କପ୍ତିପଦା/ଶାଳଚୁଆ : ବଜ୍ରକାପ୍ତା କାତି ଚାଲାଣ ରାକେଟ୍ରେ ସାମିଲ ଜଣେ ଅଭିଯୁକ୍ତକୁ ଗିରଫ କରିଛି ଏସ୍ଟିଏଫ୍ ଟିମ୍। ଗିରଫ ଅଭିଯୁକ୍ତ ଜଣକ ହେଲେ ମୟୂରଭଞ୍ଜ ଜିଲ୍ଲା ଶରତ ଥାନା କଳମଗଡ଼ିଆ ପଞ୍ଚାୟତ ଅର୍ନ୍ତଗତ ବାଲିଚୁଆ ଗ୍ରାମର ସୁରେନ ପୂର୍ତ୍ତି (୩୫)। ସୁରେନ ଠାରୁ ୪ କେଜି ୭୩୦ ଗ୍ରାମ ବଜ୍ରକାପ୍ତା କାତି ଜବତ ହୋଇଛି। ଯାହାର ଆନୁମାନିକ ମୂଲ୍ୟ ଲକ୍ଷାଧିକ ଟଙ୍କା ହେବ।
ସୁରେନ ବଜ୍ରକାପ୍ତା କାତି ଚାଲାଣ ରାକେଟ୍ରେ ସାମିଲ ଥିବା ନେଇ କିଛି ଦିନ ଆଗରୁ ସୂଚନା ପାଇଥିଲା ଏସ୍ଟିଏଫ୍। ଏହା ପରଠାରୁ ଏସ୍ଟିଏଫ୍ ଓ କପ୍ତିପଦା ବନବିଭାଗ ତା ଉପରେ ବରାବର ନଜର ରଖିଥିଲେ। ଯୋଜନା ମୁତାବକ ଆଜି ସକାଳେ ଏସ୍ଟିଏଫ୍ ଟିମ୍ ଓ କପ୍ତିପଦା ବନବିଭାଗ କର୍ମଚାରୀ ଗ୍ରାହକ ସାଜି ଡିଲ୍ କରିବାକୁ ବାଲିଚୁଆ ଗ୍ରାମରେ ପହଞ୍ଚିଥିଲେ। ସୁରେନ ବଜ୍ରକାପ୍ତା କାତି ସହ ଘରୁ ବାହାରିବା ବେଳେ ତାକୁ ମାଡ଼ି ବସିଥିଲେ। ଅଭିଯୁକ୍ତକୁ କପ୍ତିପଦା ବନବିଭାଗ କାର୍ଯ୍ୟାଳୟକୁ ଆଣି ଅଧିକ ପଚରାଉଚରା କରାଯାଉଛି।
ଏକାଧିକ ବଜ୍ରକାପ୍ତାରୁ ଏହି ପରିମାଣରର କାତି ସଂଗ୍ରହ ହୋଇଥିବା ଅନୁମାନ କରାଯାଉଛି। ଉଦଳା ଅଞ୍ଚଳର ରାଉତ ବାବୁ ଓ କଳମଗଡ଼ିଆ ପଞ୍ଚାୟତର ରାଘବ ବିଶ୍ବାଳ ନାମରେ ଦୁଇ ଜଣ ବ୍ୟକ୍ତି ଏହି କାରବାରରେ ସମ୍ପୃକ୍ତ ଥିବା ଜେରା ବେଳେ ବୟାନ ଦେଇଛି ଅଭିଯୁକ୍ତ। ଏହି ରାକେଟ୍ରେ ଆଉ କେଉଁମାନେ ସମ୍ପୃକ୍ତ ଅଛନ୍ତି ସେ ନେଇ ଖୋଳତାଡ଼ ଚାଲିଥିବା ବାରିପଦା ବନଖଣ୍ତ ଏସିଏଫ୍ ଦିଲୀପ କୁମାର ବାରିକ ଓ କପ୍ତିପଦା ବନଖଣ୍ତ ରେଞ୍ଜର୍ ମହେଶ୍ବର ସିଂ କହିଛନ୍ତି। ଚଢ଼ଉରେ ବାରିପଦା ଏସ୍ଟିଏଫ୍ ଟିମ୍ ସହ ରେଞ୍ଜର୍ ଶ୍ରୀ ସିଂ, କପ୍ତିପଦା ବନପାଳ ଅବିନାଶ ଗିରି, ଶାରୀଶୁଆ ବନପାଳ ରଣିଜିତ୍ ଦଣ୍ତପାଟ, ବନରକ୍ଷୀ ଅଂଜନ ଲେଙ୍କା ଓ ସବୁଜବାହିନୀ ସଦସ୍ୟ ସାମିଲ ଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/06/bajrakapta-ccc.jpg)