୧୧ ବର୍ଷରେ ୪୬ରୁ ଅଧିକ ହାଜତ ମୃତ୍ୟୁ

ଅଧିକାଂଶ ଗରିବ; ଛୋଟ ମାମଲାରେ ହୋଇଥିଲେ ଗିରଫ
୮ ବର୍ଷ ହେଲା ଫେରି ନାହାନ୍ତି ମାଲକାନଗିରିର ଯୁବକ

ଭୁବନେଶ୍ୱର : ୧୧ ବର୍ଷ ମଧ୍ୟରେ ରାଜ୍ୟରେ ୪୬ରୁ ଉର୍ଧ୍ବ ବ୍ୟକ୍ତିଙ୍କ ହାଜତରେ ମୃତ୍ୟୁ ହୋଇଛି। ବିଧାନସଭା ରିପୋର୍ଟ ଅନୁଯାୟୀ ୨୦୧୦ ମସିହାରୁ ୨୦୧୯ ମସିହା ମଧ୍ୟରେ ୪୩ଟି ହାଜତ ମୃତ୍ୟୁ ହୋଇଥିବାବେଳେ ଏନ୍‌ସିଆରବି ରିପୋର୍ଟ ଅନୁସାରେ ୨୦୨୦ ମସିହାରେ ୨ ଜଣଙ୍କ ମୃତ୍ୟୁ ହୋଇଛି। ସଦ୍ୟତମ ଭାବେ ୨୦୨୧ ମସିହା ସେପ୍ଟେମ୍ବର ମାସରେ ବରଗଡ଼ ଜିଲ୍ଲା ତୁରି ପଡ଼ାର ଗୋବିନ୍ଦ କୁମ୍ଭାରଙ୍କ ହାଜତରେ ମୃତ୍ୟୁ ହୋଇଛି। ଗୋବିନ୍ଦଙ୍କ ୪ ଏବଂ ୫ ବର୍ଷର ୨ ଶିଶୁ ଅନାଥ ଏବଂ ୨୩ ବର୍ଷୀୟା ସ୍ତ୍ରୀ ବିଧବା ହୋଇଯାଇଛନ୍ତି।

ବରଗଡ଼ ସହରର ଦୁଇଟି ପଡ଼ାର ବିବାଦ ମାମଲାରେ ଗୋବିନ୍ଦ କୁମ୍ଭାରଙ୍କୁ ଆଧାର କାର୍ଡ ଧରି ଥାନାକୁ ଆସିବାକୁ କହିଥିଲା ପୁଲିସ। ମାତ୍ର ଗୋବିନ୍ଦ ଥାନାକୁ ନଯିବାରୁ ବିଳମ୍ବିତ ରାତିରେ ପୁଲିସ ତାଙ୍କ ଘରକୁ ପଶି ପିଟିପିଟି ଥାନାକୁ ନେଇଯାଇଥିଲା। ପରବର୍ତ୍ତୀ ଦିନ ପରିବାର ତାଙ୍କ ମୃତଶରୀର ଉଦ୍ଧାର କରିଥିଲା। ଗୋବିନ୍ଦଙ୍କ ବେକ, ପିଠି ସମେତ ଶରୀରର ବିଭିନ୍ନ ସ୍ଥାନରେ ମାଡ଼ ଦାଗ ରହିଥିବାରୁ ପୁଲିସ ପିଟିପିଟି ହତ୍ୟା କରିଥିବା ପରିବାର କହିଛି। କିନ୍ତୁ ବରଗଡ଼ ଟାଉନ ଥାନା ପୁଲିସ ଅନୁସାରେ, ଦୀର୍ଘ ସମୟ ଧରି ମୃତଶରୀରକୁ ରାସ୍ତାରେ ରଖି ପରିବାର ଏବଂ ସ୍ଥାନୀୟ ଅଧିବାସୀ ଆନ୍ଦୋଳନ କରିବାରୁ ଏଭଳି ଦାଗ ହୋଇଛି। ଅନ୍ୟଦିଗରେ ଏହି ଘଟଣାରେ କିଛି ପୁଲିସ କର୍ମଚାରୀଙ୍କୁ ଛୁଟିରେ ପଠାଯାଇଥିଲେ ମଧ୍ୟ କାହାକୁ ନିଲମ୍ବିତ କରାଯାଇ ନାହିଁ।

Bangalore Mirror

ଏଥିପୂର୍ବରୁ ୨୦୨୦ ମସିହା ନଭେମ୍ବର ୧୯ ତାରିଖରେ ସୁନ୍ଦରଗଡ଼ ଜିଲ୍ଲା ବୀରମିତ୍ରପୁରର ତାରିକ ସଲିମ, ଡିସେମ୍ବର ୫ ତାରିଖରେ ପୁରୀ ଜିଲ୍ଲାରେ କେ ରମେଶ ନାମକ ଅନୁସୂଚିତ ଜାତିର ଯୁବକଙ୍କ ପୁଲିସ ହାଜତରେ ମୃତ୍ୟୁ ହୋଇଥିଲା। ୨୦୧୮ ମସିହା ଫେବ୍ରୁଆରି ମାସ ୮ ତାରିଖରେ ସମ୍ବଲପୁର ଆଦିବାସୀ ଯୁବକ ଅବିନାଶ ମୁଣ୍ଡାଙ୍କ ମୃତ୍ୟୁ ପରେ ଅଇଁଠାପାଲି ଥାନା ପୋଡ଼ି ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଥିଲା। ଏଥିରେ ଦାୟୀ ପୁଲିସ ବିରୋଧରେ କାର୍ଯ୍ୟାନୁଷ୍ଠାନ ସାମୟିକ ଥିଲା। ଢେଙ୍କାନାଳ ହାଜତ ମୃତ୍ୟୁ ଘଟଣାରେ ମୃତକଙ୍କ ପରିବାରକୁ କ୍ଷତିପୂରଣ ପାଇବା ପାଇଁ ୧୫ ବର୍ଷ ଲାଗିଥିଲା। ଉଚ୍ଚତମ ନ୍ୟାୟାଳୟ ପକ୍ଷରୁ ତାଙ୍କ ପରିବାରକୁ ୫ ଲକ୍ଷ ଟଙ୍କା ଦେବାକୁ ନିର୍ଦେଶ ଦେଇଥିଲେ।

ବଡ଼ କଥା ‌ହେଲା; ହାଜତରେ ମୃତ୍ୟୁ ହେଉଥିବା ଅଧିକାଂଶ ବ୍ୟକ୍ତି ଅନୁସୂଚିତ ଜାତି, ଜନଜାତି ବର୍ଗ ଏବଂ ସମସ୍ତେ ଗରିବ ଶ୍ରେଣୀର। ଚୋରି କିମ୍ବା ଅତି ଛୋଟ ମାମଲାରେ ପୁଲିସ ତାଙ୍କୁ ଗିରଫ କରିଥାଏ, ପରବର୍ତ୍ତୀ ଦିନ ପରିବାର ରହସ୍ୟଜନକ ସ୍ଥିତିରେ ତାଙ୍କ ମୃତଶରୀର ଉଦ୍ଧାର କରେ। ପୁଲିସ ହାଜତ ମୃତ୍ୟୁରେ କାର୍ଯ୍ୟାନୁଷ୍ଠାନ, କ୍ଷତିପୂରଣ ବ୍ୟବସ୍ଥା ଥିଲେ ମଧ୍ୟ ଅଧିକାଂଶ ପୀଡ଼ିତ ପରିବାର କ୍ଷେତ୍ରରେ ଏହା କାର୍ଯ୍ୟକାରୀ କରାଯାଉନଥିବା ମାନବାଧିକାର ସଙ୍ଗଠନ ଗାସ୍‌ କହିଛି। ସଙ୍ଗଠନର ଅଭିଯୋଗ ଅନୁସାରେ, ୨୦୧୩ ମସିହାରେ ଘଣ୍ଟା ଚୋରି ମାମଲାରେ ମାଲକାନଗିରିର ଆଦିବାସୀ ଯୁବକ ତ୍ରିନାଥ ସମରଥଙ୍କୁ ପୁଲିସ ଉଠାଇ ନେଇଥିଲା। କିନ୍ତୁ ସେ ଆଜି ପର୍ଯ୍ୟନ୍ତ ଘରକୁ ଫେରି ନାହାନ୍ତି। ଏଭଳି ନିଖୋଜ ଘଟଣାର ହିସାବ ରାଜ୍ୟ ସରକାରଙ୍କ ପାଖରେ ନାହିଁ।

new indian express

ମାନବାଧିକାର କର୍ମୀ ଦେବରଞ୍ଜନ କହିଛନ୍ତି, ହାଜତ ମୃତ୍ୟୁ ସଂକ୍ରାନ୍ତ ବିଭିନ୍ନ ରାୟରେ ସମ୍ବିଧାନ ବଞ୍ଚିବାର ଅଧିକାର ଉଲ୍ଲେଖ କରିଛନ୍ତି। ଗିରଫ ହୋଇଥିବା ବ୍ୟକ୍ତିର ସୁରକ୍ଷା ଦାୟିତ୍ବ ପୁଲିସର। କିନ୍ତୁ ବ୍ୟକ୍ତିର ମୃତ୍ୟୁ ପାଇଁ ସ୍ଥାନୀୟ ପୁଲିସ ଦାୟୀ ଏହା ପ୍ରମାଣିତ ହେଉନାହିଁ। ହାଜତ ମୃତ୍ୟୁ ରୋକିବା ଦିଗରେ ସିଆରପିସି ଧାରା୪୧(ଏ), ଉଚ୍ଚତମ ନ୍ୟାୟାଳୟ ଏବଂ ଜାତୀୟ ମାନବାଧିକାର କମିସନଙ୍କ ବିଭିନ୍ନ ନିର୍ଦେଶାବଳି ରହିଛି। ମାତ୍ର ପୁଲିସ ପକ୍ଷରୁ ସେହି ବ୍ୟକ୍ତିଙ୍କୁ ଉଠାଇ ଆଣିବାବେଳେ ଏହାର ପାଳନ ହେଉନଥିବା ଅଭିଯୋଗ ହୋଇଛି।

ଉଲ୍ଲେଖଯୋଗ୍ୟ ଯେ ମାନବାଧିକାରର ସୁରକ୍ଷା ପାଇଁ ଅକ୍ଟୋବର ମାସ ୧୨ ତାରିଖରେ ପ୍ରତିଷ୍ଠା ହୋଇଥିଲା ମାନବାଧିକାର କମିସନ। ବର୍ତ୍ତମାନ ମନବାଧିକାର ବିପନ୍ନ ହେଉଥିବାବେଳେ କମିସନ ନିଜ ଦାୟିତ୍ବ କେତେ ନିର୍ବାହ କରୁଛି ଏହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

୨୦୨୦ରେ ଦେଶରେ ୭୬ ହାଜତ ମୃତ୍ୟୁ
କେବଳ ଓଡ଼ିଶା ନୁହେଁ; ସମଗ୍ର ଦେଶରେ ହାଜତ ମୃତ୍ୟୁ ସଂଖ୍ୟା ବଢୁଛି। ଏନ୍‌ସିଆର୍‌ବିର ଏହି ରିପୋର୍ଟ ଅନୁଯାୟୀ, ୨୦୨୦ ମସିହାରେ ୭୬ ଜଣଙ୍କ ମୃତ୍ୟୁ ହୋଇଥିଲା। ଏଥିରେ ଗୁଜରାଟରେ ସର୍ବାଧିକ ୧୫, ଆନ୍ଧ୍ରପ୍ରଦେଶରେ ୮, ମଧ୍ୟପ୍ରଦେଶରେ ୬, ରାଜସ୍ଥାନରେ ୬, ତାମିଲନାଡ଼ୁରେ ୬, କର୍ଣ୍ଣାଟକ, କେରଳ ଏବଂ ମହାରାଷ୍ଟ୍ରରେ ୫ ଜଣ ଲେଖାଏଁ, ହରିୟାଣା ୩, ପଶ୍ଚିମବଙ୍ଗ ୨ ଜଣ ରହିଛନ୍ତି।

ସମ୍ବନ୍ଧିତ ଖବର