କୋଭିଡ଼ ମୃତ୍ୟୁ ପ୍ରମାଣପତ୍ର ପାଇଁ ୨୭ହଜାରରୁ ଅଧିକ ଆବେଦନ

ଭୁବନେଶ୍ବର : ରାଜ୍ୟ ସରକାରଙ୍କ ରେକର୍ଡ ଅନୁଯାୟୀ ୯୧୨୮ଜଣଙ୍କର କୋଭିଡ଼ ଜନିତ ମୃତ୍ୟୁ ହୋଇଛି। ହେଲେ ୨୭୫୮୫ଜଣ କୋଭିଡ ମୃତ୍ୟୁ ସାର୍ଟିଫିକେଟ୍ ପାଇଁ ଆବେଦନ କରିଛନ୍ତି। ବିଧାୟକ ରମେଶ ଚନ୍ଦ୍ର ସାଏଙ୍କ ପ୍ରଶ୍ନର ଲିଖିତ ଉତ୍ତର ଦେଇ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବ କିଶୋର ଦାସ ଏହି ସୂଚନା ଦେଇଛନ୍ତି। ଚଳିତ ବର୍ଷ ଜୁଲାଇ ୧୭ତାରିଖ ସୁଦ୍ଧା ରାଜ୍ୟର ୩୦ ଜିଲ୍ଲାରେ ମୋଟ୍‍ ୯୧୨୮ଜଣ କୋଭିଡ୍‌ରେ ମୃତ୍ୟୁବରଣ କରିଛନ୍ତି।

ଏଥିରେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୭୫୧ ଜଣ ଥିବାବେଳେ କଟକରେ ୯୦୭, ସୁନ୍ଦରଗଡ଼ରେ ୬୮୨, ଗଞ୍ଜାମରେ ୫୧୨, ପୁରୀରେ ୪୮୮, ଅନୁଗୁଳରେ ୪୧୮, ବାଲେଶ୍ୱରରେ ୩୬୦ ଜଣ, ଦେବଗଡ଼ରେ ୫୩ଜଣ ଥିବାବେଳେ ମାଲକାନଗିରିରେ ସବୁଠୁ କମ୍‌ ୪୮ଜଣ ଅଛନ୍ତି। ତେବେ କୋଭିଡ଼ ମୃତ୍ୟୁ ସାର୍ଟିଫିକେଟ ପାଇବାପାଇଁ ସରକାରଙ୍କ ନିକଟରେ ୨୭,୫୮୫ଟି ଆବେଦନ ପଡିଥିଲା। ଏଥି ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୬୭୨୨ଟି ଆବେଦନ ଆସିଥିବାବେଳେ କଟକରେ ୩୮୭୬, ସୁନ୍ଦରଗଡରେ ୨୦୧୩, ଗଞ୍ଜାମରେ ୧୯୬୭ ଓ ସମ୍ବଲପୁରରେ ୧୫୬୦ଟି ଆବେଦନ ପଡ଼ିଥିଲା। ଏହି ଆବଦେନ ମଧ୍ୟରୁ ୨୪,୭୧୭ଟି ମଞ୍ଜୁରି ମିଳିଥିବାବେଳେ ୧୩୧୧ଟି ନାକଚ କରାଯାଇଥିଲା। ସେହିଭଳି ୧୮୬ଟି ଆବେଦନ ଏବେ ବି ନିଷ୍ପତ୍ତି ଅପେକ୍ଷାରେ ଥିବାବେଳେ ୧୮୧୯ଟି ଫେରସ୍ତ ହୋଇଛି। ଏହିସବୁ ଆବେଦନପତ୍ରଗୁଡ଼ିକର ପୁର୍ନବିଚାର ଜିଲ୍ଲାସ୍ତରୀୟ ଅଭିଯୋଗ ସମାଧାନ କମିଟିରେ ହେବ ବୋଲି ମନ୍ତ୍ରୀ କହିଛନ୍ତି ।

ସମ୍ବନ୍ଧିତ ଖବର