କପ୍ତିପଦା: ପାଣି ଟୋପେ ସଂଗ୍ରହ ପାଇଁ ସବୁଦିନେ କେତେ ସଂଘର୍ଷ କରିବାକୁ ପଡ଼େ ସେ କଥା ସରଡ଼ିହା ପଞ୍ଚାୟତ ବାର୍ହାଗଡ଼ିଆ ଗଉଡ଼ସାହିର ଲୋକଙ୍କଠାରୁ ଅଧିକ କେହି ହୃଦୟଙ୍ଗମ କରିନଥିବେ। ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ବ୍ଲକ୍ ଶିମିଳିପାଳ ଅଭୟାରଣ୍ୟ ପାଦଦେଶରେ ରହିଛି ଗଉଡ଼ସାହି ଗାଁ। ଏଠାରେ ୪୫ଟି ପରିବାରର ୨୦୦ରୁ ଊର୍ଦ୍ଧ୍ବ ଲୋକ ବସବାସ କରନ୍ତି। ପିଇବା ପାଣି ମୁନ୍ଦେ ପାଇବା ଏଠାକାର ଲୋକଙ୍କ ପାଇଁ ସାତସପନ। ଏଥିପାଇଁ ବର୍ଷତମାମ ସ୍ଥାନୀୟ ଲୋକେ ନର୍କ ଯନ୍ତ୍ରଣା ଭୋଗୁଥିବା ବେଳେ ପ୍ରଶାସନ ନିଦାବିଷ୍ଣୁ ସାଜିଛି।
ବହୁପୂର୍ବରୁ ଏହି ଗାଁରେ ନଳକୂଅଟିଏ ଖୋଳା ଯାଇଥିଲା, କିନ୍ତୁ ସେଥିରୁ ପର୍ଯ୍ୟାପ୍ତ ପାଣି ବାହାରିଲାନି। ଫଳରେ ବର୍ଷାଦିନେ ଲୋକେ ଚାଷଜମିରୁ ପାଣି ସଂଗ୍ରହ କରି ଏହାକୁ ପାନୀୟ ଭାବେ ବ୍ୟବହାର କରିଥାନ୍ତି। ଖରାଦିନେ ଚୁଆପାଣି ଗାଁ ଲୋକଙ୍କ ଶୋଷ ମେଣ୍ଟାଏ। ତେବେ ଏବର୍ଷ ପ୍ରଚଣ୍ତ ଖରା ଯୋଗୁଁ ସେତକ ବି ଲୋକଙ୍କ ଭାଗ୍ୟରେ ଜୁଟିନି। ଅନ୍ୟ ଉପାୟ ନପାଇ ଶେଷରେ ଚୁଆ ପାଖରେ ମାଟି ତାଡ଼ି ପାଣି ସଂଗ୍ରହ କରୁଛନ୍ତି ଗ୍ରାମବାସୀ। କାଦୁଅ ମିଶା ଗୋଳିଆ ପାଣିକୁ କପଡ଼ାରେ ଛାଣି ଗରମ କରି ପିଇବାକୁ ବାଧ୍ୟ ହେଉଛନ୍ତି। ହେଲେ, ସରକାର ପ୍ରତିଘରକୁ ପାଇପ୍ ଯୋଗେ ଜଳଯୋଗାଣ ସ୍ବପ୍ନ ଦେଖାଉଥିବା ବେଳେ ଗଉଡ଼ସାହି ଗାଁ ଲୋକଙ୍କ ଏ ଦୁର୍ଦ୍ଦଶା କାହା ଆଖିରେ ପଡ଼ୁନି। ନିର୍ବାଚନ ପରେ ସରକାର ଏଠାରେ ପାନୀୟଜଳ ବ୍ୟବସ୍ଥା ନକଲେ ଗ୍ରାମବାସୀ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି।
ଏ ସମ୍ପର୍କର ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ ବିଭାଗର କନିଷ୍ଠଯନ୍ତ୍ରୀ ସୃଷ୍ଟିଧର ବେହେରାଙ୍କୁ ପଚାରିବାରୁ ସେ କହିଲେ; ଉକ୍ତ ଅଞ୍ଚଳରେ ଜଳସ୍ତର କମ୍ ଥିବାରୁ ପ୍ରଶାସନ ପକ୍ଷରୁ ଖରାଦିନେ ଟ୍ୟାଙ୍କର୍ ଯୋଗେ ଗାଁ ମୁଣ୍ଡ ଅଙ୍ଗନବାଡ଼ି ନିକଟରେ ପାଣି ଯୋଗାଇ ଦିଆଯାଏ। ଜଙ୍ଗଲ ଭିତରେ ଥିବାରୁ ଗାଁକୁ ଗାଡ଼ି ଯାଇପାରେନି। ତେବେ ସବୁଲୋକ ଟ୍ୟାଙ୍କର ଯାଏ ନ ଆସି ଚୁଆ ଖୋଳି ପାଣି ସଂଗ୍ରହ କରନ୍ତି।