ରାଜ୍ୟର ଅର୍ଦ୍ଧାଧିକ ବ୍ଲକ୍ରେ କୋଷାଗାର ସୁବିଧା ନାହିଁ
ଖୋଦ୍ ଅର୍ଥ ବିଭାଗର ସର୍ତ୍ତ ବାଟ ଓଗାଳିଛି, ଯେତିକି ଅଛି, ସେଠି ମାଳ ମାଳ ପଦବି ଖାଲି
ଭୁବନେଶ୍ୱର : ରାଜ୍ୟର ଅଧାରୁ ଅଧିକ ବ୍ଲକ୍ରେ ଉପକୋଷାଗାର ନାହିଁ। ଏପରିକି ଆଂଶିକ କାଳୀନ ଉପକୋଷାଗାର ବି ନାହିଁ। ଏଥି ପାଇଁ ସାଧାରଣ ଲୋକ ଓ ଅବସରପ୍ରାପ୍ତ ସରକାରୀ କର୍ମଚାରୀ ବହୁ ଅସୁବିଧାରେ ସମ୍ମୁଖୀନ ହେଉଥିଲେ ଖୋଦ୍ ଅର୍ଥ ବିଭାଗ ହିଁ ଏ ଦିଗରେ ବାଟ ଓଗାଳିଛି। ୪୦ ବର୍ଷ ତଳର ନିର୍ଦ୍ଦେଶକୁ ବାହାନା କରି ବିଭାଗ ହାତ ଟେକି ଦେଇଛି। ଆହୁରି ସାଂଘାତିକ ବିଷୟ ହେଲା ଯେତିକି ବି କୋଷାଗାର ଅଛି, ସେଠାରେ ମାଳ ମାଳ ପଦବି ଖାଲି ପଡ଼ିଛି। ବର୍ଷ ବର୍ଷ ଧରି ଏହାକୁ ଗୁରୁତର ସହ ନେଉ ନାହିଁ ଅର୍ଥ ବିଭାଗ।
ବର୍ତ୍ତମାନ ୩୦ଟି ଜିଲ୍ଲାର ୩୧୪ଟି ବ୍ଲକ୍ ମଧ୍ୟରୁ ୧୬୯ଟି ବ୍ଲକ୍ରେ ଉପ କୋଷାଗାର/ ସ୍ବତନ୍ତ୍ର କୋଷାଗାର ନାହିଁ। ଗୋଟିଏ ଗୋଟିଏ ଜିଲ୍ଲାର ୮/୧୦ଟି ବ୍ଲକ୍ରେ ବି ଏହି ସୁବିଧା ନାହିଁ। ସରକାରୀ ବ୍ୟବସ୍ଥାରେ ବିଭିନ୍ନ କାର୍ଯ୍ୟ ପାଇଁ କୋଷାଗାରର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି। ସରକାରୀ ଅଧିକାରୀ, ଅବସରପ୍ରାପ୍ତ କର୍ମଚାରୀ ଏବଂ ସାଧାରଣ ଜନତାଙ୍କର ଅର୍ଥ ସଂକ୍ରାନ୍ତୀୟ ବହୁ କାମ ଏଠାରେ କରାଯାଏ। କିନ୍ତୁ ବହୁ ବ୍ଲକ୍ରେ ଏ ସୁବିଧା ନ ଥିବାରୁ ଲୋକଙ୍କୁ ଜିଲ୍ଲା ମୁଖ୍ୟାଳୟ ଦୌଡ଼ିବାକୁ ପଡ଼ୁଛି। କାମ ଚାପ ଅଧିକ ରହୁଥିବାରୁ ଜିଲ୍ଲା ମୁଖ୍ୟାଳୟରେ ଥିବା କୋଷାଗାରରେ ମଧ୍ୟ ଲୋକମାନେ ଠିକ୍ ସମୟରେ ନିଜ କାମ କରାଇ ପାରୁ ନାହାନ୍ତି।
ଅର୍ଥ ବିଭାଗ ୧୯୮୧ ଓ ୧୯୮୮ ମସିହାର ଦୁଇଟି ନିର୍ଦ୍ଦେଶକୁ ଧରି ବସି କୋଷାଗାର ଖୋଲିବାକୁ ପଦକ୍ଷେପ ନେଉ ନାହିଁ। ଅର୍ଥ ବିଭାଗର ପତ୍ର ସଂଖ୍ୟା ୨୦୬୫୫/ଏଫ୍ – ୨୩.୦୪.୧୯୮୧ ଅନୁଯାୟୀ କୌଣସି ତହସିଲ୍ ବା ବ୍ଲକ୍ରେ କୋଷାଗାର/ଉପକୋଷାଗାର/ସ୍ବତନ୍ତ୍ର କୋଷାଗାର ଖୋଲିବାକୁ ହେଲେ ସେଠାରେ ବିଲ୍ ଓ ଚାଲାଣ ସଂଖ୍ୟା ମିଣି ବାର୍ଷିକ ୧୫ ହଜାର ହେଉଥିଲେ ହିଁ ପୂର୍ଣ୍ଣକାଳୀନ ଉପକୋଷାଗାର ଖୋଲାଯାଇପାରିବ। ବିଲ୍ ଓ ଚାଲାଣି ମିଶି ବାର୍ଷିକ ୮ ହଜାର ହେଉଥିଷଲ ସେଠାରେ ଆଂଶିକ କାଳୀନ ଉପ କୋଷାଗାର ଖୋଲିପାରିବ। ସେହିପରି ଅର୍ଥ ବିଭାଗର ଆଉ ଏକ ପତ୍ର(୨୮୪୭୦/ଏଫ୍-୨୬.୦୭.୧୯୮୮) ଅନୁଯାୟୀ ଗୋଟିଏ ଉପ କୋଷାଗାରର ବାର୍ଷିକ ବିଲ୍ ଓ ଚାଲାଣ ମିଶି ୫୦ ହଜାର, ପେନ୍ସନ୍ ଉପଭୋକ୍ତାଙ୍କ ସଂଖ୍ୟା ୧୫୦୦ ଏବଂ ଉଠାଣ ଓ ବିତରଣ ଅଧିକାରୀ(ଡିଡିଓ) ସଂଖ୍ୟା ୫୦ ହେଉଥିଲେ ସେହି ଉପକୋଷାଗାରକୁ ସ୍ବତନ୍ତ୍ର କୋଷାଗାରରେ ପରିବର୍ତ୍ତନ କରାଯାଇପାରିବ।
ଏହି ନିୟମକୁ ଆଳ କରି ଏ ଦିଗରେ ଚିନ୍ତା କରୁନି ବିଭାଗ। ଖୋଦ୍ ଅର୍ଥ ମନ୍ତ୍ରୀ ମଧ୍ୟ ବିଧାନସଭାରେ ଏକ ପ୍ରଶ୍ନରେ ଏ ନେଇ ଅସହାୟତା ପ୍ରକାଶ କରିଛନ୍ତି। ୧୬୯ଟି ବ୍ଲକ୍ରେ ଏହି ମାନଦଣ୍ଡ ପୂରଣ ହେଉ ନ ଥିବାରୁ ଏଠାରେ ପୂର୍ଣ୍ଣକାଳୀନ ଉପକୋଷାଗାର କିମ୍ବା ଆଂଶିକ କାଳୀନ ଉପ କୋଷାଗାର ଖେଶଲିବା ସମ୍ଭବ ହେଉ ନାହିଁ ବୋଲି ଜଣାଇଛନ୍ତି।
ଏତିକିରେ ବିଭାଗର ବେପରୱା ଆଭିମୁଖ୍ୟ ସୀମିତ ରହିନି। ଯେତିକି ଜାଗାରେ କୋଷାଗାର/ଉପ କୋଷାଗାର ଅଛି, ସେଠାରେ ମଧ୍ୟ ମଞ୍ଜୁରୀପ୍ରାପ୍ତ ପଦବି ମଧ୍ୟରୁ ବହୁ ଖାଲି ପଡ଼ିଛି। ଫଳରେ ସେଠାରେ କାମ ଠିକ୍ ସମୟରେ ହୋଇପାରୁ ନ ଥିବା ବିଭିନ୍ନ ଜାଗାରୁ ଅଭିଯୋଗ ଆସୁଛି। କୋଷାଗାର/ଉପ କୋଷାଗାର/ ସ୍ବତନ୍ତ୍ର କୋଷାଗାରରେ ୩୭୦ କନିଷ୍ଠ କିରାଣୀ ପଦବି ମଧ୍ୟରୁ ୨୧୮ ଖାଲି ପଡ଼ିଥିଲା ବେଳେ ୩୯୭ ବରିଷ୍ଠ କିରାଣୀ ପଦବିରୁ ୭୭ ଏବଂ ୧୫୨ ହିସାବ ରକ୍ଷକ ପଦବିରୁ ୧୧ ପଦବି ଖାଲି ପଡ଼ିଛି। କିଛି ଜାଗାରେ କୋଷାଗାର ଅଧିକାରୀ/ଉପକୋଷାଗାର ଅଧିକାରୀ ପଦବି ମଧ୍ୟ ପୂରଣ ହେଉ ନାହିଁ। ଖାଲି ପଡ଼ିଥିବା ହିସାବ ରକ୍ଷକ ଓ ବରିଷ୍ଠ କିରାଣୀ ପଦବିଗୁଡ଼ିକ ପଦୋନ୍ନତି ଭିତ୍ତିକ ହୋଇଥିବାରୁ ବିଭାଗୀୟ ପଦୋନ୍ନତି କମିଟି ଜରିଆରେ ଏହାକୁ ପୂରଣ କରାଯାଇପାରିବ। ଏ ଦିଗରେ ବିଭାଗ ତତ୍ପରତା ପ୍ରକାଶ କରୁନି। କନିଷ୍ଠ କିରାଣୀ ପଦବି ପୂରଣ ପାଇଁ ଓଡ଼ିଶା ଅଧସ୍ତନ କର୍ମଚାରୀ ପ୍ରବରଣ ଆୟୋଗଙ୍କୁ ୨୦୧୮ ମସିହା ନଭେମ୍ବର ମାସରେ ଅର୍ଥ ବିଭାଗ ପକ୍ଷରୁ ପତ୍ର ଲେଖାଯାଇଥିଲା। ଏ କଥା ନିଜେ ମନ୍ତ୍ରୀ ବିଧାନସଭାରେ ଜଣାଇଥିଲେ। ଆଶ୍ଚର୍ଯ୍ୟର କଥା ଅର୍ଥ ବିଭାଗ ପକ୍ଷରୁ ୨ ବର୍ଷ ହେଲା ଚିଠି ଲେଖାଯାଇଥିଲେ ଏ ଦିଗରେ ପ୍ରକ୍ରିୟା ନ ଆଗେଇବା ସରକାରୀ ବ୍ୟବସ୍ଥାରେ ଥିବା ତ୍ରୁଟିକୁ ପଦାକୁ ଆଣୁଛି।