ଆଶୀର୍ବାଦ ଯୋଜନାରେ ସାମିଲ ହେଲେଣି ୪୨ ହଜାରରୁ ଅଧିକ ଶିଶୁ

୬ ମାସରେ ସାମିଲ ଶିଶୁ ସଂଖ୍ୟା ଦେଢ ଗୁଣ ବୃଦ୍ଧି, ତଥାପି ଚିତ୍ର ଅସ୍ପଷ୍ଟ

ଭୁବନେଶ୍ବର : ରାଜ୍ୟରେ ୪୨ ହଜାର ୮୦୮ ଅଭିଭାବକ ଛେଉଣ୍ଡଙ୍କୁ ଆଶୀର୍ବାଦ ଯୋଜନାରେ ସାମିଲ କରାଯାଇଛି। ଏଥିରୁ ୧୮୫୭ ଜଣ ଉଭୟ ଅଭିଭାବକଙ୍କୁ ହରାଇଛନ୍ତି। ୨୦୨୦ ମସିହା ଏପ୍ରିଲ ୧ରୁ ୨୦୨୧ ମସିହା ସେପ୍ଟେମ୍ବର ୧୫ ତାରିଖ ମଧ୍ୟରେ କେତେ ଯେ ପିଲା ଅଭିଭାବକ ଛେଉଣ୍ଡ ହୋଇଛନ୍ତି ତାହା ସ୍ପଷ୍ଟ ଅନୁମାନ କରାଯାଇ ପାରେ। ମାତ୍ର ୬ ମାସ ମଧ୍ୟରେ ଏହି ଯୋଜନାରେ ସାମିଲ ପିଲାଙ୍କ ସଂଖ୍ୟା ପାଖାପାଖି ଦେଢ ଗୁଣ ବୃଦ୍ଧି ପାଇଛି। ଅର୍ଥାତ ଜାନୁଆରି ମାସରେ ଏହି ଯୋଜନାରେ ୨୨ ହଜାର ଶିଶୁଙ୍କୁ ସାମିଲ କରାଯାଇଥିଲା। ମହାମାରୀ ସମୟରେ କୋଭିଡ୍‌ ଅପେକ୍ଷା ଅଣକୋଭିଡ୍‌ ପିଲାଙ୍କୁ ବେଶି ଅଭିଭାବକ ଛେଉଣ୍ଡ କରିଛି। ସେହି ଦୃଷ୍ଟିରୁ ଆଶୀର୍ବାଦର ସ୍ପଷ୍ଟ ଚିତ୍ର ମହିଳା-ଶିଶୁ କଲ୍ୟାଣ ବିଭାଗ ଦେବାର ଆବଶ୍ୟକତା ରହିଥିବା କୁହାଯାଉଛି।

କୋଭିଡ୍‌ ମହାମାରୀରେ ଅଭିଭାବକ ଛେଉଣ୍ଡ ପିଲାଙ୍କ ପାଇଁ ଓଡ଼ିଶା ସରକାର ଯେଉଁ ଆଶୀର୍ବାଦ ଯୋଜନା କରିଥିଲେ ତାହା ଦେଶର ଯେକୌଣସି ରାଜ୍ୟ ଏପରିକି କେନ୍ଦ୍ର ଯୋଜନା ଠାରୁ ଉକ୍ତୃଷ୍ଟମାନର। କେନ୍ଦ୍ର ସମେତ ବିଭିନ୍ନ ରାଜ୍ୟ କେବଳ କୋଭିଡ୍‌ରେ ଅଭିଭାବକ ଛେଉଣ୍ଡ ପିଲାଙ୍କୁ ସାମିଲ କରୁଛି, କିନ୍ତୁ ଆଶୀର୍ବାଦରେ ଉଭୟ କୋଭିଡ୍‌ ଏବଂ ଅଣକୋଭିଡ୍‌ ପିଲା ସାମିଲ ହୋଇ ପାରୁଛନ୍ତି। କିନ୍ତୁ ଏହି ଯୋଜନାର ଲାଭ କେତେ ଶିଶୁ କେଉଁଭଳି ପାଉଛନ୍ତି ତା’ର ସ୍ପଷ୍ଟ ଚିତ୍ର ବର୍ତ୍ତମାନ ମଧ୍ୟ ରାଜ୍ୟ ମହିଳା ଶିଶୁ କଲ୍ୟାଣ ବିଭାଗ ଦେଉନାହିଁ। ରାଜ୍ୟରେ ଥିବା ବିଭିନ୍ନ ଶିଶୁ ପ୍ରଯତ୍ନ କେନ୍ଦ୍ରରେ ସମୁଦାୟ ୧୦ ହଜାର ଶିଶୁଙ୍କୁ ରଖିବାର କ୍ଷମତା ରହିଛି। ମହାମାରୀ ସମୟରେ ଯେତେ ସଂଖ୍ୟକ ଶିଶୁ ଅଭିଭାବକ ଛେଉଣ୍ଡ ହୋଇଛନ୍ତି ସେମାନଙ୍କୁ ରଖିବା ପାଇଁ ଶିଶୁ ପ୍ରଯତ୍ନ କେନ୍ଦ୍ରରେ ଆବଶ୍ୟକ ସ୍ଥାନ ମଧ୍ୟ ନାହିଁ। ଏଥିଯୋଗୁଁ ସରକାରଙ୍କ ପକ୍ଷରୁ ଉଭୟ ଅଭିଭାବକ ହରାଇଥିବା ପିଲାଙ୍କୁ ମାସକୁ ୨୫୦୦, ଜଣେ ଅଭିଭାବକ ହରାଇଥିବା ପିଲାଙ୍କୁ ମାସିକ ୧୫୦୦ ଟଙ୍କା ସହିତ ଶିକ୍ଷା ଅଧିକାର ଆଇନ, ବିଜୁ ସ୍ବାସ୍ଥ୍ୟ କାର୍ଡ, ମୋ କୁ଼ଡ଼ିଆ, ଖାଦ୍ୟ ସୁରକ୍ଷା ଏବଂ ବିଭିନ୍ନ ଜନକଲ୍ୟାଣ ଯୋଜନାରେ ସାମିଲ କରାଯିବା ମଧ୍ୟ ଆଶୀର୍ବାଦ ଯୋଜନାର ମୂଳ ଲକ୍ଷ୍ୟ। ଏହା ଅଧୀନରେ ୪୨ ହଜାର ୮୦୮ ଶିଶୁଙ୍କୁ ଟଙ୍କା ପ୍ରଦାନ ନେଇ ମହିଳା-ଶିଶୁ କଲ୍ୟାଣ ବିଭାଗ କହୁଛି।

କିନ୍ତୁ ବିଜୁ ସ୍ବାସ୍ଥ୍ୟ କାର୍ଡ, ମୋ କୁ଼ଡିଆ, ଖାଦ୍ୟ ସୁରକ୍ଷା ଭଳି ବାକି ଯୋଜନାର ଲାଭ କେତେ ଜଣଙ୍କୁ ମିଳିଛି, କେତୋଟି ଯୋଜନାରେ ସେମାନଙ୍କୁ ଲିଙ୍କ୍ କରାଯାଇଛି ସେ ସମ୍ପର୍କରେ ବିଭାଗ ସ୍ପଷ୍ଟ କରୁ ନାହିଁ। ଅଭିଭାବକଙ୍କ ଅନୁପସ୍ଥିତିରେ ଆତ୍ମନିର୍ଭରଶୀଳ ହେବା ମଧ୍ୟ ଗୁରୁତ୍ବପୂର୍ଣ୍ଣ। ଏଥିପାଇଁ ସରକାର କୋଟି-କୋଟି ଟଙ୍କା ଖର୍ଚ କରିଥିବା ଦର୍ଶାଇଛନ୍ତି। କିନ୍ତୁ ତା’ର ଲାଭ ପିଲାଙ୍କ ପାଖରେ ପହଞ୍ଚୁଛି କି ନାହିଁ ତାହା ଜାଣିବା ମଧ୍ୟ ଗୁରୁତ୍ବପୂର୍ଣ୍ଣ। ତାକୁ ନେଇ ବିଭାଗୀୟ ଚିତ୍ର ଅସ୍ପଷ୍ଟ। ଦ୍ବିତୀୟ ଲହରରେ କୋଭିଡ୍‌ ଜନିତ ଚିକିତ୍ସା ଖର୍ଚ ଏତେ ଅଧିକ ଥିଲା ଯେ ଅନେକ ମଧ୍ୟବିତ୍ତ ପରିବାରକୁ ମଧ୍ୟ ଗରିବ କରି ଦେଇଥିଲା। ଏଥିସହିତ ଅଚାନକ ଉପାର୍ଜନକ୍ଷମ ବ୍ୟକ୍ତିଙ୍କୁ ହରାଇବା ମଧ୍ୟ ପରିବାର ପାଇଁ କଷ୍ଟକର ଥିଲା। ତେଣୁ କାହାକୁ ବାଦ ଦିଆନଯାଇ ପ୍ରକୃତ ହିତାଧିକାରୀଙ୍କୁ ସାମିଲ ପାଇଁ ଚେଷ୍ଟା କରାଯିବା ନେଇ ପ୍ରଶାସନ ପକ୍ଷରୁ କୁହାଯାଉଛି। ଏଥିପାଇଁ ଏହି ଯୋଜନାରେ ସାମିଲ ଶିଶୁଙ୍କ ସ୍ଥିତି ଜଣାଇବା ପାଇଁ ବ୍ଲକ ଏବଂ ପଞ୍ଚାୟତସ୍ତରରେ ଗଠିତ ଶିଶୁ ସୁରକ୍ଷା କମିଟି, ଅଙ୍ଗନବାଡ଼ି କର୍ମୀ ଏବଂ ସରପଞ୍ଚମାନଙ୍କୁ ନିର୍ଦେଶ ହୋଇଛି। ସେମାନଙ୍କ ସମ୍ପତ୍ତିର ସୁରକ୍ଷା ପାଇଁ ରାଜସ୍ବ ବିଭାଗ ଏବଂ ପୁଲିସକୁ ଚିଠି ଲେଖାଯାଇଥିବା ବିଭାଗ କହିଛି। ମାତ୍ର ଏତେ ସଂଖ୍ୟକ ଶିଶୁଙ୍କ ଭବିଷ୍ୟତକୁ ନେଇ ଗଠିତ ଯୋଜନାର ପାରଦର୍ଶିତା ମଧ୍ୟ ଗୁରୁତ୍ବପୂର୍ଣ୍ଣ।

ସମ୍ବନ୍ଧିତ ଖବର