ଖାଦ୍ୟ ସୁରକ୍ଷା ଆଇନରେ ୩ କୋଟିରୁ ଅଧିକ ହିତାଧିକାରୀଙ୍କୁ ସାମିଲ କରାଯାଇଛି

ଭୁବନେଶ୍ବର : ରାଜ୍ୟରେ ଜାତୀୟ ଖାଦ୍ୟ ସୁରକ୍ଷା ଆଇନରେ ୯୨ ଲକ୍ଷ ୯୮ ହଜାର ୫୮୨ ପରିବାରରର ୩ କୋଟି ୨୪ ଲକ୍ଷ ୭୩ ହଜାର ୩୭୦ ହିତାଧିକାରୀ ରହିଛନ୍ତି । ସେହିପରି ରାଜ୍ୟ ଖାଦ୍ୟ ସୁରକ୍ଷା ଆଇନରେ ୮୩,୦୩୫ ପରିବାରର ୩ ଲକ୍ଷ ୧୨ ହଜାର ୩୦୧ ଜଣ ହିତାଧିକାରୀ ଭାବେ ସୁଲଭ ମୂଲ୍ୟରେ ଚାଉଳ ଯୋଗାଇ ଦିଆଯାଇଛି । ଏ ନେଇ ବିଧାନସଭାରେ ଉତ୍ତର ରଖିଛନ୍ତି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ।

ଏହାବାଦ୍ ଖାଦ୍ୟ ସୁରକ୍ଷା ଆଇନରେ ସାମିଲ ହେବା ପାଇଁ ବର୍ତ୍ତମାନ ସୁଦ୍ଧା ୭ ଲକ୍ଷ ୧୮ ହଜାର ୬୦୫ଟି ଦରଖାସ୍ତ ପଡିଥିବା ବେଳେ ସେଥିରୁ ୨ ଲକ୍ଷ ୨ ହଜାର ହିତାଧିକାରୀଙ୍କୁ ଯୋଗ୍ୟ ବିବେଚିତ କରାଯାଇଛି । ଅନ୍ୟ ଆବେଦନକାରୀଙ୍କ ଦରଖାସ୍ତ ଯାଞ୍ଚ କରାଯାଉଛି । ଯାଞ୍ଚ ପରେ ଯୋଗ୍ୟ ହିତାଧିକାରୀଙ୍କୁ ଖାଦ୍ୟ ସୁରକ୍ଷା ଆଇନରେ ସାମିଲ କରାଯିବ।

odishaassembly.nic.in

ରାଜ୍ୟ ଖାଦ୍ୟ ସୁରକ୍ଷା ଆଇନରୁ ବାଦ ପଡିଥିବା ୨୫ ଲକ୍ଷ ପରିବାରକୁ ରାଜ୍ୟ ଖାଦ୍ୟ ସୁରକ୍ଷା ଆଇନ ଯୋଜନାରେ ସାମିଲ କରିବାକୁ ୨୦୧୮ ଅକ୍ଟୋବରରେ ଘୋଷଣା କରିଥିଲେ ରାଜ୍ୟ ସରକାର । ତେବେ ୨ ବର୍ଷ ଭିତରେ ମାତ୍ର ୫ ଲକ୍ଷ ୧୪ ହଜାର ୩୦୧ ଜଣ ଯୋଗ୍ୟ ହିତାଧିକାରୀଙ୍କୁ ଚିହ୍ନଟ କରିଛନ୍ତି ରାଜ୍ୟ ସରକାର । ଏପରିକି ଆବେଦନକାରୀଙ୍କ ସଂଖ୍ୟା ବଢିଥିଲେ ମଧ୍ୟ ବିଭିନ୍ନ କାରଣରୁ ହିତାଧିକାରୀ ଚିହ୍ନଟରେ ବିଳମ୍ବ ହେଉଛି । ଯାହାକୁ ନେଇ ଗୃହରେ ଉଦବେଗ ପ୍ରକାଶ କରିଥିଲେ ବିରୋଧୀ । ଏପରିକି ଆବେଦନ କରିବାର ୨୪ ଘଣ୍ଟା ମଧ୍ୟରେ ଦରଖାସ୍ତ ଯାଞ୍ଚ କରିବା ନେଇ ପୂର୍ବରୁ ସରକାରଙ୍କ ପକ୍ଷରୁ କୁହାଯାଇଥିଲେ ମଧ୍ୟ ହିତାଧିକାରୀ ଚିହ୍ନଟରେ କାହିଁକି ବିଳମ୍ବ ହେଉଛି ସେନେଇ ପ୍ରଶ୍ନ ଉଠାଇଥିଲେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର । ଏପରିକି ଆବେଦନ କରିବାର କେତେ ସମୟ ମଧ୍ୟରେ ଯାଞ୍ଚ କରାଯିବ ସେନେଇ ମନ୍ତ୍ରୀଙ୍କ ଠାରୁ ଉତ୍ତର ଜାଣିବାକୁ ଚାହିଁଥିଲେ ମଧ୍ୟ ଉତ୍ତର ଦେଇପାରିନଥିଲେ ବିଭାଗୀୟ ମନ୍ତ୍ରୀ ।

ସେହିଭଳି ଆଙ୍ଗୁଠି ଛାପ ସ୍କାନିଂ ହୋଇପାରୁ ନଥିବାରୁ ହିତାଧିକାରୀ ତାଲିକାରୁ ଅଧିକାଂଶ ଲୋକ ବାଦ୍ ପଡୁଛନ୍ତି । ଯେଉଁମାନଙ୍କର ଟିପ୍ ଚିହ୍ନ କାମ କରୁନାହିଁ ସେମାନଙ୍କ ପାଇଁ ବିକଳ୍ପ ବ୍ୟବସ୍ଥା କରାଯିବ । ଟିପ ଚିହ୍ନ ବଦଳରେ ଆଖି ସ୍କାନ କରାଯାଇ ବାୟୋମେଟ୍ରିକ ମ୍ୟାଚିଂ କରାଯିବ ବୋଲି କହିଛନ୍ତି ମନ୍ତ୍ରୀ ।

ସମ୍ବନ୍ଧିତ ଖବର