ଦୁର୍ଦ୍ଦଶାକୁ ନେଇ ବି ପାତରଅନ୍ତର: ମହାମାରୀ ବେଳେ ୩୦୦ରୁ ଅଧିକ ଶିଶୁ ଅନାଥ

ମା’ କିମ୍ବା ବାପା ଛେଉଣ୍ଡ ହେଲେଣି ୯୬୭ରୁ ଅଧିକ, କୋଭିଡ୍‌ଠାରୁ ବେଶି ଦୁଃଖ ଦେଲାଣି ଅଣକୋଭିଡ୍‌

ଭୁବନେଶ୍ବର : କରୋନା କାଳରେ ରାଜ୍ୟର ୩୦୦ରୁ ଅଧିକ ଶିଶୁଙ୍କୁ ଅନାଥ ହେଲେଣି। କୋଭିଡ୍‌ ଯୋଗୁଁ ୬୪ ଜଣ ଏବଂ ଅଣକୋଭିଡ ଯୋଗୁଁ ୨୪୬ ପିଲା ନିଜ ମା, ବାପାଙ୍କୁ ହରାଇ ବେସାହାରା ହୋଇ ପଡ଼ିଛନ୍ତି। ଅନ୍ୟପକ୍ଷରେ ମା’ କିମ୍ବା ବାପାଙ୍କୁ ହରାଇଥିବା ପିଲାଙ୍କ ସଂଖ୍ୟା (୯୬୭) ହଜାରେ ଛୁଇଁବାକୁ ଯାଉଛି । ଏଥିରୁ କୋଭିଡରେ ୩୭୦ ଜଣ ଏବଂ ଅଣକୋଭିଡରେ ୫୯୭ ପିଲାଙ୍କ କେବଳ ଜଣେ ଅଭିଭାବକ ରହି ଯାଇଛନ୍ତି। ୨୦୨୦ ମସିହା ମାର୍ଚ ମାସ ୨୩ ତାରିଖରୁ ୨୦୨୧ ମସିହା ଜୁନ ୧୬ ତାରିଖ ପର୍ଯ୍ୟନ୍ତ ଏହି ସ୍ଥିତି ରହିଛି। ପ୍ରତିମୁହୂର୍ତ୍ତରେ ସଂଖ୍ୟା ବଢିବାରେ ଲାଗିଥିବାରୁ ଆଗାମୀ ଦିନରେ କାହିଁରେ କେତେ ପିଲା ବେସୋହାର ହୋଇଯିବା ଆଶଙ୍କା କରାଯାଉଛି। ଅଥଚ ଏଭଳି ଅନାଥ ଶିଶୁଙ୍କୁ ମଧ୍ୟ ସହାୟତା ପ୍ରଦାନରେ ପାତରଅନ୍ତର କରୁଛନ୍ତି ସରକାର। କୋଭିଡରେ ମୃତ ବାପାମା’ଙ୍କ ପିଲାଙ୍କୁ ମଧୁବାବୁ ପେନସନ ଯୋଜନାରେ ସାମିଲ କରାଯାଇଛି। କିନ୍ତୁ ଅଣକୋଭିଡ‌୍‌ ରୋଗରେ ମୃତ ବାପାମା’ଙ୍କ ଛେଉଣ୍ଡ ପିଲାଙ୍କୁ ଏଥିରୁ ବାଦ୍‌ ଦିଆଯିବା ନେଇ ପ୍ରଶ୍ନ ଉଠିବା ଆରମ୍ଭ ହେଲାଣି।

ମହାମାରୀରେ ସର୍ବାଧିକ କ୍ଷତିଗ୍ରସ୍ତ ହୋଇଛି ଶୈଶବ। ଦ୍ବିତୀୟ ଲହରରେ ଯୁବକ ଏବଂ ମଧ୍ୟବୟସ୍କଙ୍କ ସର୍ବାଧିକ ମୃତ୍ୟୁ ହୋଇ ଯାଇଥିବାରୁ ଏହାର ପ୍ରଭାବ ସିଧାସଳଖ ଏଭଳି ପିଲାମାନଙ୍କ ପରିବାର ଉପରେ ପଡ଼ିଛି। କିଛି ଦିନ ପୂର୍ବରୁ ଯେଉଁ ପିଲାର ଭବିଷ୍ୟତ ପାଇଁ ଉଭୟ ବ‌‌ାପାମା’ ନିଜର ସବୁ ଶକ୍ତି ଖଟାଇ ଦେଉଥିଲେ, ସବୁ ପ୍ରକାର ପ୍ରତିକୂଳ ସ୍ଥିତି ସହିତ ଲଢ଼ି ଯାଉଥିଲେ, ଅଚାନକ ଗୋଟିଏ ମୁହୂର୍ତ୍ତରେ ପିଲାଟି ଉଭୟଙ୍କୁ କିମ୍ବା ଜଣଙ୍କୁ ହରାଇ ଅସହାୟ ହୋଇ ପଡ଼ୁଛି। ଏବେ ଟିକିଏ ସ୍ନେହ ଏବଂ ସାମାନ୍ୟ ଯତ୍ନ ବି ତା ପାଇଁ ସ୍ବପ୍ନ ପାଲଟିଛି। ରାୟଗଡ଼ା ଭଳି କେଉଁଠି ନିଜ ପିଲାଙ୍କ ଭବିଷ୍ୟତ ପାଇଁ ଦାଦନ ଖଟିବାକୁ ଯାଇଥିବା ମା, ବାପା କୋଭିଡ ଯୋଗୁଁ ଶବ ହୋଇ ଫେରିବା ପରେ ନିଜର ଦୁଇ ନାବାଳିକା ଝିଅଙ୍କୁ ଅନାଥ କରି ଦେଇଛନ୍ତି। ବାଲେଶ୍ବରରେ ଅଚାନକ ବାପା, ମାଙ୍କୁ ହରାଇ ୪୫ ଦିନର ଭାଇର ପାଳନ ଦାୟିତ୍ବ ୭ ବର୍ଷର ବଡ଼ ଭଉଣୀ ମୁଣ୍ଡାଇଛି। ସମ୍ବଲପୁରରେ ପୂର୍ବରୁ ବାପା ଛେଉଣ୍ଡ ଥିବା ୭ ଏବଂ ୩ ବର୍ଷର ଦୁଇ ଭାଇ, ଭଉଣୀ ଅଣକୋଭିଡରେ ମା’ଙ୍କୁ ହରାଇବା ପରେ ଅନାଥ ହୋଇ ବଡ଼ବାପାଙ୍କ ପାଖରେ ଅଛନ୍ତି। ଏମିତି ଅନାଥ ପିଲାଙ୍କ ଦୁର୍ଦ୍ଦଶାର ତାଲିକା ଆହୁରି ଲମ୍ବା। ପ୍ରତିଦିନ ଏଭଳି ହତଭାଗ୍ୟ ପିଲାଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। କୋଭିଡ ଯୋଗୁଁ ଯେତେ ଲୋକଙ୍କ ମୃତ୍ୟୁ ହେଉଛି, ଅଣକୋଭିଡରେ ମୃତକଙ୍କ ସଂଖ୍ୟା ତା’ଠୁ ଯଥେଷ୍ଟ ଅଧିକ। ଏହାର ବିଭିନ୍ନ କାରଣ ମଧ୍ୟରୁ ବଡ଼ କାରଣଟି ହେଲା ଅଧିକାଂଶ କ୍ଷେତ୍ରରେ କୋଭିଡ ମୃତ୍ୟୁକୁ ସ୍ବୀକାର କରାଯାଉ ନାହିଁ। କୋଭିଡ ଡାକ୍ତରଖାନାରେ କୋଭିଡରେ ମୃତ୍ୟୁ ପରେ ବି ଡାକ୍ତରଖାନା ପ୍ରମାଣପତ୍ରରେ ମୃତ୍ୟୁର କାରଣ ଅଣକୋଭିଡ ଲେଖାଯଉଛି। ଏହି ପ୍ରମାଣପତ୍ର ପାଇବା ମଧ୍ୟ ପରିବାର ପାଇଁ କାଠିକର ପାଠ ହୋଇ ପଡ଼ୁଛି।

ଦ୍ବିତୀୟତଃ ବର୍ତ୍ତମାନ କୋଭିଡ ଏବଂ ଲକଡାଉନ୍ ସମୟରେ ଅଣକୋଭିଡ ଚିକିତ୍ସା ବାଧାପ୍ରାପ୍ତ ହୋଇ ମୃତ୍ୟୁ ବଢିବାରେ ଲାଗିଛି। ଏହି ସ୍ଥିତିକୁ ଉପଲବ୍ଧ କରି ଉଚ୍ଚତମ ନ୍ୟାୟାଳୟ ନିର୍ଦେଶରେ ସରକାରଙ୍କ ପକ୍ଷରୁ ମହାମାରୀରେ ଅନାଥ ହୋଇଥିବା ପିଲାଙ୍କ ସଂଖ୍ୟା ନେଇ ବାଲ ସ୍ବରାଜ ପୋର୍ଟାଲରେ ନିୟମିତ ତଥ୍ୟ ପ୍ରଦାନ ପାଇଁ ନିର୍ଦେଶ ହୋଇଛି। ପିଲାଙ୍କ ସ୍ଥିତିକୁ ନେଇ ନ୍ୟାୟାଳୟ ଇତିମଧ୍ୟରେ ଦୁଇ ଥର ଶୁଣାଣି ମଧ୍ୟ କରିଛନ୍ତି। ତୃତୀୟ ଶୁଣାଣି ଆଗାମୀ ସପ୍ତାହରେ ହେବ। ସରକାରଙ୍କ ପକ୍ଷରୁ ଅନାଥ ଏବଂ କିଛି ପ୍ରଶାସନ ପକ୍ଷରୁ ବାପା ଛେଉଣ୍ଡ ପିଲାଙ୍କ ତାଲିକା ପ୍ରସ୍ତୁତ କରାଯାଉଛି। ଏହି ତାଲିକା ଅନୁଯାୟୀ ରାଜ୍ୟରେ ଝାରସୁଗୁଡ଼ାରେ କୋଭିଡରେ ଅନାଥ ପିଲାଙ୍କ ସଂଖ୍ୟା ସର୍ବାଧିକ। ମାଲକାନଗିରି, କଳାହାଣ୍ଡି, ଭଦ୍ରକ, ଅନୁଗୁଳ, ଦେବଗଡ଼ରେ ଅଣକୋଭିଡରେ ଅନାଥ ସଂଖ୍ୟା କାହିଁରେ କେତେ। ଜଣେ ଅଭିଭାବକ ହରାଇଥିବା ପିଲାଙ୍କ ସଂଖ୍ୟା ମଧ୍ୟ ବିଭିନ୍ନ ଜିଲ୍ଲାରେ ୫୦ରୁ ଅଧିକ ଅଟେ। ସବୁ ପିଲାଙ୍କ ଦୁଃଖ ଗୋଟିଏ ପ୍ରକ‌ାର। ପ୍ରାଥମିକ ସ୍ତରରେ ବାପା, ମା ଛେଉଣ୍ଡ ପିଲାଙ୍କୁ ତାଙ୍କ ସମ୍ପର୍କୀୟଙ୍କ ଘରେ ରଖାଯାଉଛି। ଯେଉଁଠି କେହି ନାହାନ୍ତି ତାଙ୍କୁ ଶିଶୁ ପ୍ରଯତ୍ନ ଗୃହରେ ରଖାଯାଉଛି। ଅସ୍ଥାୟୀ ଭାବରେ କିଛି ପରିବାରକୁ ରାସନ ସାମଗ୍ରୀ ଦିଆଯାଇଥିବା ବିଭିନ୍ନ ଜିଲ୍ଲାର ଡିସିପିଓମାନେ କହିଛନ୍ତି। ତେବେ ଅନାଥ ପିଲାଙ୍କ ପାଇଁ ସରକାରଙ୍କ ପକ୍ଷରୁ ମାସିକ ୨ ହଜାର ଟଙ୍କା ହିସାବରେ ସ୍ପନସରସିପ୍ କାର୍ଯ୍ୟକ୍ରମ ରହିଛି। ମାତ୍ର ବର୍ତ୍ତମାନ ପର୍ଯ୍ୟନ୍ତ କେତେ ଜଣଙ୍କୁ ଏହା ଦିଆଯାଇଛି, ତାହା ସ୍ପଷ୍ଟ ନୁହେଁ। ପ୍ରତି ଜିଲ୍ଲାରେ ସ୍ପନସରସିପ ଅନ୍ତର୍ଗତରେ ୧୦ ଲକ୍ଷ ଟଙ୍କା ମଞ୍ଜୁର ହୁଏ। ବର୍ତ୍ତମାନ ସଂଖ୍ୟା ଯେତେ ବଢିବାରେ ଲାଗିଛି, ଟଙ୍କା ପରିମାଣ ବୃଦ୍ଧି କରାନଗଲେ ସ୍ପନସରସିପ୍‌ ଯୋଜନା ପ୍ରହସନ ହୋଇଯିବ।

ବର୍ତ୍ତମାନ ସମୟରୁ ସରକାରଙ୍କ ପକ୍ଷରୁ ଏହି ଅନାଥ ପିଲାଙ୍କ ପାଇଁ ବ୍ୟବସ୍ଥା ନ କଲେ ଆପରାଧିକ ଗୋଷ୍ଠୀ ସେମାନଙ୍କୁ ଅପରାଧ ଜଗତକୁ ଟାଣିନେବେ। ଶ୍ରମ ଦଲାଲ ସେମାନଙ୍କ ଆର୍ଥିକ ଶୋଷଣ କରି ବାହାରକୁ ଚ‌ାଲାଣ କରିଦେବାର ଆଶଙ୍କା ମଧ୍ୟ ରହିଛି। ଏହି ସମସ୍ତଙ୍କ ମଧ୍ୟରେ ଶିଶୁ କନ୍ୟାଙ୍କ ଅବସ୍ଥା ଆହୁରି ଦୁର୍ବିଷହ । ବାପା, ମାଙ୍କୁ ହରାଇବା ପରେ ସେମାନଙ୍କ ସୁରକ୍ଷା ବର୍ତ୍ତମାନ ବିପନ୍ନ ହେଲାଣି। ଏହି ସମୁଦାୟ ସ୍ଥିତି ପ୍ରତି ସରକାର ଦୃଷ୍ଟି ଦେବାକୁ ସାମାଜିକ କର୍ମୀ ଓ ସଂଗଠକମାନେ ମତ ଦେଇଛନ୍ତି।

ଅନାଥ, ବାପା କିମ୍ବା ମା ଛେଉଣ୍ଡ ପିଲାଙ୍କ ସଂଖ୍ୟା (କିଛି ଜିଲ୍ଲାର ତଥ୍ୟ)
ଜିଲ୍ଲା ମା, ବାପା ଛେଉଣ୍ଡ ମା କିମ୍ବା ବାପା ଛେଉଣ୍ଡ
ବୌଦ୍ଧ ୩ ୫୧ (ସମ୍ପୂର୍ଣ୍ଣ ନୁହେଁ)
ଅନୁଗୁଳ ୩୯
ଭଦ୍ରକ ୧୩ ୧୫
ଗଞ୍ଜାମ ୫ –
କଟକ ୭ ୫୩
ଦେବଗଡ଼ ୧୧
ଝାରସୁଗୁଡ଼ା ୬ ୩୭
କଳାହାଣ୍ଡି ୧୭ ୨୬
କନ୍ଧମାଳ – ୩୫
ମାଲକାନଗିରି୯ ୯୬
ମୟୁରଭଞ୍ଜ ୮ –
ନବରଙ୍ଗପୁର ୨୩ ୨୧
ସୁନ୍ଦରଗଡ଼ ୧୧ ୨୧
ସମ୍ବଲପୁର ୩ –
ବରଗଡ଼ ୭ ୧୨

ସମ୍ବନ୍ଧିତ ଖବର