ଇଞ୍ଜିନିୟରିଂ ପାଠ୍ୟକ୍ରମ ପ୍ରତି କମୁଛି ଆଗ୍ରହ : କଲେଜରେ ଖାଲି ପଡୁଛି ହଜାର ହଜାର ସିଟ୍, ଚଳିତବର୍ଷ ଫାଙ୍କା ପଡିପାରେ ୨୪ ହଜାରରୁ ଅଧିକ ସିଟ!

ଭୁବନେଶ୍ୱର : ଇଞ୍ଜିନିୟରିଂ ପାଠ୍ୟକ୍ରମ ପ୍ରତି କମୁଛି ଆଗ୍ରହ। କଲେଜରେ ଖାଲି ପଡୁଛି ହଜାର ହଜାର ସିଟ୍। ଛତୁଫୁଟିବା ଭଳି ଇଞ୍ଜିନିୟରିଂ କଲେଜ ଖୋଲୁଥିବା ବେଳେ ପିଲା, ନାମ ଲେଖାଇବାକୁ ଆସୁନାହାନ୍ତି। ଘରୋଇ ଏବଂ ସରକାରୀ ଇଞ୍ଜିନିୟରିଂ କଲେଜରେ ୩୪ ହଜାରରୁ ଅଧିକ ସିଟ ଥିବା ବେଳେ ପ୍ରାୟ ୧୦ ହଜାର ସିଟରେ ଆଡମିଶନ ହେବ। ବାକି ୨୪ ହଜାର ସିଟ ଖାଲିପଡିବାର ସମ୍ଭାବନା ସୃଷ୍ଟି ହୋଇଛି।

ଇଂଜିନିୟରିଂ କଲେଜକୁ ଘାରିଛି ଶନି ଦଶା । ବର୍ଷକୁ ବର୍ଷ ଖାଲିପଡିବାରେ ଲାଗିଛି ରାଜ୍ୟର ଇଂଜିନିୟରିଂ କଲେଜ ସିଟ। ସିଟ ଖାଲି ପଡୁଥିବାରୁ ଘରୋଇ ଓ ସରକାରୀ କଲେଜର ସିଟ ସଂଖ୍ୟା କମିଥିଲା। ୮ ସରକାରୀ କଲେଜରେ ୧୨୦ ସିଟ କମାଯାଇଥିଲାବେଳେ ବେସରକାରୀ କଲେଜରେ ତିନି ହଜାର ୯ ଶହ ୫୩ଟି ସିଟ କମାଯାଇଥିଲା। ଏହାସତ୍ୱେ ଚଳିତବର୍ଷ ୨୪ ହଜାରରୁ ଅଧିକ ସିଟ ଫାଙ୍କା ପଡିବ ବୋଲି ଅନୁମାନ କରାଯାଉଛି।

ଚଳିତବର୍ଷ ରାଜ୍ୟରେ ଘରୋଇ ଏବଂ ସରକାରୀ କଲେଜରେ ମୋଟ ୩୪ ହଜାର ୨୨୩ଟି ସିଟ ରହିଛି । ଓଜେଇଇ ପ୍ରବେଶିକା ପରୀକ୍ଷାରେ ମୋଟ ୧୧ହଜାର ୬ଶହ ଏଲିଜିବଲ କ୍ୟାଣ୍ଡିଡେଟ ହୋଇଛନ୍ତି। ସେଥରୁ ୧୦ହଜାର ୩ଶହଙ୍କୁ ପ୍ରଥମ ଆଲଟମେଂଟ ଓଜେଇଇ ପକ୍ଷରୁ ଦିଆଯାଇଛି। ଏହା ମଧ୍ୟରେ ରହିଛନ୍ତି ବିଟେକ ସହିତ ବିଆର୍କର ଛାତ୍ରଛାତ୍ରୀ । ତେଣୁ ଚଳିତବର୍ଷ ପ୍ରାୟ ୨୪ହଜାରରୁ ଅଧିକ ସିଟ ଫାଙ୍କା ପଡିବାର ସମ୍ଭାବନା ରହିଛି।

ଗତବର୍ଷ ୨୦ହଜାରରୁ ଅଧିକ ସିଟ ଖାଲି ପଡିଥିଲା, ଚଳିତବର୍ଷ ଏହି ସଂଖ୍ୟା ଅଧିକ ହୋଇପାରେ ବୋଲି ଅନୁମାନ କରାଯାଉଛି। ଆଗାମୀ ୨୧ ତାରିଖରେ ହେବାକୁ ଥିବା ସ୍ୱତନ୍ତ୍ର ଓଜେଇଇରେ ଫାଙ୍କା ପଡିଥିବା ସିଟ ବ୍ୟବଧାନ କମିବା ନେଇ ଆଶା କରାଯାଉଛି।

ସମ୍ବନ୍ଧିତ ଖବର