ଭବାନୀପାଟଣା : କଳାହାଣ୍ଡି ଜିଲ୍ଲାର ସବୁ ମଣ୍ଡିରେ ଚାଷୀ ହନ୍ତସନ୍ତ ହେଉଥିବା ଦେଖିବାକୁ ମିଳୁଛି। ଜିଲ୍ଲାର ୨୦୮ଟି ମଣ୍ଡିରେ ଏବେ ବି ୬ଲକ୍ଷ କୁଇଣ୍ଟାଲରୁ ଅଧିକ ଧାନ ପଡ଼ିରହିଛି। ଧାନ ଉଠାଣରେ ମନ୍ଥରତା ନେଇ ୭୦ ପ୍ରତିଶତରୁ କମ୍‌ ଧାନ ଉଠାଇ ଥିବା ୧୧ ଜଣ ମିଲର୍ସଙ୍କୁ ଜିଲ୍ଲାପାଳ କାରଣ ଦର୍ଶାଅ ନୋଟିସ୍‌ ଜାରି କରିଥିଲେ। କିନ୍ତୁ ନୋଟିସ୍‌ ପରେ ବି ଧାନ ଉଠାଣରେ କୌଣସି ଅଗ୍ରଗତି ହେଉନଥିବାରୁ ଚାଷୀ ମହଲରେ ଉଦ୍‌ବେଗ ପ୍ରକାଶ ପାଇଛି। ଗୋଟିଏ ପଟେ ୭ କେଜି ପର୍ଯ୍ୟନ୍ତ କଟ୍‌ନି ଛଟ୍‌ନି ଏବଂ ଅନ୍ୟପଟେ ମଣ୍ଡିରୁ ଧାନ ନଉଠିବା ଯୋଗୁ ଚାଷୀ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।

Advertisment

କଳାହାଣ୍ଡି ଜିଲ୍ଲାରେ ପ୍ରଥମ ପର୍ଯ୍ୟାୟରେ ୪୦ ଲକ୍ଷ ୨୬ ହଜାର ୪୨୦ କୁଇଣ୍ଟାଲ୍‌ ଧାନ କ୍ରୟ ପାଇଁ ଟାର୍ଗେଟ୍‌ ଆସିଛି। ଏପର୍ଯ୍ୟନ୍ତ ୩୩ ଲକ୍ଷ ୫୦ ହଜାର ୯୨୨ କୁଇଣ୍ଟାଲ୍‌ ଧାନ କ୍ରୟ ହୋଇଛି। ମିଲର୍ସଙ୍କୁ ୩୩ ଲକ୍ଷ ୨୦ ହଜାର ୬୮୫ କୁଇଣ୍ଟାଲ୍‌ ଧାନ ପ୍ରଦାନ କରାଯାଇଛି। ଅବଶିଷ୍ଟ ୩୦ ହଜାର ୨୩୭ କୁଇଣ୍ଟାଲ୍‌ ଧାନ ମଣ୍ଡିରେ ପଡ଼ି ରହିଥିବା ସରକାରୀ ଭାବେ ସୂଚନା ମିଳିଛି। କିନ୍ତୁ ଅସଲରେ ଜିଲ୍ଲାର ୨୦୮ ଟି ମଣ୍ଡିରେ ୬ ଲକ୍ଷ କୁଇଣ୍ଟାଲ୍‌ରୁ ଊର୍ଦ୍ଧ୍ବ ଧାନ ବିଭିନ୍ନ ମଣ୍ଡିରେ ପଡ଼ିରହିଛି। ୭୨ ଜଣ ମିଲର୍ସ ୫୧ ହଜାର ୪୯୦ ଜଣ ଚାଷୀଙ୍କ ଠାରୁ ୨୦୮ ଟି ମଣ୍ଡିରୁ ଧାନ ଉଠାଣ କରିଛନ୍ତି। ମଣ୍ଡି ମାନଙ୍କରେ ୭ କେଜିରୁ ଊର୍ଦ୍ଧ୍ବ କଟନି ଛଟନି ଯୋଗୁଁ ଚାଷୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଆସନ୍ତା ଜାନୁଆରି ୧୫ ତାରିଖ ପର୍ଯ୍ୟନ୍ତ ଚାଷୀ ଟୋକନ୍‌ ପାଇ ମଣ୍ଡିରେ ପଡ଼ି ରହିଛନ୍ତି। ମିଲର୍ସମାନେ କେତେବେଳେ ଅଖା ପାଇଁ ଆଉ କେତେବେଳେ କଟନି ଛଟନିରେ ରାଜି ହେଉନଥିବା ଚାଷୀଙ୍କ ପାଇଁ ଜାଣିଶୁଣି ଧାନ ଉଠାଣରେ ଆଗ୍ରହ ପ୍ରକାଶ କରୁନାହାନ୍ତି। ଗତ ଡିସେମ୍ବର ୨୯ ତାରିଖରେ କଳାହାଣ୍ଡି ଜିଲ୍ଲାପାଳ ଡ଼ା. ଗାଭାଲି ପରାଗ ହର୍ଷଦ ୭୦ ପ୍ରତିଶତରୁ କମ୍‌ ଧାନ ଉଠାଇଥିବା ଧର୍ମଗଡ଼ ସବ୍‌ଡିଭିଜନ୍‌ ର ୬ ଜଣଙ୍କୁ ଓ ଭବାନୀପାଟଣା ସବ୍‌ଡିଭିଜନର ୫ଜଣ ମିଲର୍ସଙ୍କୁ ନୋଟିସ୍‌ ଜାରି କରିଥିଲେ। ନୋଟିସ୍‌ ଜାରି ପରେ ମଧ୍ୟ ଟାର୍ଗେଟ୍‌ ନଥିବା ଆଳ ଦେଖାଇ ମଣ୍ଡିରୁ ଧାନ ଉଠାଣ ହୋଇନଥିଲା। ତେଣୁ ଚାଷୀଙ୍କ ପାଇଁ ଏବେବି ଅଡୁଆ ପରିସ୍ଥିତି ଲାଗି ରହିଛି। ରାଜନେତାଙ୍କ ଠାରୁ ଜିଲ୍ଲା ପ୍ରଶାସନ ପର୍ଯ୍ୟନ୍ତ ସମସ୍ତଙ୍କୁ ଗୁହାରି କଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ହେଉନଥିବାରୁ ଚାଷୀମାନେ ଅକଳରେ ପଡ଼ିଛନ୍ତି। ପ୍ୟାକ୍ସ, ମିଲର୍ସ ଓ ଯୋଗାଣ ବିଭାଗର ମଣ୍ଡି ଷଡ଼ଯନ୍ତ୍ର ଯୋଗୁଁ ଚାଷୀ ନିଜ ଧାନକୁ ବିକ୍ରି କରିବା ପାଇଁ ଦହଗଞ୍ଜ ହେଉଛି। ଦଲାଲ୍‌ ଜରିଆରେ ଅଣ୍ଡରରେଟ୍‌ରେ ଧାନ ମିଲ୍‌ ପଏଣ୍ଟକୁ ଯାଉଥିଲେ ମଧ୍ୟ ମଣ୍ଡି ପୂର୍ବରୁ ଓ ପରେ ଷ୍ଟକ୍‌ ଭେରିଫିକେସନ୍‌ ହେଉନଥିବା ଯୋଗୁଁ ଏକ ବଡ଼ ଧରଣର ଦୁର୍ନୀତିର ଗନ୍ଧ ବାରି ହେଉଛି। ମିଲ୍‌ମାନଙ୍କ ବଏଲିଂ କ୍ଷମତା ଓ ବିଦ୍ୟୁତ୍‌ ବିଲ୍‌କୁ ଯାଞ୍ଚ୍‌ କରାଗଲେ ବହୁ ଗୁମର ଫିଟିବ ବୋଲି ଚାଷୀଙ୍କ ମଧ୍ୟରେ ଆଲୋଚନା ହେଉଛି।

ସେପଟେ ମଣ୍ଡିରୁ କେବେ ଧାନ ଉଠିବ, ନୂଆ ଟାର୍ଗେଟ୍‌ କେବେ ମିଳିବ ବର୍ତ୍ତମାନ ଚାଷୀଙ୍କ ପାଇଁ ଏକ ଅସମାହିତ ପ୍ରଶ୍ନ ପାଲଟିଛି। ଧାନ କିଣା ଭଳି ସମ୍ବେଦନଶୀଳ ସମୟରେ ଜିଲ୍ଲା ମୁଖ୍ୟ ଯୋଗାଣ ଅଧିକାରୀ ଗତ ୨୦ ରୁ ଊର୍ଦ୍ଧ୍ବ ଦିନ ଧରି ଛୁଟିରେ ଥିବାରୁ ସାଧାରଣରେ ଭିନ୍ନଭିନ୍ନ ଚର୍ଚ୍ଚା ଜୋର୍‌ ଧରିଛି। ଏପର୍ଯ୍ୟନ୍ତ ମଣ୍ଡିରୁ ଉଠାଣ ହୋଇଥବା ୩୩ ଲକ୍ଷରୁ ଊର୍ଦ୍ଧ୍ବ କୁଇଣ୍ଟାଲ୍‌ ଧାନ ତଦନ୍ତ ସାପେକ୍ଷ ଅଟେ। ଦଲାଲ୍‌ଙ୍କ ଧାନ ଅନାୟସରେ ବିକ୍ରି ହେଉଥିବା ବେଳେ ପ୍ରକୃତ ଚାଷୀ ମଣ୍ଡିରେ ଟୋକନ୍‌ ଧରି ଶୀତ କାକରରେ ପଡ଼ି ରହିବା ଘଟଣା ଅନ୍ନଦାତାଙ୍କୁ ଅକଳରେ ପକାଇଛି। ବର୍ଷବର୍ଷ ଧରି ମଣ୍ଡି ଦୁର୍ନୀତିର ତଦନ୍ତ ହେଉନଥିବା ଯୋଗୁଁ ଦଲାଲ୍‌ ମାନେ ମଣ୍ଡିରେ ନିଜର ଆଧିପତ୍ୟ ଜାହିର କରି ଚାଲିଛନ୍ତି। ଗୋଟିଏ ପଟେ ଜିଲ୍ଲାପାଳଙ୍କ ଆକ୍ସନ ମୋଡ୍‌ ଧର୍ମକୁ ଆଖିଠାର ସାଜିଥିବା ବେଳେ, ଅନ୍ୟପଟେ ଚାଷୀଙ୍କ ପାଇଁ କୁମ୍ଭୀର କାନ୍ଦଣା କାନ୍ଦୁଥିବା ରାଜନେତାଙ୍କ ଦେଖା ଦର୍ଶନ ମଧ୍ୟ ମିଳୁନାହିଁ। ମଣ୍ଡିରେ ପଡ଼ି ରହିଥିବା ଧାନ କେବେ ଉଠିବ ଓ ନୂଆ ଟାର୍ଗେଟ୍‌ କେବେ ଆସିବ ସେଥିନେଇ ରାଜ୍ୟ ସରକାର ତୁରନ୍ତ ହସ୍ତକ୍ଷେପ କରିବାକୁ ସାଧାରଣରେ ଦାବି ହୋଇଛି।