ଭୁବନେଶ୍ବର: ରାଜ୍ୟର ୧୨ଟି ଜିଲ୍ଲାରେ ହଜିବାକୁ ବସିଲାଣି ୨୦ ପ୍ରଜାତିର ପାରମ୍ପରିକ ଦେଶୀ ପରିବା ବିହନ। ଯାହା ପରିବାରେ ବିବିଧତା ଦେବା ସହିତ ଯେକୌଣସି ସ୍ଥାନରେ କମ୍ ଖର୍ଚ୍ଚରେ ଉତ୍ପାଦନରେ ସହାୟକ ହେଉଥିଲା। ଲୁପ୍ତପ୍ରାୟ ଖାଦ୍ୟକୁ ନେଇ କୃଷି ବିଭାଗ ଏବଂ ୱାସନ ପକ୍ଷରୁ କରାଯାଇଥିବା ପ୍ରାଥମିକ ସର୍ଭେରେ ଏହି ରିପୋର୍ଟ ଆସିଛି। ଗୋଟିଏ ସମୟରେ କୋରାପୁଟରେ ଚେରି ଟମାଟୋ, ପଶ୍ଚିମ ଓଡ଼ିଶାରେ ପାତଲଘଣ୍ଟା, ଚେରି ଟମାଟୋ, ଲମ୍ବୁ ଟମାଟୋ ଭଳି ଭିନ୍ନ ଆକାରର ଭିନ୍ନ ପ୍ରଜାତିର ଟମାଟୋ ଉତ୍ପାଦିତ ହେଉଥିଲା। ଘର ବଗିଚାରେ ଗୃହିଣୀମାନେ ବିନା ଖର୍ଚ୍ଚରେ ଏହାକୁ ଫଳାଉଥିଲେ। ଗଛରେ ପେନ୍ଥା ହୋଇ ଫଳୁଥିବା ଥଳି ବାଇଗଣ, ୩ ଋତୁରେ ଉତ୍ପାଦିତ ହେଉଥିବା ୬ ଫୁଟ ଲମ୍ବା ଗଛର ଡେଙ୍ଗା ବାଇଗଣ, ମଦନାଫଲି, କଣ୍ଟା ବାଇଗଣ ମଧ୍ୟ ଆଜି ଉଭାନ ହୋଇସାରିଛି। ଭେଣ୍ଡିର ରଙ୍ଗ ଯେ ଲାଲ ଅନେକ ଏହା ବିଶ୍ବାସ କରିବେ ନାହିଁ। କିନ୍ତୁ ଗୋଟିଏ ସମୟରେ ରାଜ୍ୟରେ ଏହା ବ୍ୟାପକ ଭାବରେ ଉତ୍ପାଦିତ ହେଉଥିଲା।
![Sambad Whatsapp](https://cdn-icons-png.flaticon.com/512/2504/2504957.png)
Sambad is now on WhatsApp
Join and get latest news updates delivered to you via WhatsApp
ମିଳୁନି ଲାଲ୍ ଭେଣ୍ଡି, ବାଘଝଟା, ଥଳି ବାଇଗଣ
କମ୍ପାନି କବ୍ଜାରେ ପରିବା ବିହନ
କନ୍ଧମାଳର କୁଟିଆ ଆଦିବାସୀ ଚାଷ କରୁଥିବା ଧାନୁଆ ଲଙ୍କାର ଚାହିଦା ଆଜି ମଧ୍ୟ ରାଜ୍ୟ ବାହାରେ ମଧ୍ୟ ରହିଛି। କିଲୋ ପ୍ରତି ୨ ହଜାର ଟଙ୍କାରେ ଆନ୍ଧ୍ରର ବ୍ୟବସାୟ ଆସି କିଣି ନିଅନ୍ତି। ସୂର୍ଯ୍ୟମୁଖୀ ଲଙ୍କା, କଳା ବାଇଗଣୀ ମଧ୍ୟ ରାଜ୍ୟରେ ଚାଷ ହେଉଥିଲା। ପ୍ରାୟ ୨୦ ବର୍ଷ ହେଲା ବନ୍ଦ ହୋଇସାରିଛି। ଏହା କେବଳ ଉଦାହରଣ ମାତ୍ର। ନୂଆପଡ଼ାର ସତପତ୍ରିଆ ଭେଣ୍ଡି, ଭେଣ୍ଡା, କୋରାପୁଟ, ମାଲକାନଗିରିର ଚୁରଚୁଟିଆ ବିନ୍ସ, ନୂଆପଡ଼ାର ଖୁରସା ବିନ୍ସ, କୋରାପୁଟ, ମାଲକାନଗିରିର ବାଘଝଟା, ରାଞ୍ଜି ସେମ୍ବି, ଭରବା ସେମ୍ବି, ନୂଆପଡ଼ା, ମାଲକାନଗିରି, କୋରାପୁଟର ଭିଜାରି ବାଇଗଣ, ବଲାଙ୍ଗୀରର ବତି ବୋଇତାଳୁ କଖାରୁ, ମାଲକାନଗିରି, ନୂଆପଡ଼ା, ମୟୂରଭଞ୍ଜର ହାତୀଶୁଣ୍ଢ ଲାଉ, ଟୁମ୍ବା ଲାଉ, ନୂଆପଡ଼ା, ମାଲକାନଗିରି, କନ୍ଧମାଳର ତୁସି କଲରା ଆଦି ମଧ୍ୟ ରାଜ୍ୟରୁ ହଜିଗଲାଣି କିମ୍ବା କେଉଁ ଆଦିବାସୀ ଚାଷୀଙ୍କ ଜମିରେ କ୍ବଚିତ୍ ଫଳୁଛି। ପରିବା ବିହନ ଗବେଷକ ଆଦିତ୍ୟ ପ୍ରସାଦ ସିଂହଦେଓ କହିଛନ୍ତି, ଦେଶୀ ପରିବା ବିହନ ସଂରକ୍ଷଣ ପରମ୍ପରାର ମୃତ୍ୟୁ ଯୋଗୁଁ ଏହି ମୂଲ୍ୟବାନ ବିହନ ଲୁପ୍ତ ପ୍ରାୟ ହୋଇଗଲାଣି। ଦେଶୀ ବିହନରେ ବିବିଧତା ରହିବା ସହିତ ଖର୍ଚ୍ଚ ମଧ୍ୟ କମ। ଅନେକ ଦେଶୀ ବିହନ ବର୍ଷତମାମ ଉତ୍ପାଦିତ ହୋଇ ପାରେ। ଦେଶୀ ବିହନର ମୃତ୍ୟୁ ଖାଦ୍ୟ ସଙ୍କଟ ସୃଷ୍ଟି କରିଛି। ବର୍ତ୍ତମାନ ଠାରୁ ଚାଷୀ, ନାଗରିକ ସମାଜ ଏବଂ ସରକାର ଏଥିପ୍ରତି ସଜାଗ ହେବା ଜରୁରୀ ହୋଇପଡ଼ିଛି।