ଦାଦନ ଚାଲାଣ ବେଳେ ପୁଲିସର ଚଢ଼ଉ, ଉଦ୍ଧାର ହେଲେ ୩୦ରୁ ଅଧିକ ଶ୍ରମିକ

କଣ୍ଟାବାଞ୍ଜି/ଟିଟିଲାଗଡ଼ : ଶୁକ୍ରବାର ଟିଟିଲାଗଡ଼ ରେଳ ଷ୍ଟେସନରେ ବାହାର ରାଜ୍ୟ ହାଇଦ୍ରାବାଦ ଏବଂ ବେଙ୍ଗାଲୁରୁକୁ ଚାଲାଣ ହେବାକୁ ଥିବା ଅନେକ ଦାଦନ ଶ୍ରମିକଙ୍କୁ ଟିଟିଲାଗଡ଼ ପୁଲିସ ଉଦ୍ଧାର କରିଛି। ଟିଟିଲାଗଡ଼ ଏସ୍‌ଡିପିଓ ସୁରେନ୍ଦ୍ର ନାଥ ଶତପଥୀ ଦେଇଥିବା ସୂଚନା ଅନୁସାରେ, ସବୁ ବର୍ଷ ଯାଉଥିବା କିଛି ଦାଦନ ଶ୍ରମିକ ଆଜି ଟିଟିଲାଗଡ଼ରୁ ରାଜ୍ୟ ବାହାରକୁ କାମ ପାଇଁ ଯାଉଥିଲେ। ରେଳ ଷ୍ଟେସନରୁ ୩୦ରୁ ଅଧିକ ଦାଦନ ଶ୍ରମିକଙ୍କୁ ଉଦ୍ଧାର କରାଯାଇଛି। ଏମାନଙ୍କ ମଧ୍ୟରୁ ୧୨ ଜଣ ମହିଳା, ୧୦ରୁ ଅଧିକ ଶିଶୁ ସମେତ ଅନେକ ପୁରୁଷ ଶ୍ରମିକ ରହିଛନ୍ତି। ଶ୍ରମିକମାନେ ନିଜ ପଇସାରେ ଟିକଟ କରି ରାଜ୍ୟ ବାହାରକୁ କାମ ପାଇଁ ଯାଉଥିବା ପୁଲିସ ଆଗରେ କହିଥିଲେ। ପରେ ଟିଟିଲାଗଡ଼ ପୁଲିସ ସମସ୍ତଙ୍କ ଟିକଟ ସହ କାଗଜ ପତ୍ର ଯାଞ୍ଚ କରି ଶ୍ରମିକମାନଙ୍କୁ ନିଜ ଗାଁକୁ ପଠାଇବାର ବ୍ୟବସ୍ଥା କରିଛି।

ସମ୍ବନ୍ଧିତ ଖବର