ଭିନକ୍ଷମଙ୍କ ଦକ୍ଷତା ତାଲିମ ପାଇଁ ୯୭ଲକ୍ଷରୁ ଅଧିକ ବ୍ୟୟ ବରାଦ

ରାଜ୍ୟରେ ୧୨ଲକ୍ଷରୁ ଅଧିକ ଭିନ୍ନକ୍ଷମ ଅଛନ୍ତି

ଭୁବନେଶ୍ବର : ରାଜ୍ୟରେ ଭିନ୍ନକ୍ଷମମାନଙ୍କ ସଶକ୍ତୀକରଣ ପାଇଁ ୨୦୨୧/୨୨ ଆର୍ଥିକ ବର୍ଷରେ ୧୦୫.୧୮ଲକ୍ଷ ବ୍ୟୟ ବରାଦ କରାଯାଇଛି। ଏହାସହ ସେମାନଙ୍କୁ ଆତ୍ମନିର୍ଭରଶୀଳ କରିବା ଲାଗି ଦକ୍ଷତା ତାଲିମ ପାଇଁ ୯୭,୬୦,୪୩୯ ଟଙ୍କା ବ୍ୟୟବରାଦ କରାଯାଇଥିବା ସୂଚନା ଦେଇଛନ୍ତି ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା। ବିଧାୟକ ସୌମ୍ୟରଂଜନ ପଟ୍ଟନାୟକଙ୍କ ଏକ ପ୍ରଶ୍ନର ଉତ୍ତରେ ଶ୍ରୀ ପଣ୍ଡା କହିଛନ୍ତି ଯେ ଦକ୍ଷତା ତାଲିମ ପାଇଁ ଡିଆରଆଇ ଲୋନ ଓ ସିଏମ୍‌ଆରଏଫ୍‌ରୁ ମଧ୍ୟ ସହାୟତା ଦିଆଯାଉଛି। ତେବେ ୫ବର୍ଷରେ ରୋଜଗାରକ୍ଷମ ଭିନ୍ନକ୍ଷମଙ୍କ ତଥ୍ୟ ସଂଗ୍ରହ କରାଯାଉଥିବା ସେ କହିଛନ୍ତି।

ରାଜ୍ୟରେ ୧୨ଲକ୍ଷରୁ ଅଧିକ ଭିନ୍ନକ୍ଷମ ଅଛନ୍ତି

ଭୁବନେଶ୍ବର : ୨୦୧୧ ଜନଗଣନା ଅନୁସାରେ ରାଜ୍ୟରେ ୧୨,୪୪,୪୦୨ ଜଣ ଭିନ୍ନକ୍ଷମ ଅଛନ୍ତି। ଏଥିରେ ୬୭,୪୭,୭୫ ପୁରୁଷ ଓ ୫୬,୯୬,୨୭ ଜଣ ମହିଳା ରହିଛନ୍ତି। ସେମାନଙ୍କ ମଧ୍ୟରୁ ୪୦ ପ୍ରତିଶତ କିମ୍ବା ତା’ଠାରୁ ଅଧିକ ଭିନ୍ନକ୍ଷମ ପ୍ରମାଣପାତ୍ର ପାଇଥିବା ଭିନ୍ନକ୍ଷମ ବ୍ୟକ୍ତିମାନଙ୍କୁ ବିଭିନ୍ନ ଯୋଜନାରେ ସଶକ୍ତ କରିବା ପାଇଁ ରାଜ୍ୟ ସରକାରଙ୍କ ଯୋଜନା ଉଦ୍ଦିଷ୍ଟ ବୋଲି ସୂଚନା ଦେଇଛନ୍ତି ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗ ଅଶୋକ ଚନ୍ଦ୍ର ପଣ୍ଡା। ବିଧାୟକ ଭୂପିନ୍ଦର ସିଂଙ୍କ ଏକ ପ୍ରଶ୍ନର ଉତ୍ତରରେ ଶ୍ରୀ ପଣ୍ଡା କହିଛନ୍ତି ଯେ ୨୦୨୨/୨୩ ଆର୍ଥିକ ବର୍ଷରେ ଭିନ୍ନକ୍ଷମଙ୍କ ସଶକ୍ତୀକରଣ ପାଇଁ ୧୫୦ କୋଟି ୪୭ଲକ୍ଷ ବ୍ୟୟ ବରାଦ ହୋଇଛି। ରାଜ୍ୟର ଭିନ୍ନକ୍ଷମ ପରିବାରମାନଙ୍କୁ ସଶକ୍ତ କରିବା ପାଇଁ ସରକାର ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରିବାକୁ ବ୍ୟବସ୍ଥା କରାଯାଇଛି। ରାଜ୍ୟରେ ୧୬ଟି ଯୋଜନା ଚାଲୁଛି। ଏହାସହ ୨୦୧୬ ଭିନ୍ନକ୍ଷମ ଅଧିନିୟମ ଅନୁସାରେ ୨୧ବର୍ଷର ଭିନ୍ନକ୍ଷମ ତାଲିକାରେ ଥିବା କୌଣସି ଭିନ୍ନକ୍ଷମଙ୍କ ଯଦି ୟୁଡିଆଇଡି ପ୍ରମାଣପତ୍ର ଅନୁସାରେ ୪୦ ପ୍ରତିଶତ ଭିନ୍ନକ୍ଷମ ହୋଇଥାନ୍ତି ସେମାନଙ୍କୁ ମଧ୍ୟ ସମସ୍ତ ଯୋଜନାର ଲାଭ ମିଳିପାରିବ।

ସମ୍ବନ୍ଧିତ ଖବର