ମରଣମୁହଁରେ ୩ହଜାରରୁ ଅଧିକ ଏଚ୍‌ଆଇଭି ଆକ୍ରାନ୍ତ ପିଲା

ବୟସ୍କଙ୍କ ଔଷଧକୁ ଭାଙ୍ଗି ପିଲାଙ୍କୁ ଦେଉଛି ଏଆରଟି ସେଣ୍ଟର, ଔଷଧ କିଣିପାରୁନି ଓସାକ୍ସ

ଭୁବନେଶ୍ବର : ମରଣମୁହଁରେ ରାଜ୍ୟରେ ହଜାର ହଜାର ଏଚ୍‌ଆଇଭି ଆକ୍ରାନ୍ତ ପିଲା। ଗତ କିଛି ମାସ ହେବ ସେମାନଙ୍କୁ ଠିକ୍‌ରେ ଔଷଧ ମିଳିପାରୁନି। କେଉଁ କେଉଁ ଜିଲ୍ଲାରେ ପିଲାମାନେ ବାଧ୍ୟରେ ଔଷଧ ଖାଇବା ଛାଡ଼ି ଦେଇଛନ୍ତି। ଜାତୀୟ ଏଡ୍‌ସ ନିୟନ୍ତ୍ରଣ ସଂସ୍ଥା(ନାକୋ) ଓ ଓଡ଼ିଶା ରାଜ୍ୟ ଏଡ୍‌ସ ନିୟନ୍ତ୍ରଣ ସମିତି(ଓସାକ୍ସ) ପିଲାଙ୍କୁ ଔଷଧ ଯୋଗାଇବାରେ ବିଫଳ ହୋଇଛନ୍ତି। ସ୍ଥିତି ଏପରି ହୋଇଛି ଯେ ବୟସ୍କଙ୍କ ଲାଗି ଉଦ୍ଦିଷ୍ଟ ଔଷଧକୁ ଭାଙ୍ଗି ଅଧାକୁ ପିଲାମାନଙ୍କୁ ଖାଇବାକୁ ଦିଆଯାଉଥିବା ଅଭିଯୋଗ ହେଉଛି। ଏଭଳି ପରିସ୍ଥିତିରେ ପିଲାମାନଙ୍କୁ ସେମାନଙ୍କ ଔଷଧ ତୁରନ୍ତ ଯୋଗାଇବାକୁ ଦାବି ହୋଇଛି।

ରାଜ୍ୟରେ ବର୍ତମାନ ୧୮ବର୍ଷରୁ କମ୍ ୩ହଜାରରୁ ଅଧିକ ଏଚ୍‌ଆଇଭିରେ ଆକ୍ରାନ୍ତ ପିଲା ଅଛନ୍ତି। ଏଆରଟି କେନ୍ଦ୍ରରୁ ସେମାନଙ୍କୁ ଲାଗି ଉଦ୍ଦିଷ୍ଟ ସ୍ବତନ୍ତ୍ର ଔଷଧ ଦିଆଯାଉଛି। ପିଲାଙ୍କ ପାଇଁ ଉପଲବ୍ଧ ଫାଷ୍ଟ ଲାଇନ୍‌ ଡ୍ରଗ୍ ଏଆରଟି କେନ୍ଦ୍ରରେ ମିଳୁନାହିଁ। ସେକେଣ୍ଡ ଲାଇନ୍ ଡ୍ରଗ୍‌ର ୩ଟି କମ୍ବିନେସନରୁ କିଛି ମିଳୁଛି ତ ଆଉ କିଛି ନାହିଁ। ଭୁବନେଶ୍ବରଠାରୁ ଆରମ୍ଭ କରି ଅନୁଗୁଳ, ରାଉରକେଲା ଓ ଅନ୍ୟ କେନ୍ଦ୍ରରେ ଏଭଳି ଅବ୍ୟବସ୍ଥା ସାମ୍ନାକୁ ଆସିଲାଣି। କେତେଦିନ ପର୍ଯ୍ୟନ୍ତ ଏଭଳି ଅବ୍ୟବସ୍ଥା ଲାଗି ରହିବ ତାହା ସଂପର୍କରେ କିଛି ସ୍ପଷ୍ଟ ସୂଚନା ମିଳୁନାହିଁ। ମାସ ମାସ ଧରି ଔଷଧ ମିଳୁ ନ ଥିବାରୁ ଅନେକ ଶିଶୁ ଏଆରଟି କେନ୍ଦ୍ରକୁ ଯିବା ଛାଡ଼ି ଦେଇଛନ୍ତି।

The Pulse

ବିଶେଷଜ୍ଞଙ୍କ ମତରେ ଏଚ୍‌ଆଇଭି ଆକ୍ରାନ୍ତ(ପିଏଲଏଚ୍‌ଆଇଭି)ଙ୍କୁ ଦିଆଯାଉଥିବା ଔଷଧ ମୁଖ୍ୟତଃ ୩ ପ୍ରକାରର ସୁରକ୍ଷା ଦେଇଥାଏ। ନିୟମିତ ଔଷଧ ଖାଇଲେ ଏହା ଶରୀରରେ ଭୂତାଣରୁ ମଲ୍‌ଟିପ୍ଲିକେସନ୍ ବା ବହୁଗୁଣିତ ହେବାକୁ ରୋକିଥାଏ। ଏହାସହ ଅନ୍ୟକୁ ବ୍ୟାପିବାରୁ ରୋକିବା ଓ ଆକ୍ରାନ୍ତ ବ୍ୟକ୍ତିଙ୍କୁ ଅନ୍ୟ ରୋଗରୁ ରକ୍ଷା କରିଥାଏ। କିନ୍ତୁ ଏହି ଔଷଧର କ୍ଷମତା ୨୪ଘଣ୍ଟା ପର୍ଯ୍ୟନ୍ତ ରହୁଥିବାରୁ ପ୍ରତ୍ୟେକ ଦିନ ଔଷଧ ଖାଇବାକୁ ପଡ଼ିଥାଏ। ଔଷଧ ବନ୍ଦ କଲେ ଶରୀରରେ ଭାଇରାଲ ଲୋଡ ବଢ଼ିଯାଏ। ତେଣୁ ପିଲାମାନେ ନିୟମିତ ଔଷଧ ନ ଖାଇବା, ସେମାନଙ୍କୁ ମରଣମୁହଁକୁ ଠେଲି ଦେବା ସହିତ ସମାନ। ଏହାସହ ବୟସ୍କଙ୍କ ପାଇଁ ଉପଲବ୍ଧ ଔଷଧକୁ ଭାଙ୍ଗି ପିଲାଙ୍କୁ ଦିଆଯିବାରେ ମଧ୍ୟ ସମସ୍ୟା ହୋଇପାରେ। ପିଲାମାନେ ଅଧିକ ସମ୍ବେଦନଶୀଳ ହୋଇଥିବାରୁ ଯଦି କମ୍ବିନେସନ ଭୁଲ୍ ହେବ ତାହାଲେ ଶରୀରରେ ଡ୍ରଗ୍‌ ରେଜିଷ୍ଟାନ୍ସ ସହିତ ଅନ୍ୟ ରୋଗ ଆକ୍ରମଣ କରିବାର ମଧ୍ୟ ଭୟ ରହିଛି।

ଓସାକ୍ସ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ନାକୋ ପକ୍ଷରୁ ପିଲାମାନଙ୍କ ପାଇଁ ଉଦ୍ଦିଷ୍ଟ ଔଷଧର ଯୋଗାଣ ହୋଇଥାଏ। ମାତ୍ର ଗତ କିଛିମାସ ହେବ ନାକୋ ଏହି ଔଷଧ ଦେଉନାହିଁ। ଏଥିପାଇଁ ରାଜ୍ୟର ସମିତିମାନଙ୍କୁ ଟଙ୍କା ଦେବା ସହିତ ଔଷଧ କିଣି ପିଲାଙ୍କୁ ଦେବାକୁ ନିର୍ଦେଶ ଦେଇଛି। ଏଥିପାଇଁ ୨୦୨୨/୨୩ ଆର୍ଥିକ ବର୍ଷରେ ଓସାକ୍ସକୁ ୨୦ଲକ୍ଷ ଟଙ୍କା ମିଳିଛି। ଯଦି ଅଧିକ ଅର୍ଥର ଆବଶ୍ୟକତା ପଡ଼େ ତାହାଲେ ବାଲାନ୍ସ ଅର୍ଥରୁ ଔଷଧ କିଣିବା ଲାଗି ନାକୋ ପକ୍ଷରୁ ସମିତିମାନଙ୍କୁ କୁହାଯାଇଛି। ଗତ ଏପ୍ରିଲ ମାସରୁ ନାକୋ ଏହି ଚିଠି ଲେଖିଥିଲେ ହେଁ ୩ମାସ ଭିତରେ ଓସାକ୍ସ ଏହି ଔଷଧ କିଣିବା ଲାଗି ତତ୍ପରତା ଦେଖାଇନାହିଁ। ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଲଗାତାର ଔଷଧ ସମସ୍ୟା ନେଇ ଅଭିଯୋଗ ବଢ଼ିବାରେ ଲାଗିଛି।

ଓସାକ୍ସର ସହକାରୀ ନିର୍ଦେଶକ(ସିଏସ୍‌ଟି,ଭାରପ୍ରାପ୍ତ) ଶାନ୍ତନୁ ପୃଷ୍ଟିଙ୍କୁ ଏ ସଂପର୍କରେ ବାରମ୍ବାର ଯୋଗାଯୋଗ କରାଯାଇଥିଲା। ତାଙ୍କ ନିକଟରୁ କୌଣସି ଉତ୍ତର ମିଳିପାରି ନାହିଁ।

ସମ୍ବନ୍ଧିତ ଖବର