ଦ୍ବିତୀୟ ଲହରିରେ ରାଜ୍ୟରେ ଦ୍ରୁତ ସଂକ୍ରମଣ, ୯୦%ରୁ ଅଧିକ ଆକ୍ରାନ୍ତଙ୍କ ଲକ୍ଷଣ ନାହିଁ

ଭୁବନେଶ୍ବର : ରାଜ୍ୟରେ କରୋନା ସଂକ୍ରମଣର ଦ୍ବିତୀୟ ଲହରିରେ ଆକ୍ରାନ୍ତ ହେଉଥିବା ୯୦ ପ୍ରତିଶତରୁ ଅଧିକ ଲୋକଙ୍କଠାରେ କୌଣସି ଲକ୍ଷଣ ଦେଖିବାକୁ ମିଳୁ ନାହିଁ। କମ୍ ଲୋକଙ୍କଠାରେ ସ୍ବଳ୍ପ ‌ଲକ୍ଷଣ ଦେଖିବାକୁ ମିଳୁଛି। ତେଣୁ ହସ୍ପିଟାଲକୁ ଚିକିତ୍ସା ପାଇଁ ବହୁତ କମ୍ ସଂଖ୍ୟକ ଲୋକ ଯାଉଛନ୍ତି। ମାତ୍ର କେଉଁ ଷ୍ଟ୍ରେନ୍ ଯୋଗୁଁ ରାଜ୍ୟରେ ଏଭଳି ସଂକ୍ରମଣ ଦେଖିବାକୁ ମିଳୁଛି, ତାହା ସ୍ପଷ୍ଟ ହୋଇପାରିନାହିଁ।

ସ୍ବାସ୍ଥ୍ୟ ବିଭାଗର ଜଣେ ବରିଷ୍ଠ ଅଧିକାରୀଙ୍କ ସୂଚନା ମୁତାବକ, ଛତିଶଗଡ଼କୁ ଲାଗିଥିବା ଜିଲ୍ଲାଗୁଡ଼ିକରେ ଯେତେ ସଂଖ୍ୟକ ରୋଗୀ ଚିହ୍ନଟ ହେଉଥିବା ଜିଲ୍ଲାଗୁଡ଼ିକରେ ୧/୨ପ୍ରତିଶତ ଲୋକଙ୍କଠାରେ ଲକ୍ଷଣ ଦେଖିବାକୁ ମିଳୁଛି। କିଛି କ୍ଷେତ୍ରରେ ଲୋକଙ୍କ ଘରେ ପୃଥକବାସର ସୁବିଧା ନ ଥିବାରୁ ସେମାନଙ୍କୁ ହସ୍ପିଟାଲରେ ଭର୍ତି କରାଯାଉଛି। ରାଜ୍ୟର ଅନ୍ୟ ସ୍ଥାନରେ ମଧ୍ୟ ସମାନ ଅବସ୍ଥା ଦେଖିବାକୁ ମିଳୁଛି। ପୂର୍ବରୁ ରାଜ୍ୟରେ ୩ଟି ବ୍ରିଟେନ୍ ଷ୍ଟ୍ରେନ୍ ଚିହ୍ନଟ ହୋଇଥିଲେ ହେଁ ଏହାଦ୍ବାରା ଯେପରି ଅନ୍ୟମାନେ ସଂକ୍ରମିତ ନ ହେବେ, ତାହାର ବ୍ୟବସ୍ଥା କରାଯାଇନାହିଁ। ଏହାଛଡ଼ା ରାଜ୍ୟରେ କରୋନାର ଅନ୍ୟ କେଉଁ ଷ୍ଟ୍ରେନ୍ ରହିଛି, ସେ ନେଇ ଏନ୍‌ସିଡିସି ପକ୍ଷରୁ କୌଣସି ସୂଚନା ଦିଆଯାଇନାହିଁ। ଏଭଳି ପରିସ୍ଥିତିରେ କରୋନା ଭୂତାଣୁ ଷ୍ଟ୍ରେନ୍ ନେଇ ପୂର୍ବାନୁମାନ ଲଗାଇବା ଠିକ୍ ହେବ ନାହିଁ। ଯେହେତୁ ଅତି କମ୍ ସଂଖ୍ୟକ ଲୋକଙ୍କଠାରେ ଲକ୍ଷଣ ଦେଖିବାକୁ ମିଳୁଛି, ଏଥିଲାଗି କରୋନା ମୃତ୍ୟୁ କମ୍ ରହିବା ସ୍ବାଭାବିକ। ଯାହାକି ରାଜ୍ୟ ପାଇଁ ଶୁଭ ଖବର ବୋଲି ଅଧିକାରୀଜଣକ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର