ଭୁବନେଶ୍ବର : ରାଜ୍ୟର ଅଣ ସଂଗଠିତ ଶ୍ରମିକଙ୍କୁ ସାମାଜିକ ସୁରକ୍ଷାରେ ସାମିଲ କରିବା ପାଇଁ ଓଡ଼ିଶା ଅଣସଂଗଠିତ ଶ୍ରମିକ ସାମାଜିକ ସୁରକ୍ଷା ବୋର୍ଡ ଗଠନ କରାଯାଇଛି। ବର୍ତ୍ତମାନସୁଦ୍ଧା ୩.୬୫ଲକ୍ଷରୁ ଅଧିକ ଅଣ ସଂଗଠିତ ଶ୍ରମିକ ପଞ୍ଜୀକୃତ ହୋଇଛନ୍ତି। ଗତ ମେ’ ୧ ତାରିଖରୁ ବୋର୍ଡ ଅଧୀନରେ ଅନଲାଇନ ମଡ୍ୟୁଲ ଆରମ୍ଭ ହୋଇଛି। ପଞ୍ଜୀକରଣ ଓ ବିଭିନ୍ନ ଯୋଜନାରେ ସହାୟତା ବିତରଣ ପାଇଁ ଏଣ୍ଡ ଟୁ ଏଣ୍ଡ ସେବା ପ୍ରଦାନକୁ ସୁଗମ କରିବା ପାଇଁ ଏହି ଯୋଜନା ଆରମ୍ଭ କରାଯାଇଥିବା ସୂଚନା ଦେଇଛନ୍ତି ରାଜ୍ୟ ଶ୍ରମ ଓ କର୍ମଚାରୀ ରାଜ୍ୟବୀମା ମନ୍ତ୍ରୀ ସାରଦା ନାୟକ।

Advertisment

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶ୍ରମ ଓ ଇଏସ୍‌ଆଇ ବିଭାଗର ସମୀକ୍ଷା କରିବା ପରେ ମନ୍ତ୍ରୀ ଶ୍ରୀ ନାୟକ ବିଭାଗ ପକ୍ଷରୁ ନିଆଯାଇଥିବା ବିଭିନ୍ନ ପଦକ୍ଷେପ ସଂପର୍କରେ ସୂଚନା ଦେଇଥିଲେ। ଶ୍ରୀ ନାୟକ କହିଥିଲେ, ସମସ୍ତ ବର୍ଗର ଯୋଗ୍ୟ ଅସଙ୍ଗଠିତ ଶ୍ରମିକଙ୍କ ପଞ୍ଜୀକରଣ ପାଇଁ ପ୍ରସ୍ତାବ ଓ ବୋର୍ଡର ଆବଶ୍ୟକତା ଆଧାରିତ ସାମାଜିକ ସୁରକ୍ଷା ଯୋଜନା ଓ ଅନ୍ୟାନ୍ୟ ଲାଇନ ବିଭାଗଗୁଡ଼ିକରେ ସେମାନଙ୍କୁ ସାମିଲ କରିବା ପାଇଁ ସରକାରଙ୍କ ବିଚାରାଧୀନ ରହିଛି। ଓଡ଼ିଶା କୋଠାବାଡ଼ି ଓ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ ରାଜ୍ୟର ନିର୍ମାଣ ଶ୍ରମିକ ଓ ସେମାନଙ୍କ ପରିବାର ସଦସ୍ୟଙ୍କୁ ସାମାଜିକ ସୁରକ୍ଷା ଯୋଜନାରେ ସାମିଲ କରାଯାଉଛି। ୨୦୦୮ ଡିସେମ୍ବର ୧୫ରୁ ୨୦୨୩ ଏପ୍ରିଲ ୩୦ ତାରିଖ ମଧ୍ୟରେ ୩୮ଲକ୍ଷ ୪୦ହଜାରରୁ ଅଧିକ ନିର୍ମାଣ ଶ୍ରମିକଙ୍କୁ ବୋର୍ଡ ଅଧୀନରେ ହିତାଧିକାରୀ ଭାବେ ପଞ୍ଜୀକୃତ ହୋଇଛନ୍ତି। ବିଭିନ୍ନ କଲ୍ୟାଣକାରୀ ଯୋଜନାରେ ୨୯୬୧.୫୨ କୋଟି ଟଙ୍କାର ଲାଭ ବଣ୍ଟନ କରାଯାଇଛି। ବର୍ତ୍ତମାନସୁଦ୍ଧା ୩୬୬୧.୧୪ କୋଟି ଟଙ୍କାର ସେସ୍ ଆଦାୟ ହୋଇଛି।

publive-image

ପ୍ରବାସୀ ଶ୍ରମିକଙ୍କ ଉପରେ ନଜର ରଖିବା, ଅନ୍ତରାଜ୍ୟ ସମନ୍ବୟକୁ ସୁଦୃଢ଼ କରିବା, ଜୀବିକା ପଦକ୍ଷେପ ଓ କଲ୍ୟାଣକାରୀ ଯୋଜନା ସହିତ ସଂଯୋଗକୁ ସୁନିଶ୍ଚିତ କରିବା ପାଇଁ ରାଜ୍ୟ କାର୍ଯ୍ୟ ଯୋଜନା କାର୍ଯ୍ୟକାରୀ କରାଯାଉଛି। ନିକଟରେ ପ୍ରବାସୀ ଶ୍ରମିକଙ୍କ ପାଇଁ ଅନଲାଇନ୍ ସ୍ବେଚ୍ଛାକୃତ ପଞ୍ଜୀକରଣ ମଡ୍ୟୁଲ ବିକାଶିତ କରାଯାଇଛି। ପ୍ରବାସୀ ଶ୍ରମିକଙ୍କ ସ୍ବେଚ୍ଛାକୃତ ପଞ୍ଜୀକରଣ ପାଇଁ PAReSHRAM ପୋର୍ଟାଲରେ ମଡ୍ୟୁଲ ବିକାଶିତ କରାଯାଇଛି। ତେଲେଙ୍କାନା, ଆନ୍ଧ୍ର ଓ ନୂଆଦିଲ୍ଲୀରେ ଓଡ଼ିଶା ପ୍ରବାସୀ ଶ୍ରମିକ ସହାୟତା ଡେସ୍କ ଓ ସୁରଟରେ ଓଡ଼ିଶା ପ୍ରବାସୀ ଶ୍ରମିକ ସହାୟତା କେନ୍ଦ୍ର ପ୍ରତିଷ୍ଠା କରାଯାଇଛି। ଏହାବାଦ୍ ୧,୦୭,୩୩୦ ପ୍ରବାସୀ ନିର୍ମାଣ ଶ୍ରମିକ ଓଡ଼ିଶା କୋଠାବାଡ଼ି ଓ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ ଅଧୀନରେ ହିତାଧିକାରୀ ଭାବେ ପଞ୍ଜୀକୃତ ହୋଇଛନ୍ତି। ବିପର୍ଯ୍ୟସ୍ତ ସ୍ଥାନାନ୍ତର ସମସ୍ୟାର ସମାଧାନ ପାଇଁ ମୁଖ୍ୟମନ୍ତ୍ରୀ ଏକ ସ୍ବତନ୍ତ୍ର ପ୍ୟାକେଜ ଘୋଷଣା କରିଛନ୍ତି। ଏଥିରେ ବଲାଙ୍ଗୀର, ବରଗଡ଼, କଳାହାଣ୍ଡି ଓ ନୂଆପଡ଼ାରେ ୨୦ଟି ବ୍ଲକ ମଧ୍ୟରୁ ୪୭୭ଟି ଗ୍ରାମ ପଞ୍ଚାୟତ ପାଇଁ ମନରେଗା ଯୋଜନାରେ ଅତିରିକ୍ତ ୨ଶହ ଦିନର ନିଯୁକ୍ତି ପାଇଁ ରାଜ୍ୟ ବଜେଟରେ ୫ଶହ କୋଟି ଟଙ୍କାର ବ୍ୟୟବରାଦ କରିଛନ୍ତି।

ରାଜ୍ୟରେ ୪୧ଟି ଇଏସ୍‌ଆଇ ଡିସ୍‌ପେନସାରି, ୪ଟି ଇଏସ୍‌ଆଇ ହସ୍ପିଟାଲ ମାଧ୍ୟମରେ ଇଏସ୍‌ଆଇ ସେବା ଅଧୀନରେ ୭.୪୧ଲକ୍ଷରୁ ଅଧିକ ବୀମାଭୁକ୍ତ ବ୍ୟକ୍ତି ଓ ସେମାନଙ୍କ ପରିବାର ସଦସ୍ୟଙ୍କୁ ସ୍ବାସ୍ଥ୍ୟସେବା ଯୋଗାଇ ଦିଆଯାଇଛି। ପାରାଦୀପ, ବାଲେଶ୍ବର, ଝାରସୁଗୁଡ଼ା ଓ ଡୁବୁରୀରେ ୪ଟି ନୂଆ ହସ୍ପିଟାଲକୁ ଅନୁମୋଦନ ମିଳିଛି। ଏହାବାଦ୍ ଚଳିତବର୍ଷଠାରୁ ୧୨ଟି ନୂଆ ଡିସ୍‌ପେନସାରି ଖୋଲିବା ପାଇଁ ଅନୁମୋଦନ ମିଳିଥିବା ଶ୍ରୀ ନାୟକ କହିଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ବିଭାଗୀୟ ସଚିବ ଆର.ଏସ୍‌ ଗୋପାଳନ, ଶ୍ରମ ଆୟୁକ୍ତ ଏନ୍‌.ଥିରୁମାଲା ନାୟକ ପ୍ରମୁଖ ଉପସ୍ଥିତ ଥିଲେ।