ଜୟପୁର: ଦେଶରେ କେହି ଭୋକରେ ରହିବେ ନାହିଁ । ସେଥିପାଇଁ ଖାଦ୍ୟ ସୁରକ୍ଷା ଆଇନ ପ୍ରଣୟନ ହୋଇଛି। କେନ୍ଦ୍ରସରକାରଙ୍କ ନୂତନ ସମନ୍ବିତ ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାରେ ଏନଏଫଏସଏ ହିତାଧିକାରୀଙ୍କୁ ଅର୍ଥାତ୍ ଅନ୍ତୋଦୟ ଅନ୍ନ ଯୋଜନା (ଏଏୱାଇ) ପରିବାର ଏବଂ ପ୍ରାୟୋରିଟି ହାଉସହୋଲ୍ଡ (ପିଏଚଏଚ) ଓ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନା ହିତାଧିକାରୀଙ୍କୁ ଆସନ୍ତା ଚାରି ମାସ ପାଇଁ ଜିଲ୍ଲାରେ ମାଗଣାରେ ଚାଉଳ ବିତରଣ ଆରମ୍ଭ ହୋଇଛି। ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପୃଥକ ପୃଥକ ଭାବେ ଜିଲ୍ଲାରେ ପାଇଥିବା ୩ଲକ୍ଷ୭୦ ହଜାର କାର୍ଡଧାରୀ ତଥା ୧୨ଲକ୍ଷ ୬ହଜାର ୩୮୦ଜଣ ପରିବାର ସଦସ୍ୟ ଏହି ଲାଭ ପାଇବେ ବୋଲି ଜିଲ୍ଲା ଯୋଗାଣ ବିଭାଗ କାର୍ଯ୍ୟାଳୟ ସୁତ୍ରରୁ ସୂଚନା ମିଳିଛି।

Advertisment

ଜିଲ୍ଲାର ୧୪ଟି ବ୍ଲକ , ୪ଟି ପୌରାଂଚଳରେ ୩୪୫ଟି ସୁଲଭ ମୂଲ୍ୟ ବିତରଣ କେନ୍ଦ୍ର ମାଧ୍ୟମରେ) ସମନ୍ବିତ ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାରେ ଏନଏଫଏସଏର ଅନ୍ତୋଦୟ ଅନ୍ନ ଯୋଜନା (ଏଏୱାଇ) ୬୪ହଜାର୨୫୬ଜଣ ଓ ପ୍ରାୟୋରିଟି ହାଉସହୋଲ୍ଡ (ପିଏଚଏଚ) ଯୋଜନାରେ ୨ଲକ୍ଷ ୯୬ହଜାର ୪୦୯ଜଣ କାର୍ଡଧାରୀ ଏହି ଚାଉଳ ପାଇବେ। କେନ୍ଦ୍ର ସରକାର ନୂଆ ନିୟମ କରି ଏକାଥରକରେ ହିତାଧିକାରୀଙ୍କୁ ୩ରୁ ୪ମାସର ଚାଉଳ ଆଦି ପିଡିଏସ୍ ଦେଉଛନ୍ତି। ଗତ ସେପ୍ଟମ୍ବର ମାସରେ ଥରକରେ ଅକ୍ଟୋବର , ନଭେମ୍ବର ଓ ଡିସେମ୍ବର ମାସର ଚାଉଳ ଦେଇଥିଲେ। ସେଭଳି ଗତ ଦୁଇଦିନ ହେବ ଜାନୁଆରୀ, ପେବୃଆରୀ, ମାର୍ଚ୍ଚ ଓ ଏପ୍ରିଲ ଏଭଳି ୪ମାସ ପାଇଁ ଚାଉଳ ପଠାଇଥିବା କହିଛନ୍ତି ଯୋଗାଣ ନିରୀକ୍ଷକ ହରିଶ ମଲ୍ଲୀକ। କେନ୍ଦ୍ରସରକାର ମାଗଣାରେ ଅନ୍ତୋଦୟ ଅନ୍ନ ଯୋଜନା (ଏଏୱାଇ)ର ୩୦କିଲୋ ଓ ପ୍ରାୟୋରିଟି ହାଉସହୋଲ୍ଡ (ପିଏଚଏଚ) ବ୍ୟକ୍ତିଙ୍କ ହିସାବରେ ୫କିଲୋ ଚାଉଳ ଦିଆଯାଉଛି ବୋଲି କହିଛନ୍ତି ଯୋଗାଣ ନିରୀକ୍ଷକ।

ସେପରି ରାଜ୍ୟସରକାରଙ୍କ ଖାଦ୍ୟ ସୁରକ୍ଷା ଯୋଜନାରେ ସାମିଲ ଥିବା ଜିଲ୍ଲାର ୧୪ଟି ବ୍ଲକ , ୪ଟି ପୌରାଂଚଳରେ ୩୩୩ଟି ସୁଲଭ୍ ମୂଲ୍ୟ ବିତରଣ କେନ୍ଦ୍ର ମାଧ୍ୟମରେ ୯ହଜାର ୩୩୫ଜଣ କାର୍ଡଧାରୀଙ୍କ ଚାଉଳ ବିତରଣ କରାଯିବ ବୋଲି ଜିଲ୍ଲା ଯୋଗାଣ ବିଭାଗ ସୂତ୍ରରୁ ସୂଚନା ମିଳିଛି। ହିତାଧିକାରୀଙ୍କ ପାଖରେ ରାସନ ସାମଗ୍ରୀ ପହଂଚିବା ପାଇଁ ସରକାର ଚାଉଳ ପରିବହନ ଠିକା ଦେଇ ତୃଣମୂଳସ୍ତରରେ ବିତରଣ ପାଇଁ ପଂଚାୟତକୁ ଦାୟିତ୍ବ ଦିଆଯାଇଛି। ଅପରପକ୍ଷରେ ଏକା ସହ ଏତେ ପରିମାଣର ଚାଉଳ ମିଳୁଥିବା ବେଳେ ଏହି ଚାଉଳକୁ କିଣି ନେଇ ରିସାଇକ୍ଲିଂ କରି ପୁଣି ବଜାରରେ ଓ ଯୋଗାଇ ଆସୁଥିବା କିଛି ମିଲର୍ସଙ୍କ ଦଲାଲ ଓ ମଧ୍ୟସ୍ଥ ମାନେ ଚାଉଳ ବିତରଣ କେନ୍ଦ୍ର ନିକଟରେ ଘୁରି ବୁଲୁଥିବା ଦେଖିବାକୁ ମିଳିଛି। ପ୍ରଶାସନ ଏଦିଗରେ ଦୃଷ୍ଟି ଦେବାକୁ ଆଇନଜୀବୀ ରବି କୁମାର , ବାଲା ରାୟ ପ୍ରମୁଖ ଦାବି କରିଛନ୍ତି।