ରାଜ୍ୟକୁ ଆସିବ ୮୦ଲକ୍ଷରୁ ଅଧିକ ଡୋଜ୍

ଭୁବନେଶ୍ବର : ଚଳିତମାସରେ ରାଜ୍ୟକୁ ୮୦ଲକ୍ଷରୁ ଅଧିକ ଡୋଜ୍ ଟିକା ମିଳିବ। କେବଳ ସରକାରୀ ବ୍ୟବସ୍ଥାକୁ ଏତିକି ସଂଖ୍ୟକ ଟିକା କେନ୍ଦ୍ର ସରକାର ଆବଣ୍ଟିତ କରିଛନ୍ତି। ଏହାସହ ଘରୋଇ ହସ୍ପିଟାଲକୁ ମଧ୍ୟ ୬.୨ ଲକ୍ଷ ଡୋଜ୍ ଆବଣ୍ଟିତ କରାଯାଇଛି। ଉଭୟ ସରକାରୀ ଓ ଘରୋଇ କ୍ଷେତ୍ରକୁ ମିଶାଇ ରାଜ୍ୟରେ ଚଳିତମାସରେ ପ୍ରାୟ ୮୭ଲକ୍ଷରୁ ଅଧିକ ଡୋଜ୍ ଟିକା ମିଳିବ ବୋଲି ସ୍ବାସ୍ଥ୍ୟ ବିଭାଗ ସୂତ୍ରରୁ ଜଣାପଡ଼ିଛି।

ଜୁନ୍ ମାସ ପରେ କେନ୍ଦ୍ର ସରକାର ଲଗାତାର ଭାବେ ରାଜ୍ୟମାନଙ୍କୁ ଆବଣ୍ଟିତ ଟିକାଠାରୁ ଅଧିକ ଟିକା ପ୍ରଦାନ କରୁଛନ୍ତି। ଗତମାସ ପାଇଁ କେନ୍ଦ୍ର ସରକାର ସମୁଦାୟ ୬୯ଲକ୍ଷ ୧୩ହଜାର ୬୦ ଡୋଜ୍ ଆବଣ୍ଟିତ କରିଥିଲେ। ମାତ୍ର ଅତିରିକ୍ତ ୨୨ଲକ୍ଷ ୪୮ହଜାର ୭୮୦ ଡୋଜ୍‌କୁ ମିଶାଇ ସମୁଦାୟ ୯୧ଲକ୍ଷ ୬୧ହଜାର ୮୪୦ ଡୋଜ୍ ଟିକା ରାଜ୍ୟ ପାଇଛି। ଗତମାସରେ କେନ୍ଦ୍ର ସରକାର ରାଜ୍ୟରେ ଯୋଗ୍ୟ ହିତାଧିକାରୀଙ୍କ ସଂଖ୍ୟାକୁ ସଂଶୋଧିତ କରିଥିଲେ। ପୂର୍ବରୁ ରାଜ୍ୟରେ ୩.୦୯ କୋଟି ହିତାଧିକାରୀଙ୍କୁ ଟିକା ଦେବା ଲାଗି ନିଷ୍ପତ୍ତି ହୋଇଥିବା ବେଳେ ଅତିରିକ୍ତ ୧୬ଲକ୍ଷ ହିତାଧିକାରୀ ସାମିଲ ହେବା ପରେ ଏହି ସଂଖ୍ୟା ୩.୨୫ଲକ୍ଷକୁ ବୃଦ୍ଧି ପାଇଥିଲା।

ଚଳିତମାସରେ ରାଜ୍ୟରେ ୬୬,୦୬,୯୨୦ ଡୋଜ୍ କୋଭିସିଲ୍‌ଡ ଓ ୧୪,୭୬,୫୨୦ ଡୋଜ୍ କୋଭାକ୍ସିନ୍‌କୁ ମିଶାଇ ସମୁଦାୟ ୮୦,୮୩,୪୪୦ ଡୋଜ୍ ଆବଣ୍ଟିତ କରାଯାଇଛି। ମାତ୍ର ପ୍ରତିମାସରେ ଅତିରିକ୍ତ ଟିକା ଆସୁଥିବାରୁ ଚଳିତମାସ ମଧ୍ୟ ଆବଣ୍ଟିତ ଟିକାଠାରୁ ଅଧିକ ଡୋଜ୍ ମିଳିବ ବୋଲି ଆଶା କରାଯାଉଛି। ଅପରପକ୍ଷରେ ଘରୋଇ ହସ୍ପିଟାଲ ପାଇଁ ଚଳିତମାସରେ ୬.୨ଲକ୍ଷ ଆବଣ୍ଟିତ କରାଯାଇଥିବା ସୂଚନା ମିଳିଛି। ମାତ୍ର ଏଥିରେ କୋଭିସିଲ୍‌ଡ ଓ କୋଭାକ୍ସିନ୍ ଟିକାର ପରିମାଣ କେତେ ରହିଛି ତାହା ଜଣାପଡ଼ିନାହିଁ। ରାଜ୍ୟରେ ଘରୋଇ ହସ୍ପିଟାଲରେ ଟିକାକରଣ ସେତେଟା ଉତ୍ସାହଜନକ ହେଉନାହିଁ। ଲଗାତାର ଭାବେ ଆବଣ୍ଟିତ ପରିମାଣଠାରୁ ହସ୍ପିଟାଲମାନେ କମ୍ ଟିକା ଆଣୁଥିବା ନଜରକୁ ଆସୁଛି।

ରାଜ୍ୟରେ ବୁଧବାର ୨୩୧୮ ଟିକାକରଣ ଅଧିବେଶନ ଅନୁଷ୍ଠିତ ହୋଇଥିବା ବେଳେ ଏଥିରେ ୨,୪୫,୩୫୯ ହିତାଧିକାରୀଙ୍କୁ କରୋନା ଟିକା ଦିଆଯାଇଛି। ୧୮-୪୪ବର୍ଗରେ ୫୩,୭୨୩ ପ୍ରଥମ, ୧,୧୫,୬୦୮ ଦ୍ବିତୀୟ, ୪୫ବର୍ଷରୁ ଅଧିକ ୨୬,୧୩୨ ପ୍ରଥମ ଓ ୪୯,୨୭୭ ଦ୍ବିତୀୟ ଡୋଜ୍ ଟିକା ନେଇଛନ୍ତି। ଯୁବ ବର୍ଗରେ ରାଜ୍ୟରେ ବର୍ତମାନ ସୁଦ୍ଧା ୭୬ ପ୍ରତିଶତ ଓ ୪୫ବର୍ଷରୁ ଅଧିକ ୮୫ ପ୍ରତିଶତ ହିତାଧିକାରୀ ନିଜର ପ୍ରଥମ ଡୋଜ୍ ଟିକା ନେଇ ସାରିଲେଣି। ସାମଗ୍ରୀକ ଭାବେ ରାଜ୍ୟରେ ୮୧ ପ୍ରତିଶତ ହିତାଧିକାରୀ ନିଜର ପ୍ରଥମ ଡୋଜ୍ ଟିକା ନେଇଥିବା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି। ଆସନ୍ତା ଡିସେମ୍ବର ସୁଦ୍ଧା ରାଜ୍ୟର ସମସ୍ତ ଯୋଗ୍ୟ ହିତାଧିକାରୀଙ୍କୁ ଅତିକମ୍‌ରେ ପ୍ରଥମ ଡୋଜ୍ ଟିକା ଦେବା ଲାଗି ରାଜ୍ୟ ସରକାର ଲକ୍ଷ୍ୟ ରଖିଛନ୍ତି।

ସମ୍ବନ୍ଧିତ ଖବର