ଦୈନିକ ସଂକ୍ରମଣ ୪ଶହ ଉପରେ, ଆଣ୍ଟିବଡି ମାତ୍ରା ଖସୁଛି କି?

ଭୁବନେଶ୍ବର : ଡରାଇଲାଣି କରୋନାର ଦ୍ବିତୀୟ ଲହର। ବିଶେଷକରି ପଶ୍ଚିମ ଓଡ଼ିଶାର ୧୦ଟି ଜିଲ୍ଲା ଏହାର କବଳରେ ରହିଛି। ଏସବୁ ଜିଲ୍ଲାଗୁଡ଼ିକରେ ସଂକ୍ରମଣ ପ୍ରତ୍ୟେକ ଦିନ ନୂଆ ରେକର୍ଡ କରୁଛି। ଏହାସହ ରାଜ୍ୟରେ ଲଗାତାର ଦ୍ବିତୀୟ ଦିନ ଲାଗି ୪ ଶହରୁ ଅଧିକ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି। ଏପରିକି ୧ମାସ ବ୍ୟବଧାନରେ ମାଲକାନଗିରିରେ ୨ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ମାର୍ଚ ୪ ତାରିଖରେ ଶେଷଥର ଲାଗି ଜିଲ୍ଲାରେ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଥିଲା। ମାଲକାନଗିରିରେ ଆକ୍ରାନ୍ତ ଚିହ୍ନଟ ହେବା ପରେ ରାଜ୍ୟର ୩୦ଟି ଜିଲ୍ଲାରେ ଏବେ ଚିକିତ୍ସାଧୀନ ରୋଗୀ ରହିଛନ୍ତି। ଦିନକୁ ଦିନ ସଂକ୍ରମଣ ବଢ଼ୁଥିବାରୁ ରାଜ୍ୟ ସରକାର ମାଲକାନଗିରି ସମେତ ୧୦ଟି ଜିଲ୍ଲାରେ ରାତ୍ରକାଳୀନ କର୍ଫ୍ୟୁ ଲାଗୁ କରିଛନ୍ତି।

ରାଜ୍ୟ ସ୍ବାସ୍ଥ୍ୟ ବିଭାଗର ଜଣେ ବରିଷ୍ଠ ଅଧିକାରୀଙ୍କ କହିବା କଥା, ଲୋକମାନେ ପୂର୍ବପେକ୍ଷା ଅଧିକ ଖୋଲା ହୋଇଯାଇଛନ୍ତି। ଫଳରେ ଗତବର୍ଷ ଯେଉଁ ଢଙ୍ଗରେ ସଂକ୍ରମଣ ବଢ଼ୁଥିଲା, ତା’ଠାରୁ ଅଧିକ ମାତ୍ରାରେ ସଂକ୍ରମଣ ବ୍ୟାପୁଛି। ଏହାସହ ଗତବର୍ଷ ଯେତେବେଳେ ରାଜ୍ୟରେ ସଂକ୍ରମଣ ଶୀର୍ଷରେ ରହିଥିଲା, ସେ ସମୟରେ ଲୋକମାନଙ୍କଠାରେ ଆଣ୍ଟିବଡି ସୃଷ୍ଟି ହୋଇଥିଲା। ପ୍ରାୟତଃ ଆଣ୍ଟିବଡି ଶରୀରରେ ୫/୬ମାସ ପର୍ଯ୍ୟନ୍ତ ରହୁଥିବା ବିଶ୍ବସ୍ତରରେ ବୈଜ୍ଞାନିକମାନେ ମତ ଦେଉଛନ୍ତି। ତେଣୁ ଓଡ଼ିଶାରେ ମଧ୍ୟ ସମାନ ସ୍ଥିତି ଦେଖିବାକୁ ମିଳି ଥାଇପାରେ। ମାତ୍ର ତାହା ଉପରେ ଅଧିକ ପରୀକ୍ଷଣ ଜାରି ରହିଛି। କିଛି ଦିନ ପରେ ଏହା ସ୍ପଷ୍ଟ ହୋଇପାରିବ। ଏହାସହ କରୋନାର ଏକ ଭିନ୍ନ ଷ୍ଟ୍ରେନ୍‌କୁ ମଧ୍ୟ ସଂକ୍ରମଣ ପାଇଁ ଦାୟୀ କରାଯାଇପାରେ। ଓଡ଼ିଶାରେ ଏ ପର୍ଯ୍ୟନ୍ତ ନୂତନ ଷ୍ଟ୍ରେନ୍ ସଂପର୍କରେ ସୂଚନା ମିଳି ନଥିବା ଅଧିକାରୀଜଣକ ସୂଚନା ଦେଇଛନ୍ତି।

ରାଜ୍ୟରେ ଗତ ୨୪ ଘଣ୍ଟାରେ ରାଜ୍ୟରେ ୨୬,୭୦୦ କୋଭିଡ୍‌ ନମୁନା ପରୀକ୍ଷା ହୋଇଥିବା ବେଳେ ତହିଁରୁ ୪୫୨ ନୂତନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ରାଜ୍ୟରେ ଟେଷ୍ଟ ପଜିଟିଭ୍ ରେଟ୍ ବା ଟିପିଆର୍‌ ୧.୭ ପ୍ରତିଶତକୁ ବୃଦ୍ଧି ପାଇଛି। ପଶ୍ଚିମ ଓଡ଼ିଶାର ଏକାଧିକ ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା ପୂର୍ବାପେକ୍ଷା ଆହୁରି ବଢ଼ିବାରେ ଲାଗିଛି। ଖୋର୍ଧାରେ ସର୍ବାଧିକ ୭୭ଜଣ ଚିହ୍ନଟ ହୋଇଛନ୍ତି। ଏହାବାଦ୍ ସୁନ୍ଦରଗଡ଼ ୭୫, ନୂଆପଡ଼ା ୭୧, କଳାହାଣ୍ଡି ୨୯, କଟକ ୨୬, ବରଗଡ଼ ୧୯, ଝାରସୁଗୁଡ଼ା ୧୭, ବଲାଙ୍ଗୀର ୧୫ ଓ ଗଞ୍ଜାମରୁ ୧୩ଜଣ ଆକ୍ରନ୍ତ ବାହାରିଛନ୍ତି। ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୩ଲକ୍ଷ ୪୨ହଜାର ୨୨୪କୁ ବୃଦ୍ଧି ପାଇଛି। ଅପରପକ୍ଷରେ ରାଜ୍ୟରେ ଆଜି ୨୦୫ କୋଭିଡ୍‌ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ମୋଟ ସୁସ୍ଥ ‌ରୋଗୀଙ୍କ ସଂଖ୍ୟା ୩ଲକ୍ଷ ୩୭ହଜାର ୬୩୫କୁ ବୃଦ୍ଧି ପାଇଛି। ସେହିପରି ରାଜ୍ୟରେ ଏବେ ଚିକିତ୍ସାଧୀନ ରୋଗୀଙ୍କ ସଂଖ୍ୟା ୨୬୧୫କୁ ବୃଦ୍ଧି ପାଇଛି।

ସମ୍ବନ୍ଧିତ ଖବର