କଟକ: ରାଜ୍ୟ ପରିବହନ ପ୍ରାଧୁକରଣ, ଓଡ଼ିଶା  ଗତ ୧୧ ଦିନ ମଧ୍ୟରେ (ଫେବ୍ରୁଆରି ୧ରୁ ୧୧) ୨୬୭୪ଟି ଯାନ ବିରୁଦ୍ଧରେ ଚାଲାଣ ଜାରି କରିଛି, ଯେଉଁଥ୍ରେ ହାଇ ସିକ୍ୟୁରିଟି ରେଜିଷ୍ଟ୍ରେସନ ପ୍ଲେଟ୍ (ଏଚ୍‌ଏସ୍‌ଆରପ) ଏବଂ କଲର-କୋଡ଼ ଷ୍ଟିକର ଲଗାଯାଇ ନାହିଁ। ମାନ୍ୟବର ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ, କେନ୍ଦ୍ର ସରକାର ସିଏମ୍‌ଭିଆରର ନିୟମ ୫୦ ଏବଂ ସଡକ ପରିବହନ ଏବଂ ରାଜପଥ ମନ୍ତ୍ରଣାଳୟର ବିଜ୍ଞପ୍ତି/ବିଧିଗତ ଆଦେଶରେ ସଂଶୋଧନ କରିଛନ୍ତି । ରାଜ୍ୟ ପରିବହନ ବିଭାଗ ୨୦୨୨ ଜୁନ ୧ ତାରିଖ ପୂର୍ବରୁ ସମସ୍ତ ଶ୍ରେଣୀ ପୁରୁଣା ଯାନ ପାଇଁ ଏଚ୍‌ଏସ୍‌ଆରପି ବାଧ୍ୟତାମୂଳକ କରିଛନ୍ତି ଯାହା ୨୦୧୯ ଏପ୍ରିଲ ୧ ପୂର୍ବରୁ ପଞ୍ଜିକୃତ ହୋଇଥିଲା |

Advertisment

ବିଭିନ୍ନ ସିରିଜର ଯାନ ପାଇଁ ଦିଆଯାଇଥିବା ଶେଷ ତାରିଖ ଅନୁଯାୟୀ ଚାଲାଣଗୁଡ଼ିକ ଜାରି କରାଯାଇଛି। ୨୦୧୯ ଏପ୍ରିଲ ୧ ତାରିଖ ପୂର୍ବରୁ ପଞ୍ଜୀକୃତ ହୋଇଥିବା ପୁରୁଣା ଯାନଗୁଡିକ ଯାହାକି ଓଡ଼ିଶା ରେଜିଷ୍ଟ୍ରେସନ୍ ମାର୍କ ଏବଂ ୧, ୨, ୩, ୪, ୫ ଏବଂ ୬ ରେଜିଷ୍ଟ୍ରେସନ୍ ନମ୍ବର ବହନ କରୁଥିବା ପୁରୁଣା ଯାନଗୁଡିକରେ ଏଚଏସଆରପି ସଂଲଗ୍ନ କରିବାର ସମୟସୀମା ୨୦୨୨ ଡିସେମ୍ବର ୩୧ରେ ଶେଷ ହୋଇଥିଲା। ୭ ଏବଂ ୮ ସହିତ ସମାପ୍ତ ହେଉଥବା ଯାନ ସଂଖ୍ୟା ପାଇଁ ଶେଷ ତାରିଖ ୨୦୨୩ ଜାନୁଆରି ୩୧ରେ ଶେଷ ହୋଇଛି ଏବଂ ୯ ଏବଂ ୦ ସହିତ ଶେଷ ହେଉଥିବା ଯାନଗୁଡିକ ପାଇଁ, ଏଚଏସଆରପି ସଂଲଗ୍ନ କରିବାର ଶେଷ ତାରିଖ ହେଉଛି ୨୦୨୩ ଫେବ୍ରୁଆରି ୨୮ ତାରିଖ।

ଏହାକୁ ଦୃଷ୍ଟିରେ ରଖି ପରିବହନ ବିଭାଗର ଅଧିକାରୀମାନେ ଜାନୁଆରିରେ ମୋଟର ଯାନ ନିୟମ ଉଲ୍ଲଂଘନ କରିଥିବା ଗାଡ଼ି ଚାଳକଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଚେତାବନୀ ଦେଇଛନ୍ତି। ରାଜ୍ୟ ପରିବହନ ବିଭାଗର ଅଧିକାରୀମାନେ ଉଲ୍ଲଂଘନକାରୀଙ୍କ ଉପରେ ନଜର ରଖିବା ପାଇଁ ସ୍ବତନ୍ତ୍ର ଡ୍ରାଇଭ କରିଛନ୍ତି।

ଏକ ପ୍ରେସ ନୋଟରେ ଆଡିସନାଲ କମିସନର୍‌ ଟ୍ରାନ୍ସପୋର୍ଟ ଲାଲମୋହନ ସେଠୀ, (ଏନଫୋର୍ସମେଣ୍ଟ) ସୂଚନା ଦେଇଛନ୍ତି, ୨୦୨୩ ଫ୍ରବ୍ରୁଆରି ୧୩ ସୁଦ୍ଧା ମୋଟ୩୮, ୪୯, ୪୯୮ ଗାଡ଼ି ମାଲିକ ସ୍କଟ୍ ବୁକ୍ କରିଛନ୍ତି। ସେଥି ମଧ୍ଯରୁ ୩୧, ୬୫, ୮୫୦ ଗାଡିରେ ଏଚ୍‌ଏସ୍‌ଆରପି ଲଗାଯାଇଛି। ମୋଟର ଯାନର ଧାରା ୧୯୨ ଅଧୀନରେ ଆକ୍ଟ, ୧୯୮୮ ଅନୁଯାୟୀ ଯଦି ନିର୍ଦ୍ଧାରିତ ତାରିଖ ମଧ୍ୟରେ ଗାଡିରେ ଏଚ୍‌ଏସ୍‌ଆରପି ସହିତ ସଂଲଗ୍ନ ନହୁଏ, ତେବେ ଅପରାଧୀ ଗାଡି ମାଲିକଙ୍କ ବିରୋଧରେ ଇ-ଚାଲାଣ ଜାରି କରାଯିବ ଏବଂ ୫୦୦୦ ଟଙ୍କା  କିମ୍ବା ୧୦ ହଜାର ଟଙ୍କା ପର୍ଯ୍ୟନ୍ତ ଜରିମାନା ଆଦାୟ କରାଯିବ।

ଏ ପର୍ଯ୍ୟନ୍ତ ଜାରି କରାଯାଇଥିବା ଚାଲାଣଗୁଡିକ ମଧ୍ୟରେ ଅଧିକାଂଶ ଯାନ ଦୁଇ ଚକିଆ ଯାନ ଅଟେ। ୫୦୦୦ ଟଙ୍କା ଜରିମାନା ଉଲଂଘନକାରୀଙ୍କ ଉପରେ ଲଗାଯାଇଛି। ଭବିଷ୍ୟତରେ ଉଲ୍ଲଂଘନକାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଶ୍ରୀ ସେଠୀ କହିଛନ୍ତି। ବିଳମ୍ବ ନକରି ସେମାନଙ୍କ ଗାଡିରେ ଏଚ୍‌ଏସ୍‌ଆରପି ସଂଲଗ୍ନ କରିବାକୁ ଯାନ ମାଲିକମାନଙ୍କୁ ଅନୁରୋଧ କରି ଶ୍ରୀ ସେଠୀ କହିଛନ୍ତି, ଯେଉଁ ଗାଡ଼ି ମାଲିକମାନେ ଇଣ୍ଟରନେଟର ବ୍ୟବହାର କରନ୍ତି ନାହିଁ କିମ୍ବା ଟେକ୍ନୋଲୋଜି ବିଷୟରେ ଅଧିକ ଜ୍ଞାନ ନାହିଁ, ସେମାନେ ନିକଟସ୍ଥ ମୋ ସେବା କେନ୍ଦ୍ର କିମ୍ବା ସେମାନଙ୍କ ସୁବିଧା ଅନୁଯାୟୀ ଆରଟିଓରେ ଥିବା ଏଚଏସଆରପି ସୁବିଧା କେନ୍ଦ୍ର ମାଧ୍ୟମରେ ଏଚଏସଆରପି ପାଇଁ ଆବେଦନ କରିପାରିବେ।