ଦ୍ୱିତୀୟ ଡୋଜ୍ ଅପେକ୍ଷାରେ ରାଜ୍ୟର ସାଢ଼େ ୭ ଲକ୍ଷ ଲୋକ

କୋଭିସିଲ୍ଡ ଟିକା ନାହିଁ, କେନ୍ଦ୍ରକୁ ପୁଣି ଚିଠି

ତୁରନ୍ତ ଟିକା ନଆସିଲେ ଟିକାକରଣ ବାଧାପ୍ରାପ୍ତ ହେବ

ଭୁବନେଶ୍ବର : ରାଜ୍ୟରେ କୋଭିସିଲ୍ଡ ଟିକାର ସ୍ବଳ୍ପ ଓ ଅନିୟମିତ ଯୋଗାଣ ଏବେ ସମୁଦାୟ ଟିକାକରଣ ପ୍ରକ୍ରିୟାକୁ ଗଭୀର ଭାବେ ପ୍ରଭାବିତ କରିଛି। ରାଜ୍ୟ ସରକାର ଟିକା ପାଇଁ ଯେତେ ନିବେଦନ କଲେ ବି କେନ୍ଦ୍ର ସରକାର ଏ ଦିଗରେ ଯେଭଳି ତତ୍ପରତା ଦେଖାଇବା କଥା ତାହା ପରିଦୃଷ୍ଟ ହେଉନାହିଁ। ପରିଣାମ ହେଲା, କୋଭିଡ୍ ଉପରମୁହାଁ ଥିବାବେଳେ ଅଧିକରୁ ଅଧିକ ଲୋକଙ୍କୁ ଟିକା ଦେବା ଲାଗି ରାଜ୍ୟ ସରକାରଙ୍କ ଲକ୍ଷ୍ୟ ପରାହତ ହୋଇଛି। ଏ ନେଇ ରାଜ୍ୟ ସରକାର ସୁପ୍ରିମକୋର୍ଟରେ ଦାଖଲ କରିଥିବା ସତ୍ୟପାଠରେ ମଧ୍ୟ ଉଲ୍ଲେଖ କରିଛନ୍ତି। ଏପରିସ୍ଥଳେ ରାଜ୍ୟକୁ କୋଭିସିଲ୍ଡ ଟିକା ଅଧିକ ଯୋଗାଣ ପାଇଁ ଆଜି ସ୍ବାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ ପୁଣିଥରେ କେନ୍ଦ୍ର ସରକାରଙ୍କୁ ଚିଠି ଲେଖିଛନ୍ତି।

କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଡାକ୍ତର ହର୍ଷବର୍ଦ୍ଧନଙ୍କୁ ଲେଖାଯାଇଥିବା ଏହି ଚିଠିରେ କୁହାଯାଇଛି ଯେ ରାଜ୍ୟରେ ଟିକାର ସ୍ୱଳ୍ପ ଓ ଅନିୟମିତ ଯୋଗାଣ ଯୋଗୁଁ ଟିକାକରଣ କାର୍ଯ୍ୟରେ ଗୁରୁତର ସମସ୍ୟା ଦେଖାଗଲାଣି। ଆଜି ସୁଦ୍ଧା ରାଜ୍ୟ ୫୩ ଲକ୍ଷ ୩୨ ହଜାର ୮୭୦ କୋଭାସିଲ୍ଡ ଡୋଜ୍ ପାଇଥିବାବେଳେ ବାକି ୧.୬ ଲକ୍ଷ ଡୋଜ୍ ଟିକାର ବଣ୍ଟନ ପ୍ରକ୍ରିୟା ଜାରି ରହିଛି। ଗତ ୨୦ ତାରିଖରୁ ୨୯ ଏପ୍ରିଲ ମଧ୍ୟରେ ରାଜ୍ୟ ତିନିଟି ପର୍ଯ୍ୟାୟରେ ୨ ଲକ୍ଷ ୯ ହଜାର କୋଭାସିଲ୍ଡ ଟିକା ପାଇଛି।ଏହାର ପରିମାଣ ରାଜ୍ୟର ଆବଶ୍ୟକତା ଅନୁସାରେ କମ୍। ଏଣୁ ଟିକାକରଣ କାର୍ଯ୍ୟ ସୁରୁଖୁରୁରେ ଜାରି ରଖିବା କଷ୍ଟକର। ଟିକାର ଅନିୟମିତ ଯୋଗାଣ ଯୋଗୁଁ ରାଜ୍ୟରେ ଦୈନିକ ୧୧୦୦ ଟିକାକରଣ କେନ୍ଦ୍ରରେ ଟିକାଦାନ କାର୍ଯ୍ୟକ୍ରମ ସମ୍ଭବ ହୋଇପାରୁନାହିଁ ବୋଲି ରାଜ୍ୟ ସରକାର ଦର୍ଶାଇଛନ୍ତି।

Mid-Day

ରାଜ୍ୟ ସରକାର ଆହୁରି କହିଛନ୍ତି, ସ୍ଥିତି ଏତେ ଗମ୍ଭୀର ହେଲାଣି ଯେ ଏପ୍ରିଲ ୩ ତାରିଖରେ ୨ଲକ୍ଷ ୭୧ ହଜାର ଲୋକଙ୍କୁ ଟିକା ଦିଆଯାଇଥିଲା। ଏହା ଏବେ କମି ଆସି ଏପ୍ରିଲ ୨୯ ତାରିଖରେ ୨୭ ହଜାରରେ ପହଞ୍ଚିଛି। ବର୍ତମାନ ସୁଦ୍ଧା ରାଜ୍ୟରେ ୪୫ ବର୍ଷରୁ ଉର୍ଦ୍ଧ୍ୱ ୪୩ ଲକ୍ଷ ୨ ହଜାର ୯୪ ଜଣ ହିତାଧିକାରୀଙ୍କୁ ଟିକାର ପ୍ରଥମ ଡୋଜ୍‌ ଦିଆଯାଇ ସାରିଥିବାବେଳେ, ୨୯ ଏପ୍ରିଲ ସୁଦ୍ଧା ୫ ଲକ୍ଷ ୪ ହଜାର ୩୫୮ ଜଣଙ୍କୁ ଦ୍ବିତୀୟ ଡୋଜ୍ ଦିଆଯାଇଛି। ଏବେ ୭ଲକ୍ଷ ୫୨ ହଜାର ୫୯୦ ଜଣ ୪୫ ବର୍ଷରୁ ଉର୍ଦ୍ଧ୍ୱ ହିତାଧିକାରୀଙ୍କୁ କୋଭାସିଲ୍ଡ ଟିକାର ଦ୍ବିତୀୟ ଡୋଜ୍ ଦିଆଯିବାର ସମୟ ହୋଇଗଲାଣି। କେନ୍ଦ୍ର ସରକାର ଯଦି ତୁରନ୍ତ ଟିକା ନ ଦିଅନ୍ତି, ତେବେ ଏମାନଙ୍କୁ ଠିକ୍ ସମୟରେ ଏହି ଡୋଜ୍ ଦିଆଯାଇପାରିବ ନାହିଁ।

କେନ୍ଦ୍ର ସରକାର ଏଭଳି ସ୍ଥିତିର ଗମ୍ଭୀରତା ବୁଝି ତୁରନ୍ତ ଗୋଟିଏ ଥରରେ କୋଭାସିଲ୍ଡ ଟିକାର ୨୫ ଲକ୍ଷ ଡ଼ୋଜ୍ ଜରୁରୀ କାଳୀନ ଭିତିରେ ଯୋଗାଇ ଦେବା ଲାଗି ମନ୍ତ୍ରୀ ଚିଠିରେ ଉଲ୍ଲେଖ କରିଛନ୍ତି। ଅନ୍ୟଥା ଦ୍ବିତୀୟ ଡୋଜ୍ ସହିତ ରାଜ୍ୟରେ ଟିକାକରଣ ପ୍ରକ୍ରିୟା ଭୀଷଣ ଭାବେ ପ୍ରଭାବିତ ହେବ।

ସମ୍ବନ୍ଧିତ ଖବର