ଭୁବନେଶ୍ୱର: ବହୁପ୍ରତୀକ୍ଷିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ-୨୦୨୨ର ମତଦାନ ପ୍ରକ୍ରିୟା ଶାନ୍ତି ଶୃଙ୍ଖଳାର ସହିତ ଚାଲିଛି। ଦିନ ୧୧ଟା ସୁଦ୍ଧା ରାଜ୍ୟରେ ୩୦ ପ୍ରତିଶତରୁ ଅଧିକ ମତଦାନ ହୋଇଛି। ରାଜ୍ୟ ନିର୍ବାଚନ କମିସନଙ୍କ ସଚିବ ରବୀନ୍ଦ୍ର ନାଥ ସାହୁ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି, ସବୁଠି ଶାନ୍ତି ଶୃଙ୍ଖଳାର ସହିତ ନିର୍ବାଚନ ହେଉଛି। ପ୍ରତି ବ୍ଲକ ହେଡ କ୍ୱାର୍ଟରରେ ମହିଳାମାନଙ୍କ ପାଇଁ ଗୋଟିଏ ଲେଖାଏଁ ପିଙ୍କ ବୁଥ ଖୋଲାଯାଇଛି। ଦିନ ଗୋଟିଏ ସୁଦ୍ଧା ଯେଉଁମାନେ ବୁଥ ଭିତରେ ଥିବେ ସେମାନଙ୍କୁ ଭୋଟ ଦେବାକୁ ସୁଯୋଗ ଦିଆଯିବ ବୋଲି ସେ ସୂଚନା ଦେଇଛନ୍ତି।

Advertisment

ସୂଚନାଯୋଗ୍ୟ, ଆଜି ପ୍ରଥମ ପର୍ଯ୍ୟାୟରେ ରାଜ୍ୟର ୩୦ଟି ଜିଲ୍ଲାର ୭୧ଟି ବ୍ଲକର ୧୬୬୯ଟି ଗ୍ରାମପଞ୍ଚାୟତର ୬୭ଲକ୍ଷ ୫୧ହଜାର ମତଦାତା ୨୨୩୭୯ଟି ବୁଥ୍ରେ ଲୋକେ ସେମାନଙ୍କ ଅଞ୍ଚଳର ସରପଞ୍ଚ, ସମିତି ସଭ୍ୟ, ୱାର୍ଡ ମେମ୍ବର ଏବଂ ୨୦୦ଟି ଜିଲ୍ଲା ପରିଷଦ ସଭ୍ୟଙ୍କୁ ବାଛିବେ। ପୂର୍ବାହ୍ନ ୭ଟାରୁ ଆରମ୍ଭ ହୋଇଥିବା ମତଦାନ ଅପରାହ୍ନ ୧ଟା ଯାଏଁ ଜାରି ରହିବ। ସମ୍ବେଦନଶୀଳ ଅଞ୍ଚଳରେ ସୁରକ୍ଷା କଡ଼ାକଡ଼ି ହୋଇଛି, ପୁଲିସ ନଜର ରଖିଛି। ଶାନ୍ତିଶୃଙ୍ଖଳା ପାଇଁ ତିନି ଥାକିଆ ସୁରକ୍ଷା ବ୍ୟବସ୍ଥା ସହ କୋଭିଡ-୧୯ କଟକଣାକୁ ପାଳନ କରାଯାଉଛି। ମତଦାନ ପାଇଁ ବୁଥଗୁଡ଼ିକରେ ମତଦାତାଙ୍କ ଆଗମନ ଜାରି ରହିଛି। ପ୍ରତ୍ୟେକ ମତଦାତା ଯେପରି ଶୃଙ୍ଖଳିତ ଭାବେ ଭୋଟ ଦେଇପାରିବେ ସେଥିପାଇଁ ଆବଶ୍ୟକ ପଦକ୍ଷେପ ନିଆଯାଇଛି।