ଅଗଷ୍ଟରେ ଆସିବ ୩୩ଲକ୍ଷରୁ ଅଧିକ ଡୋଜ୍

ଜିଲ୍ଲାମାନଙ୍କ ପାଇଁ ଜାରି ହେଲା ସଂଶୋଧିତ ଟିକାକରଣ ଲକ୍ଷ୍ୟ

ଭୁବନେଶ୍ବର : ଅଗଷ୍ଟ ମାସରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ମାଗଣାରେ ୩୩ଲକ୍ଷରୁ ଅଧିକ ଡୋଜ୍ ଟିକା ଦିଆଯିବ। ଏହାସହ ଘରୋଇ ହସ୍ପିଟାଲକୁ ୨୫ ପ୍ରତିଶତ ଅନୁପାତ ଅନୁଯାୟୀ ୯ଲକ୍ଷ ୭୬ହହଜାର ୨୯୦ ଡୋଜ୍ ଟିକା ଉପଲବ୍ଧ ହେବ। ତେଣୁ ଉଭୟ ସରକାରୀ ଓ ‌ଘରୋଇ ହସ୍ପିଟାଲକୁ ମିଳିବାକୁ ଥିବା ଟିକାର ସଂଖ୍ୟାକୁ ମିଶାଇଲେ ଏହା ୪୩.୪୮ଲକ୍ଷ ହେବ ବୋଲି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଜଣାପଡ଼ିଛି। ଏଥିରେ ‘କୋଭିସିଲ୍‌ଡ’ର ୨୯.୫୬ଲକ୍ଷ ଥିବା ବେଳେ କୋଭାକ୍ସିନ୍ ୪.୧୫ଲକ୍ଷ ଡୋଜ୍ ରହିଛି।

ଅପରପକ୍ଷରେ ଚଳିତ ଜୁଲାଇ ମାସରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ସମୁଦାୟ ୫୪.୯୨ଲକ୍ଷ ଡୋଜ୍ ଟିକା ରାଜ୍ୟକୁ ଯୋଗାଇ ଦିଆଯାଇଛି। ପୂର୍ବରୁ କେନ୍ଦ୍ର ସରକାର ୩୦.୫୧ଲକ୍ଷ ଡୋଜ୍ ଟିକା ଦେବେ ବୋଲି ଘୋଷଣା କରିଥିଲେ। ତେବେ ରାଜ୍ୟରେ ଟିକାର ନଷ୍ଟ ବିଯୁକ୍ତାତ୍ମକରେ ରହିଥିବା ଦୃଷ୍ଟିରୁ କେନ୍ଦ୍ର ସରକାର ପୂର୍ବରୁ ଆବଣ୍ଟିତ ଟିକାର ପରିମାଣକୁ ବଢ଼ାଇଛନ୍ତି। ଏ ଦୃଷ୍ଟିରୁ ଚଳିତ ଅଗଷ୍ଟ ମାସରେ ମଧ୍ୟ କେନ୍ଦ୍ର ସରକାର ଯେତିକି ପରିମାଣର ଟିକା ଆବଣ୍ଟିତ କରିଛନ୍ତି ତାଠାରୁ ଅଧିକ ସଂଖ୍ୟାରେ ଟିକା ରାଜ୍ୟକୁ ମିଳିବ ବୋଲି ଆଶା କରାଯାଉଛି। ଏହାସହ ଓଡ଼ିଶା ସମେତ କିଛି ରାଜ୍ୟ କେନ୍ଦ୍ର ସରକାର ଘରୋଇ ହସ୍ପିଟାଲମାନଙ୍କ ପାଇଁ ଆବଣ୍ଟିତ କରିଥିବା ୨୫ ପ୍ରତିଶତ ଡୋଜ୍‌କୁ ସଂଶୋଧିତ କରିବା ପାଇଁ ଦାବି କରିଥିଲେ। ତେଣୁ କେନ୍ଦ୍ର ସରକାର ଏଥିରେ ସଂଶୋଧନ କରିପାରନ୍ତି ବୋଲି ଅନୁମାନ କରାଯାଉଛି। ରାଜ୍ୟରେ ଟିକାର ପରିମାଣ ବଢ଼ିବା ପରେ ପୁଣିଥରେ ଟିକାକରଣ ନିଜର ପୂର୍ବସ୍ଥିତିକୁ ଫେରିଛି। ଏବେ ଦୈନିକ ପ୍ରାୟ ୧.୯୪ଲକ୍ଷ ଡୋଜ୍ ଟିକା ଜୁଲାଇ ୧୬ତାରିଖରୁ ୨୯ତାରିଖ ଭିତରେ ଦିଆଯାଇଛି। ରାଜ୍ୟ ସରକାର ଦୈନିକ ୩.୫ଲକ୍ଷ ଟିକାକରଣ କରିବା ଲାଗି ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି। ଏ ଦୃଷ୍ଟିରୁ ଜିଲ୍ଲାସ୍ତରରେ ଦ୍ବିତୀୟ ଡୋଜ୍ ଅବଧି ହୋଇଥିବା ଲୋକମାନଙ୍କ ଟିକାକରଣକୁ ବଢ଼ାଇବା ଲାଗି କୁହାଯାଇଛି। ଏ ଦୃଷ୍ଟିରୁ ଗଞ୍ଜାମରେ ଦୈନିକ ୨୮ହଜାର, କଟକ ୨୦ହଜାର, ମୟୂରଭଞ୍ଜ ୧୯ହଜାର, ବାଲେଶ୍ବର ୧୮ହଜାର, ସୁନ୍ଦରଗଡ଼ ୧୬ହଜାର ଓ ଯାଜପୁରରେ ୧୫ହଜାର ଟିକାକରଣ କରିବା ଲାଗି ବିଭାଗ ପକ୍ଷରୁ ସଂଶୋଧିତ ଲକ୍ଷ୍ୟ ଧାର୍ଯ୍ୟ ହୋଇଛି।

ଶନିବାର ରାଜ୍ୟରେ ୧.୬୧ଲକ୍ଷ ଲୋକଙ୍କୁ ଟିକା ଦିଆଯାଇଛି। ଯାହାଫଳରେ ରାଜ୍ୟରେ ସମୁଦାୟ ଡୋଜ୍ ପରିମାଣ ୧.୬୪କୋଟିକୁ ବୃଦ୍ଧି ପାଇଛି। ୧.୨୫ କୋଟି ଲୋକ ଅତିକମ୍‌ରେ ଗୋଟିଏ ଡୋଜ୍ ‌ଟିକା ନେଇଥିବା ବେଳେ ୩୯.୧୧ ଲକ୍ଷ ରାଜ୍ୟରେ ଦୁଇଟି ଡୋଜ୍ ନେଇଛନ୍ତି। ଏହାସହ ୩୮,୪୪୧ ଗର୍ଭବତୀ ମହିଳା ଏ ପର୍ଯ୍ୟନ୍ତ କରୋନା ଟିକା ନେଇଛନ୍ତି।

ସମ୍ବନ୍ଧିତ ଖବର