ବଢ଼ିଲା ଟିକାକରଣ କେନ୍ଦ୍ର ସଂଖ୍ୟା: ପୁଣି ଟିକା ନେଲେ ୪ଲକ୍ଷରୁ ଅଧିକ

ଭୁବନେଶ୍ବର : ରାଜ୍ୟରେ ଟିକାକରଣକୁ ତ୍ବରାନ୍ବିତ କରିବା ଲାଗି ରାଜ୍ୟରେ ଅଧିକ ସଂଖ୍ୟାରେ ଟିକାକରଣ କେନ୍ଦ୍ର ଖୋଲିଛି। ପୂର୍ବରୁ ରାଜ୍ୟରେ ୧୬ଶହ ଟିକାକରଣ କେନ୍ଦ୍ର ଚାଲିଥିବା ବେଳେ ଏବେ ୧୭ଶହରୁ ଅଧିକ କେନ୍ଦ୍ରରେ ଟିକାଦାନ କରାଯାଉଛି। ରାଜ୍ୟରେ ଏବେ ଦୈନିକ ୪ଲକ୍ଷରୁ ଅଧିକ ଟିକାଦାନ ପାଇଁ ଲକ୍ଷ୍ୟ ଧାର୍ଯ୍ୟ ହୋଇଥିବାରୁ ଟିକାଦାନ କେନ୍ଦ୍ରକୁ ସେହି ଅନୁଯାୟୀ ବୃଦ୍ଧି କରାଯାଇଛି। ସମ୍ଭାବ୍ୟ ତୃତୀୟ ଲହରକୁ ନଜରରେ ରଖି ଅଧିକରୁ ଅଧିକ ଯୋଗ୍ୟ ହିତାଧିକାରୀଙ୍କୁ ଟିକା ଦେବା ଲାଗି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଗୁରୁତ୍ବ ଦିଆଯାଉଛି।

ରାଜ୍ୟ ଟିକାକରଣ ନୋଡାଲ ଅଧିକାରୀ ଡା.ବିଜୟ ପାଣିଗ୍ରାହୀ କହିଛନ୍ତି, ଏବେ ଗ୍ରାମାଞ୍ଚଳରେ ଟିକାକରଣକୁ ଅଧିକ ଗୁରୁତ୍ବ ଦିଆଯାଇଛି। ସହରାଞ୍ଚଳ ଅପେକ୍ଷା ଗ୍ରାମାଞ୍ଚଳରେ ୬୦ ପ୍ରତିଶତରୁ ଅଧିକ ଟିକାକରଣ ହୋଇଛି। ଦୈନିକ ୪ଲକ୍ଷ ଟିକାକରଣ ଲକ୍ଷ୍ୟ ଧାର୍ଯ୍ୟ ହୋଇଥିବାରୁ ଆବଶ୍ୟକ ପଡ଼ିଲେ ମହିଳାଙ୍କ ପାଇଁ ସ୍ବତନ୍ତ୍ର ଟିକାକରଣ କେନ୍ଦ୍ର ଖୋଲାଯିବ ବୋଲି ଡା. ପାଣିଗ୍ରାହୀ ସୂଚନା ଦେଇଛନ୍ତି।

ରାଜ୍ୟରେ ଆଜି ୧୭୫୧ ଟିକାକରଣ ଅଧିବେଶନ ଅନୁଷ୍ଠିତ ହୋଇଥିଲା। ଏଥିରେ ୪ଲକ୍ଷ ୫ହଜାର ୪୫୩ ହିତାଧିକାରୀଙ୍କୁ ଟିକା ଦିଆଯାଇଛି। ୧୮-୪୪ବର୍ଗରେ ୧ଲକ୍ଷ ୬୧ହଜାର ୬୨୧ ପ୍ରଥମ ଓ ୧ଲକ୍ଷ ୧୬ହଜାର ୭୪୭ ଦ୍ବିତୀୟ ଡୋଜ୍ ଟିକା ନେଇଛନ୍ତି। ସେହିପରି ୪୫ବର୍ଷରୁ ଅଧିକ ୬୭,୦୮୯ ପ୍ରଥମ ଓ ୫୮,୪୧୧ ଦ୍ବିତୀୟ ଡୋଜ୍ ଟିକା ଦିଆଯାଇଛି। ଏହାସହ ୩୩୦୦ ଗର୍ଭବତୀ ମହିଳା ଟିକା ନେଇଛନ୍ତି। ରାଜ୍ୟରେ ୧୮-୪୪ବର୍ଗର ୫୭ ପ୍ରତିଶତ ଓ ୪୫ବର୍ଷରୁ ଅଧିକ ୭୯ ପ୍ରତିଶତ ହିତାଧିକାରୀ ଅତିକମ୍‌ରେ ପ୍ରଥମ ଡୋଜ୍ ଟିକା ନେଇ ସାରିଲେଣି। ରାଜ୍ୟରେ ଏ ପର୍ଯ୍ୟନ୍ତ ୨ କୋଟି ୮୭ଲକ୍ଷ ୩୪ହଜାର ୮୪୯ ଡୋଜ୍ ଟିକା ଦିଆଗଲାଣି। ଆସନ୍ତାକାଲି ରାଜ୍ୟରେ ୧୭୯୩ ଟିକାକରଣ ଅଧିବେଶନ ଅନୁଷ୍ଠିତ ହେବା ନେଇ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ସମ୍ବନ୍ଧିତ ଖବର