କରୋନା କଟକଣା: ଆଜି ଠାରୁ ସର୍ବସାଧାରଣ ସ୍ଥଳରେ ୭ ଜଣ ଏକାଠି ହୋଇପାରିବେ ନାହିଁ, ବଜାରରେ କେବଳ ବିକ୍ରି ହେବ ଖାଦ୍ୟ ସାମଗ୍ରୀ

ଭୁବନେଶ୍ୱର: କରୋନା ସଂକ୍ରମଣ ରୋକିବାକୁ ରାଜ୍ୟ ସରକାର ଆଜି କିଛି ନୂଆ ନିର୍ଦ୍ଦେଶନାମା ଜାରି କରିଛନ୍ତି | ରାଜ୍ୟ ସରକାରଙ୍କ ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗଚୀ ନୂଆ ନିର୍ଦ୍ଦେଶନାମା ମୁତାବକ ଘର ବ୍ୟତୀତ କୌଣସି ସ୍ଥାନରେ ୭ ଜଣରୁ ଅଧିକ ଏକାଠି ହେବେନାହିଁ । ସେହିପରି ଅଧିକ ଲୋକ ଏକାଠି ହେଉଥିବା କଫି ସପ, ରେଷ୍ଟୁରାଣ୍ଟ, ବାର ବନ୍ଦ ରହିବ | ଏହି ସବୁ ଖାଦ୍ୟସାମଗ୍ରୀ ବିକ୍ରୟସ୍ଥଳୀ ଅନ୍ୟାଦେଶ ପାଇଁ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି | କେବଳ ସେତିକି ନୁହେଁ, ସମସ୍ତ ବଜାର, ମାର୍କେଟ କମ୍ପ୍ଲେକ୍ସ ଓ ଗାଁ ହାଟରେ କେବଳ ଖାଦ୍ୟ ସାମଗ୍ରୀ ହିଁ ବିକ୍ରି ହେବ । ଖାଉଟି ସାମଗ୍ରୀ, ପନିପରିବା, ମାଂସ ଓ ଅନ୍ୟାନ୍ୟ ଅତ୍ୟାବଶ୍ୟକ ସାମଗ୍ରୀ ପାଇଁ ହିଁ କେବଳ ବଜାର ଖୋଲିବାକୁ ଅନୁମତି ମିଳିବ | ସବୁ ଜିଲ୍ଲାର ଜିଳାପାଳ, ପୁଲିସ ଏସପି, ମୁନିସପାଲ୍ କମିସନରଙ୍କୁ ଏହା କାର୍ଯ୍ୟକାରୀ କରିବାକୁ ରାଜ୍ୟସରକାରଙ୍କ ସାଧାରଣ ପ୍ରଶାସନ ପକ୍ଷରୁ ଚିଠି ଜରିଆରେ ନିର୍ଦ୍ଦେଶ ଦିଆଯାଇଛି।

ସେହିପରି କରୋନା ସମ୍ପର୍କିତ ବୈଠକ ବ୍ୟତୀତ ଜିଲ୍ଲା ପ୍ରଶାସନର ସବୁ ବୈଠକ ବାତିଲ ହେବ | ସଭା ସମିତି, ଯାନି ଯାତ୍ରା, ଜୟନ୍ତୀ ଆଦି ସବୁ ବନ୍ଦ ରହିବ | ଟ୍ୟାକ୍ସି ଓ ଅଟୋ ଦିନେ ଛାଡି ପରିବର୍ତ୍ତିତ ଭାବେ ଚାଲିବ ବୋଲି କୁହାଯାଇଛି |

ସେହିପରି ଆସନ୍ତା ୨୨ ତାରିଖରେ ହେବାକୁ ଥିବା ପ୍ରଧାନମନ୍ତ୍ରୀଙ୍କ ଜନତା କର୍ଫ୍ୟୁ ଆହ୍ୱାନକୁ ମୁଖ୍ୟମନ୍ତ୍ରୀ ସମର୍ଥନ କରିଛନ୍ତି | ରବିବାର ସମସ୍ତେ ଘରେ ରହିବାକୁ ମୁଖ୍ୟମନ୍ତ୍ରୀ ଅନୁରୋଧ କରିଛନ୍ତି ବୋଲି ବାଗଚୀ କହିଛନ୍ତି |

ସମ୍ବନ୍ଧିତ ଖବର