ପୁରୀ : ବାଜାବାଣର ରୋଷଣିରେ ଫାଟି ପଡ଼ୁଥିଲା ଆଠ ସାହି। ନାଚଗୀତର ପାରମ୍ପରିକ ତାଳରେ ପାହୁଲ ପକେଇ ନୃତ୍ୟ କରୁଥିଲେ ଭକ୍ତ। ସିଂହଦ୍ବାର ଦେବସଭାରେ ଆସି ସମବେତ ହେଉଥିଲେ ଗୋସାଣୀ। ଶାରଦୀୟ ମହାପାର୍ବଣରେ ପରଦା ନଇଁବା ଆଗରୁ ମା’ଙ୍କ ସହ ଆଖିରେ ଆଖିରେ ଚାଲିଥିଲା ଭକ୍ତଙ୍କ ଭାବ ଦିଆନିଆ। ଭକ୍ତମାନେ ଗୋସାଣୀଙ୍କୁ ଦେଖି କେବଳ ମୁଣ୍ଡ ନୁଆଁଇ ପ୍ରଣାମ କରିବା ସହ କାରିଗରୀର ମୂଲ୍ୟାୟନ ବି କରୁଥିଲେ। ଶ୍ରୀକ୍ଷେତ୍ରରେ ପରମ୍ପରାରର ଏହି ବୈଶିଷ୍ଟ୍ୟକୁ ଉପଭୋଗ କରିବାକୁ ସମବେତ ହୋଇଥିଲେ ସହସ୍ରାଧିକ ଭକ୍ତ।

Advertisment

publive-image

ଶୁକ୍ରବାର ମଧ୍ୟାହ୍ନରୁ ପୂଜା ମଣ୍ଡପରେ ଦେବୀଙ୍କ ବିସର୍ଜନ ନୀତି ପରେ ସିଂହଦ୍ବାର ସମ୍ମୁଖସ୍ଥ ଦେବସଭା ନିମନ୍ତେ ଯାତ୍ରା ଆରମ୍ଭ ହୋଇଥିଲା। ସାହି ପରିକ୍ରମା କରି ମା’ ଓ ଅନ୍ୟ ଗୋସାଣୀ ଅପରାହ୍ନରେ ଗୋସାଣୀ ମେଳଣରେ ସମବେତ ହୋଇଥିଲେ। ଆଠ ସାହି ବୟାଳିଶ କନ୍ଦିର ସହର ଭାବେ ପରିଚିତ ଶ୍ରୀକ୍ଷେତ୍ରର ବିଭିନ୍ନ ସ୍ଥାନରୁ ୪୫ରୁ ଊର୍ଦ୍ଧ୍ବ ଦେବଦେବୀଙ୍କ ସମାଗମ ହୋଇଥିଲା। ବିଶେଷକରି ଜହ୍ନିମୁଣ୍ଡିଆ ଛକ ଜହ୍ନିଖାଇ ଓ ବାରବାଟୀ ଠାକୁରାଣୀଙ୍କ ବିଶାଳକାୟ ମୂର୍ତ୍ତି ଦେବସଭାକୁ ଆସିବା ବେଳର ଦୃଶ୍ୟ ଦେଖିବାକୁ ରାସ୍ତାର ଦୁଇ କଡ଼ରେ ପ୍ରବଳ ଭିଡ଼ ଦେଖିବାକୁ ମିଳିଥିଲା। ସେହିପରି ହାଡ଼ବାଈ, ପଣାପ୍ରିୟା, ଗେଲବାଈ, ବନଦୁର୍ଗା, ଶୂନ୍ୟ ଗୋସାଣୀ, ଶିବ ପାର୍ବତୀ, ହନୁମାନ, ସମ୍ପାତ୍ତି, ରାବଣ, ଭୂତ ଓ ବୁଢ଼ାବୁଢ଼ୀ ମଧ୍ୟ ଦେବସଭାରେ ସମବେତ ହୋଇଥିଲେ। ବୁଢ଼ାବୁଢ଼ୀ ଦେବଦେବୀଙ୍କୁ ଆଳତି କରିଥିଲେ।

publive-image

ସେହିପରି ବିଶାଳକାୟ ନାଗା ମୂର୍ତ୍ତି ଦେଖି ଆଖି ଖୋସି ହୋଇଯାଉଥିଲା। ବୀରପ୍ରତିମ ଚାହାଣୀ ସାଙ୍ଗକୁ କାହାର ଠାଣି କେତେ କାରୁକାର୍ଯ୍ୟପୂର୍ଣ୍ଣ ସେସବୁକୁ ଦେଖି ଚମତ୍କୃତ ହେଉଥିଲେ ଭକ୍ତ। ଏହା ମଧ୍ୟ‌ରେ ଗୋଟିଏ ଅଭାବ ବାରି ହୋଇ ପଡ଼ୁଥିଲା। ଦେବୀ ଓ ଗୋସାଣୀ ଦେବସଭାରେ ସମବେତ ହେବାପରେ ଏକାଦଶୀରେ ଶ୍ରୀମନ୍ଦିର ଚୂଡ଼ାକୁ ଉଠୁଥିବା ମହାଦୀପ ଦେଖି ବିଦାୟ ନେଉଥିଲେ ହେଁ ଏଥର ସେ ଅଭାବବୋଧ ବାରି ହୋଇପଡ଼ିଥିଲା। ମହାଦୀପ ଦର୍ଶନ ନ କରି ଦେବଦେବୀ ବିସର୍ଜନ ପାଇଁ ବାହାରିଥିଲେ। ଭକ୍ତଙ୍କୁ ଆଶୀର୍ବାଦ ଦେଇ ବିସର୍ଜନ ପାଇଁ ମେଲାଣି ନେଇଥିଲେ ମା’ ଦୁର୍ଗତିନାଶିନୀ। ବିସର୍ଜନ ପାଇଁ ଯିବା ବାଟରେ ବି ସମବେତ ଭକ୍ତ ଏହି ଅନନ୍ୟ ଦୃଶ୍ୟକୁ ଉପଭୋଗ କରିବାକୁ ରାସ୍ତାକଡ଼ରେ ଅପେକ୍ଷା କରିଥିଲେ। ଗତବର୍ଷ କୋଭିଡ୍‌ ମହାମାରୀ ଯୋଗୁ ଲାଗୁ ହୋଇଥିବା କଟକଣା ପାଇଁ ‌ଗୋସାଣୀ ଯାତ୍ରା ଦେଖିପାରିନଥିଲେ ହେଁ ଚଳିତ ବର୍ଷ ଏ ଅବସୋସ ଦୂର ହୋଇଥିଲା। ବର୍ଷା ଯୋଗୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଗୋଟିଏ ଦିନ ଗୋସାଣୀ ଯାତକୁ ଘୁଞ୍ଚାଇ ଦିଆଯାଇଥିବା ବେଳେ ଆଜି ପାଗ ଅନୁକୂଳ ହେବାରୁ ଗୋସାଣୀ ଯାତ୍ରାର ଆଡ଼ମ୍ବରକୁ ଲୋକେ ‌ଭରପୂର ଉପଭୋଗ କରିଥିଲେ।