କଟକ: ଜବରଦଖଲରେ ୬୦ ଏକରରୁ ଅଧିକ ସରକାରୀ ଜମି

ହୋମିଓପାଥିକ୍‌ କଲେଜ ଜମି ବି ବାଦ୍‌ ପଡ଼ିନି
ସହରାଞ୍ଚଳ ସ୍ୱାସ୍ଥ୍ୟ ଆରୋଗ୍ୟ କେନ୍ଦ୍ର ପାଇଁ ଜମି ମିଳୁନି

କଟକ-ବିଦ୍ୟାଧରପୁର : କଟକ ମହାନଗର ନିଗମ ୫୫ ନମ୍ବର ୱାର୍ଡ ଅନ୍ତର୍ଗତ ବିଦ୍ୟାଧରପୁର, କହ୍ନେଇପୁର ମୌଜାରେ ୬୦ ଏକରରୁ ଅଧିକ ମୂଲ୍ୟବାନ ସରକାରୀ ଜମି ଏବେ ଜବରଦଖଲକାରୀଙ୍କ କବ୍‌ଜାରେ। ହୋମିଓପାଥିକ୍‌ କଲେଜ ବି ଜବରଦଖଲରୁ ବାଦ୍‌ପଡ଼ିନି। ଅନ୍ୟପକ୍ଷରେ, ସହରାଞ୍ଚଳ ସ୍ବାସ୍ଥ୍ୟ ଆରୋଗ୍ୟ କେନ୍ଦ୍ର ପାଇଁ ଜମି ମିଳୁନି। ଏଥିପାଇଁ ଭଡ଼ାଘର ଖୋଜା ଚାଲିଛି।

ବିଦ୍ୟାଧରପୁର, କହ୍ନେଇପୁର, କଣ୍ଟିଲୋ ରାଜସ୍ବ ଗ୍ରାମ ଅଞ୍ଚଳରେ ରହିଥିବା ଏହି ସରକାରୀ ଜମିର ବର୍ତ୍ତମାନ ବଜାର ଦର ୫୦୦ କୋଟି ଟଙ୍କାରୁ ଅଧିକ ହେବ ବୋଲି ଆକଳନ କରାଯାଉଛି। କିନ୍ତୁ, ଅନେକ ସରକାରୀ ବାବୁ ଓ ପ୍ରଭାବଶାଳୀ ବ୍ୟକ୍ତି ଏହାକୁ ଦଖଲରେ ରଖିଛନ୍ତି। ଘର ତିଆରି କରିବା ସହ ଲୋକଙ୍କୁ ଭଡ଼ାଦେଇ ଲକ୍ଷାଧିକ ଟଙ୍କା ରୋଜଗାର କରୁଛନ୍ତି। ଏହି ଅଞ୍ଚଳରେ ୪୦ ବର୍ଷର ପୁରୁଣା କଟକ ହୋମିଓପାଥି କଲେଜ ଓ ହସ୍ପିଟାଲ ରହିଛି। କଲେଜ ନାମରେ ତିନି ଏକର ଜମି ରହିଛି। କିନ୍ତୁ କେବଳ କଲେଜର କୋଠା ବ୍ୟତୀତ ବାକି ସବୁ ଜମି ଏବେ ଜବରଦଖଲକାରୀଙ୍କ କବ୍‌ଜାରେ। କଲେଜର ଭିତ୍ତିଭୂମି ଅଭାବରୁ କଲେଜକୁ ଆୟୁଷ ମନ୍ତ୍ରାଳୟ ସ୍ଵୀକୃତି ପ୍ରଦାନ କରୁନାହିଁ। ଅନ୍ୟପଟେ ଆୟୁଷ୍ମାନ ଭାରତ ସ୍ବାସ୍ଥ୍ୟ ଯୋଜନାରେ କଟକ ସହରାଞ୍ଚଳରେ ୧୨ଟି ସହରାଞ୍ଚଳ ସ୍ୱାସ୍ଥ୍ୟ ଆରୋଗ୍ୟ କେନ୍ଦ୍ର ନିର୍ମାଣ ଯୋଜନା ରହିଛି। ଏହି ଆରୋଗ୍ୟ କେନ୍ଦ୍ରରେ ଯୋଗ ସହିତ ୧୦ ଜଣ ବିଭିନ୍ନ ବିଭାଗର ବିଶେଷଜ୍ଞ ଡାକ୍ତର ନିଯୁକ୍ତ ହେବେ ବୋଲି ଜାତୀୟ ସ୍ବାସ୍ଥ୍ୟ ମିସନ୍‌ର ଆସିଷ୍ଟାଣ୍ଟ ପ୍ରୋଗ୍ରାମ ମ୍ୟାନେଜର ଗୈାତମ ସାମଲ କହିଛନ୍ତି। ଏହି ଯୋଜନାରେ କହ୍ନେଇପୁରରେ ଏକ ସ୍ବାସ୍ଥ୍ୟ କେନ୍ଦ୍ର ହେବ ବୋଲି ଯୋଜନା ରହିଛି। କିନ୍ତୁ, ଏପଟେ ୬୦ ଏକରରୁ ଅଧିକ ସରକାରୀ ଜମି ଜବରଦଖଲରେ ଥିଲେ ବି ସ୍ବାସ୍ଥ୍ୟକେନ୍ଦ୍ର ପାଇଁ କିନ୍ତୁ ଏଯାଏ ଜମି ଚିହ୍ନଟ ହୋଇପାରୁ ନାହିଁ। ଭଡ଼ାଘରେ ଏହି ସ୍ବାସ୍ଥ୍ୟ କେନ୍ଦ୍ର ଖୋଲିବା ଯୋଜନା ହୋଇଛି।

କହ୍ନେଇପୁର ସିଟ୍ ନ° ୨ର ୨୧୯ ପ୍ଲଟ୍‌ ହେଉଛି ସରକାରୀ ଜମି। ଏଠି ତିଆରି ହୋଇଥିବା ଘରେ ଘରଭଡ଼ା ଦେଇ ରହୁଥିବା ଗନ୍ଧର୍ବ ବେହେରା ଓ ତାଙ୍କ ସ୍ତ୍ରୀ ସୁଲୋଚନା କହିବା ଅନୁଯାୟୀ ସେମାନେ ଦୀର୍ଘ ବର୍ଷ ଧରି ଗୋଟିଏ ବଖରା ଘରକୁ ଦୁଇ ହଜାର ଟଙ୍କା ଭଡା ଦେଉଛନ୍ତି। ପୂର୍ବରୁ ବିଦ୍ୟାଧରପୁର ସ୍ବାସ୍ଥ୍ୟ କେନ୍ଦ୍ର ପାଇଁ ବି ଜାଗା ମିଳି ନଥିଲା। ବିଦ୍ୟାଧରପୁର ପୂଜା କମିଟି ଓ ଗ୍ରାମବାସୀ ମାନେ ଜାଗୁଳାଇ ମନ୍ଦିର ପରିସରରେ ସଭାକରି ଜବରଦଖଲକାରୀଙ୍କୁ ଉଚ୍ଛେଦ କରିବା ପାଇଁ ପ୍ରଶାସନ ନିକଟରେ ଦାବି ରଖିଥିଲେ। ସେତେବେଳେ କଟକ ସଦର ତହସିଲଦାର ସଂଜୀବିତା ରାୟ ଜବରଦଖଲକାରୀଙ୍କୁ ଉଚ୍ଛେଦ ପାଇଁ ପଦକ୍ଷେପ ନେଇଥିଲେ। ସେତେବେଳେ ୪୦ଜଣଙ୍କୁ ଉଚ୍ଛେଦ କରିବାକୁ ନୋଟିସ ଜାରି ହେଲା। କିନ୍ତୁ ତାହା ଆଜି ପର୍ଯ୍ୟନ୍ତ କାର୍ଯ୍ୟକାରୀ ହୋଇପାରୁନି। କହ୍ନେଇପୁର ଅଧିକାରୀ ବିକାଶ ପଣ୍ଡା, ମହନ୍ତ ଜ୍ଞାନ ରଞ୍ଜନ ପଣ୍ଡା, ସୂର୍ଯ୍ୟମଣି ପଣ୍ଡା, ଗିରିଜା ପ୍ରସାଦ ମିଶ୍ର, କଟକ ନଗର ମହିଳା ବିଜେଡି ସହ-ସ°ପାଦିକା ରଶ୍ମୀ ମିଶ୍ରଙ୍କ ଅଭିଯୋଗ ଅନୁଯାୟୀ ୧୯୮୪ ମସିହାରେ କହ୍ନେଇପୁର ଓ ଭଦିମୂଳ ଗ୍ରାମ ପୌର ପରିଷଦରେ ମିଶିବା ଦିନ ଠାରୁ ବିଶେଷ ଉନ୍ନତିମୂଳକ କାର୍ଯ୍ୟ ସମ୍ଭବ ହୋଇନାହିଁ। ଅଞ୍ଚଳରେ ଖେଳ ପଡିଆ ନାହିଁ। ୬୦ ଏକରରୁ ଅଧିକ ସରକାରୀ ଜମି ଜବରଦଖଲରେ ଥିବାବେଳେ ତାହାକୁ ମୁକ୍ତ କରି ଖେଳ ପଡ଼ିଆ, ହସ୍ପିଟାଲ, ମୁକ୍ତ ବ୍ୟାୟାମ ଶାଳା, ସ୍କୁଲର ପାଠାଗାର ନିର୍ମାଣ କରାଯାଉ ବୋଲି ସେମାନେ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର