ସୃଷ୍ଟି କରିଛି। ଏବେ ବି ଗାଁରେ ୨୦ରୁ ଅଧିକ ଆକ୍ରାନ୍ତ ଥିବା ଜଣାପଡ଼ିଛି। ଖବର ପାଇ ଡାକ୍ତରୀ ଦଳ ଗାଁରେ ପହଞ୍ଚି ଚିକିତ୍ସା ସେବା ଆରମ୍ଭ କରିଛନ୍ତି।

ସୂଚନା ଅନୁସାରେ, ଦେଦର୍ହ ଗ୍ରାମରେ ୨-୩ ତଳେ ଝାଡ଼ାବାନ୍ତି ଆରମ୍ଭ ହୋଇଥିଲା। ଗ୍ରାମର ୨୦ରୁ ଅଧିକ ଲୋକ ଆକ୍ରାନ୍ତ ଥିବା ବେଳେ କିଛି ଲୋକ ପାଟଣାଗଡ଼ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି ହୋଥିଲେ। ସେମାନଙ୍କ ମଧ୍ୟରୁ କୁମାରୀ ମେ‌ହେର (୫୦ ବର୍ଷ)ଙ୍କ ଚିକିତ୍ସାଧୀନ ଅବସ୍ଥାରେ ରବିବାର ରାତିରେ ମୃତ୍ୟୁ ଘଟିଥିଲା। ସେହିପରି ସୋମବାର ସକାଳୁ ତାଙ୍କ ନାତି ବବୁଲୁ ମେହେର (୯ବର୍ଷ)ଙ୍କ ମଧ୍ୟ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି। ପୂର୍ବରୁ ଗ୍ରାମର କେଶବ ଜାନୀ, ଗୋବିନ୍ଦ ପଧାନ, ହେମନ୍ତ ମାଝୀ, କୁନ୍ଦୁରୁ ଜାନୀ, ରଶ୍ମିତା ସାହୁ ପ୍ରମୁଖ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ବିଭିନ୍ନ ସରକାରୀ ଓ ବେସରକାରୀ ଡାକ୍ତରଖାନାରେ ଚିକତ୍ସିତ ହୋଇଥିବା ଗ୍ରାମବାସୀ ପ୍ରକାଶ କରିଛନ୍ତି। ଖବର ପାଇ ଖପ୍ରାଖୋଲ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରୁ ଏକ ଡାକ୍ତରୀ ଦଳ ଗ୍ରାମରେ ପହଞ୍ଚିଛନ୍ତି। ସେଠାରେ ଅସ୍ଥାୟୀ ଶିବିର କରି ପରୀକ୍ଷା ନିରୀକ୍ଷା କରି ଔଷଧ ବଣ୍ଟନ କରୁଛନ୍ତି। ବର୍ତ୍ତମାନ ସୁଦ୍ଧା ୫୦ରୁ ଅଧିକ ଲୋକଙ୍କ ପରୀକ୍ଷା କରାଯାଇଥିବା ବେଳେ ୨୦ରୁ ଅଧିକ ଆକ୍ରାନ୍ତ ହୋଇଛନ୍ତି।

ଏ ସମ୍ପର୍କରେ ଖପ୍ରାଖୋଲ ସିଏଚ୍‌ସିର ଭାରପ୍ରାପ୍ତ ଅଧିକାରୀ ଡା. ସୂରଜ ଦୀପଙ୍କ କହିବା ହେଲା, ପୂର୍ବରୁ ତାଙ୍କ ପାଖରେ ସୂଚନା ନଥିଲା। ଦୁଇ ଜଣଙ୍କ ମୃତ୍ୟୁ ପରେ ଖବର ମିଳିଥିଲା। ବର୍ତ୍ତମାନ ଗ୍ରାମରେ ଆକ୍ରାନ୍ତମାନଙ୍କୁ ପରୀକ୍ଷା ନିରୀକ୍ଷା କରି ଔଷଧ ଦିଆଯାଉଛି ବୋଲି ସେ କହିଥିଲେ। ଖବର ପାଇ ଜିଲ୍ଲାପାଳ ଚଞ୍ଚଳ ରାଣା ମଧ୍ୟ ଗାଁରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର