ରାଉରକେଲା: ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲ୍ଲାର ସଫଳ ମହିଳା‌ ଉଦ୍ୟୋଗୀ ହେମା ଏକ୍କା। କଠିନ ପରିଶ୍ରମ ଓ କାମ କରିବାର ଶୈଳୀ ତାଙ୍କୁ କେବଳ ସୁନ୍ଦରଗଡ଼ ନୁହେଁ ରାଜ୍ୟ ଓ ରାଜ୍ୟ ବାହାରେ ବେଶ ପରିଚିତ କରାଯାଇଛି। ସେ କେବଳ ନିଜେ ରୋଜଗାରକ୍ଷମ ହୋଇନାହାନ୍ତି ବରଂ ଅନ୍ୟମାନଙ୍କୁ ରୋଜଗାର ଦେଇଛନ୍ତି। ବର୍ଷ ତମାମ ବିଭିନ୍ନ ପ୍ରକାର ବ୍ୟବସାୟ କରି ଅନ୍ୟ ମହିଳାଙ୍କ ପାଇଁ ସାଜିଛନ୍ତି ଉଦାହରଣ। କେତେବେଳେ ଛତୁ ଚାଷ, ଆଦିବାସୀ ପୋଷାକ ତିଆରି ହେଉ ତ ଅନ୍ୟ କେତେବେଳେ ଆଦିବାସୀଙ୍କ ପାରିମ୍ପରିକ ଅଳଙ୍କାରଗୁଡ଼ିକୁ ନୂଆ ଲୁକ୍‌ ଦେଇ ସାଉଁଟିଛନ୍ତି ଅନେକ ପୁରସ୍କାର ଓ ସମ୍ମାନ।

Advertisment

ହେମାଙ୍କ ପାରମ୍ପରିକ ଗହଣାର ଡିଜାଇନ୍‌ ଏବେ ସମସ୍ତଙ୍କୁ ବେଶ୍‌ ଆକର୍ଷିତ କରିଛି। ତାଙ୍କ ଅନୁରୋଧକ୍ରମେ ଭାରତୀୟ ରେଳ ବିଭାଗ ରାଉରକେଲା ରେଳ ଷ୍ଟେସନରେ ତାଙ୍କୁ ଗହଣା ପ୍ରଦର୍ଶିତ ଓ ବିକ୍ରି କରିବାକୁ ଏକ ଷ୍ଟଲ ଯୋଗାଇ ଦେଇଛନ୍ତି। ଏତିକିରେ ହେମାଙ୍କ ସଫଳତା ସରିନି। ତାଙ୍କୁ ଏବେ ବାହାରରାଜ୍ୟ ଓ ବିଦେଶର ଗହଣା ଯୋଗାଇଦେବାକୁ ଅର୍ଡର ମିଳୁଛି। ଚାହିଦା ବଢ଼ୁଥିବାରୁ ହେମାଙ୍କ ନିକଟରେ କାମ କରୁଥିବା ମହିଳା ଓ ଯୁବତୀମାନଙ୍କୁ କାମ କରିବାକୁ ଫୁରସ୍‌ତ ମିଳୁନି। ଭଳକି ଭଳି ବିଭିନ୍ନ ଡିଜାଇନର ପାରମ୍ପରିକ ଗହଣା ତିଆରି କରୁଛନ୍ତି। ନାକଫୁଲ, ଚେନ୍‌, ମଙ୍ଗଳସୂତ୍ର, କାନଫୁଲ, ଚୁଡି ଠାରୁ ଆରମ୍ଭ କରି ମହିଳାମାନେ ପରିଧାନ କରୁଥିବା ବିଭିନ୍ନ ଡିଜାଇନ୍‌ର ଗହଣା ତିଆରି କରୁଛନ୍ତି।

publive-image

ଏବେ ହଜିଯାଉଥିବା ଆଦିବାସୀ ଗହଣାକୁ ଲୋକଲୋଚନକୁ ଆଣିବାକୁ ପ୍ରୟାସ ଜାରି ରଖିଛନ୍ତି। ଅଧିକ ଆକର୍ଷଣୀ କରିବାକୁ ଗହଣାଗୁଡ଼ିକୁ ବିଭିନ୍ନ ପ୍ରକାର ଲୁକ୍‌ ଦେଉଛନ୍ତି। ତାଙ୍କ ଗହଣା ତିଆରି କାରଖାନାରେ ଏବେ କାମ କରୁଛନ୍ତି ପାଖାପାଖି ୫୦ରୁ ଅଧିକ ମହିଳା ଓ ବେକାରୀ ଯୁବତୀ। ଯେଉଁମାନେ ମାସକୁ ବେଶ୍‌ ଭଲ ଦି’ ପଇସା ରୋଜଗାର କରି ପରିବାର ପ୍ରତିପୋ‌ଷଣ କରୁଛନ୍ତି। ସୁନ୍ଦରଗଡ଼ ଜିଲ୍ଲା ସମେତ ରାଜ୍ୟ ଓ ରାଜ୍ୟ ବାହାରେ ପଡୁଥିବା ବିଭିନ୍ନ ମେଳାରେ ତାଙ୍କ ଗହଣା ଷ୍ଟଲ ଗ୍ରାହକମାନଙ୍କୁ ବେଶ୍‌ ଆକୃଷ୍ଟ କରୁଛି। ପ୍ରତ୍ୟେକ ମେଳାରୁ ଭେଲ ରୋଜଗାର କରୁଛନ୍ତି। କେବଳ ପାରମ୍ପରିକ ଆଦିବାସୀ ଗହଣା ନୁହେଁ ସେ ଜରେ ମଧ୍ୟ ସଫଳ ଛତୁ ଚାଷୀ। ବିଭିନ୍ନ ପ୍ରକାର ଛତୁ ଚାଷ କରିବାରେ ସେ ମଧ୍ୟ ବେଶ୍‌ ଦକ୍ଷ। ଛତୁ ଚାଷରେ ମଧ୍ୟ ୨୦ରୁ ଅଧିକ ମହିଳାଙ୍କୁ ରୋଜଗାର ଦେଇଛନ୍ତି। ଯେଉଁ ମହିଳାମାନେ ପରିବାର ପ୍ରତିପୋଷଣ କରିବାକୁ ନାନା କଷ୍ଟ ପାଉଥିଲେ। ସେମାନେ ଏବେ ଛତୁ ଚାଷ କରି ମାସକୁ ଭଲ ଦି’ ପଇସା ରୋଜଗାର କରୁଛନ୍ତି। ହେମା କହିଛନ୍ତି, ସାମ୍ପ୍ରତିକ ସ୍ଥିତିରେ ମହିଳାମାନେ କୌଣସି ଗୁଣ୍‌ରେ କମ୍‌ ନୁହେଁ। ସେମାନଙ୍କ ମଧ୍ୟରେ ଅନେକ ପ୍ରତିଭା ଲୁଚି ରହିଛି।

ପ୍ରୋତ୍ସାହନ ଓ ଆର୍ଥିକ ଅଭାବରୁ ମହିଳାମାନେ ଜିଲ୍ଲାରେ ଅନେକ ମହିଳା ଆଗକୁ ବଢ଼ି ପାରୁନାହାନ୍ତି। ଯେଉଁମାନଙ୍କ ମଧ୍ୟରୁ ସେ କିଛି ମହିଳାଙ୍କୁ ରୋଜଗାର ଦେଇପାରିଥିବାରୁ ବେଶ୍‌ ଖୁସି। ସେମିତି ଆଦିବାସୀଙ୍କ ଗହଣା ଧୀରେ ଧୀରେ ହଜିବାକୁ ବସିଛି। ତାଙ୍କ ଉଦ୍ୟମରେ ଏଭଳି ପାରମ୍ପରିକ ଗହଣାକୁ ନୂଆ ଲୁକ୍‌ ଦିଆଯାଉଛି। ଏଥିପାଇଁ ଏସବୁ ଗହଣା ଅନ୍ୟ ସୁନାଗହଣା ପରି ବେଶ୍‌ ଆଦୃତ ହୋଇପାରିଛି। ବିବାହ ଉତ୍ସବ ହେଉ ଅବା ଫେସନ୍‌ ସୋ’ରେ ସାମିଲ ଯୁବକଯୁବତୀମାନେ ପରିଧାନ କରୁଥିବା ଏସବୁ ଗହଣା ଉପସ୍ଥିତ ଦର୍ଶକଙ୍କୁ ବେଶ୍‌ ଆକୃଷ୍ଟ କରିପାରିଛି। ଆଗାମୀ ଦିନରେ ଆଦିବାସୀଙ୍କ ଏସବୁ ଗହଣାକୁ ନିଶ୍ଚିତ ଭାବେ ବିଦେଶ ବଜାରରେ ତା’ର ଚାହିଦା ବୃଦ୍ଧି କରିପାରିବ। କେବଳ ସରକାରଙ୍କ ସହଯୋଗର ଆବଶ୍ୟକତା ରହିଛି।