ଅନୁଗୁଳ: ମେଡିକାଲ କଲେଜ ଖଣ୍ଡେ ଅନୁଗୁଳ ଜିଲ୍ଲାରେ ହେବ ହେବ ବୋଲି ୨୦୦୦ ମସିହାରୁ ଚର୍ଚ୍ଚା ହେଉଛି। ୫ ବର୍ଷ ହେଲା ମେଡିକାଲ୍ କଲେଜ ନିର୍ମାଣ ସରିଥିଲେ ମଧ୍ୟ ଏହା କାର୍ଯ୍ୟକ୍ଷମ ହୋଇପାରୁନି। ଏପଟେ ଜିଲ୍ଲାରେ ଥିବା ସରକାରୀ ଡାକ୍ତରଖାନାଗୁଡ଼ିକରେ ଅଧାରୁ ଅଧିକ ଡାକ୍ତର ନାହାନ୍ତି। ସରକାରୀ ତଥ୍ୟ ଅନୁସାରେ, ଅନୁଗୁଳ ଜିଲ୍ଲାରେ ୫୭ ପ୍ରତିଶତ ଡାକ୍ତରୀ ପଦ ଖାଲି ପଡ଼ିଛି। ଫଳରେ ଜିଲ୍ଲାର ସ୍ବାସ୍ଥ୍ୟସେବା ଏକପ୍ରକାର ଭୁଶୁଡ଼ି ପଡ଼ିଛି। ମେଡିକାଲ୍ କଲେଜ ଖୋଲୁନଥିଲାବେଳେ ସରକାରୀ ଡାକ୍ତରଖାନାରେ ଡାକ୍ତର ମରୁଡ଼ି ପାଇଁ ଲୋକେ ବାଧ୍ୟ ହୋଇ କଟକ ଓ ଭୁବନେଶ୍ବରରେ ଥିବା ଡାକ୍ତରଖାନା ଉପରେ ନିର୍ଭର କରୁଛନ୍ତି।
ଅନୁଗୁଳ ଜିଲ୍ଲାର ବିଭିନ୍ନ ସରକାରୀ ଡାକ୍ତରଖାନା ପାଇଁ ମୋଟ ୩୩୭ଟି ମଂଜୁରିପ୍ରାପ୍ତ ଡାକ୍ତର ପଦବି ରହିଛି। କିନ୍ତୁ ଏଥିରୁ ମାତ୍ର ୧୩୮ ଜଣଙ୍କୁ ନିଯୁକ୍ତି ମିଳିଛି। ଆଡହକ୍ ଭାବେ ଜଣେ ଡାକ୍ତରଙ୍କୁ ରଖାଯାଇଥିଲା ବେଳେ ୬ ଜଣ ଚୁକ୍ତିଭିତ୍ତିକ ଡାକ୍ତରଙ୍କୁ ନିଯୁକ୍ତି ଦିଆଯାଇଛି। ଏମିତି ଜିଲ୍ଲାରେ ସମୁଦାୟ ୧୪୫ ଜଣ ଡାକ୍ତର ଅଛନ୍ତି। ୧୯୨ଟି ପଦବି ଖାଲି ପଡ଼ିଛି। ଏମିତି ଅନୁଗୁଳ ଜିଲ୍ଲାରେ ଥିବା ଡାକ୍ତର ପଦବି ଭିତରୁ ୪୩ ପ୍ରତିଶତ ଡାକ୍ତର ନିଯୁକ୍ତି ପାଇଛନ୍ତି। ଅର୍ଥାତ୍ ଜିଲ୍ଲାରେ ଅଧାରୁ ଅଧିକ ଡାକ୍ତର ପଦବି ଖାଲି ପଡ଼ିଛି। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସମେତ ସମସ୍ତ ଉପଖଣ୍ଡ ଓ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଡାକ୍ତର ସମସ୍ୟା ଏକ ପ୍ରମୁଖ ସମସ୍ୟା ଭାବେ ଛିଡ଼ା ହୋଇଛି। ଏପରିକି ବିନା ବିଶେଷଜ୍ଞ ଡାକ୍ତରରେ ଅଧିକାଂଶ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଚାଲିଛି। ସ୍ଥିତି ଏମିତି ଯେ, ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରଗୁଡ଼ିକରେ ଛୋଟିଆ ଅସ୍ତ୍ରୋପଚାରଟିଏ ମଧ୍ୟ ସମ୍ଭବ ହୋଇପାରୁନି। ଆଠମଲ୍ଲିକ ଉପଖଣ୍ଡର କୌଣସି ଗୋଟିଏ ହେଲେ ଡାକ୍ତରଖାନାରେ ପ୍ରସୂତିଙ୍କ ପାଇଁ ବ୍ୟବସ୍ଥା ନ ଥିବାରୁ ଲୋକମାନେ ପଡ଼ୋଶୀ ଜିଲ୍ଲା ଉପରେ ନିର୍ଭର କରୁଛନ୍ତି।
କେବଳ ଡାକ୍ତର ପଦବି ଖାଲି ପଡ଼ିଛି ତାହା ନୁହେଁ, ପାରା ମେଡିକାଲ୍ କର୍ମଚାରୀଙ୍କ ଅଭାବ ପାଇଁ ମଧ୍ୟ ଲୋକମାନେ ଉତ୍ତମ ସ୍ବାସ୍ଥ୍ୟସେବାରୁ ବଂଚିତ ହେଉଛନ୍ତି। ଅନୁଗୁଳ ଜିଲ୍ଲାରେ ୭୦୬ଟି ନର୍ସିଂ ଅଫିସର୍ ପଦବି ରହିଥିଲାବେଳେ ଏବେ ଅଛନ୍ତି ମାତ୍ର ୨୦୮ ଜଣ। ୪୯୮ଟି ପଦବି ଫାଙ୍କା ପଡ଼ିଛି। ସେହିପରି ୮୬ଟି ମଂଜୁରିପ୍ରାପ୍ତ ଡାକ୍ତର ପଦବି ଭିତରୁ ଏବେ ୫୧ ଜଣ ନିଯୁକ୍ତି ପାଇଛନ୍ତି। ଲାବ୍ ଟେକନିସିଆନ ପାଇଁ ୫୬ଟି ମଂଜୁରିପ୍ରାପ୍ତ ପଦବି ରହିଛି। ଏଥିରୁ ୪୩ଟି ପୂରଣ କରାଯାଇଥିଲାବେଳେ ୧୩ଟି ଖାଲି ପଡ଼ିଛି। ରେଡିଓଗ୍ରାଫରଙ୍କ ପାଇଁ ରହିଥିବା ୧୬ଟି ମଂଜୁରିପ୍ରାପ୍ତ ପଦବି ତୁଳନାରେ ୧୦ଜଣ ନିଯୁକ୍ତି ପାଇଛନ୍ତି।
ଖଣି ଓ ଶିଳ୍ପରେ ଭରା ଅନୁଗୁଳ ଜିଲ୍ଲାରେ ଲୋକମାନେ ନାନା ରୋଗରେ ପଡ଼ୁଥିଲାବେଳେ ଏଠାରେ ଥିବା ଡାକ୍ତରଖାନାରେ ଡାକ୍ତର ଅଭାବ ଲୋକଙ୍କ ଦୁଃଖକୁ ବଢ଼ାଇ ଦେଇଛି। ଡାକ୍ତରଖାନାଗୁଡ଼ିକ ରେଫରାଲ୍ କେନ୍ଦ୍ରରେ ପରିଣତ ହୋଇଥିଲାବେଳେ ଜିଲ୍ଲାରେ ହେବାକୁ ଥିବା ମେଡିକାଲ୍ କଲେଜ ଆଜି ପର୍ଯ୍ୟନ୍ତ କାର୍ଯ୍ୟକ୍ଷମ ହୋଇପାରିନି। ପୁଣି ଜିଲ୍ଲାରେ କୌଣସି ବଡ଼ ଘରୋଇ ଡାକ୍ତରଖାନା ନାହିଁ। ତେଣୁ ସାମାନ୍ୟ ଜଟିଳ ରୋଗ ପାଇଁ ଲୋକମାନେ ବାଧ୍ୟହୋଇ କଟକ ଓ ଭୁବନେଶ୍ବରର ବିଭିନ୍ନ ଡାକ୍ତରଖାନା ଉପରେ ନିର୍ଭର କରୁଛନ୍ତି। ଘରୋଇ ଡାକ୍ତରଖାନାକୁ ଯାଇ ଅଯଥାରେ ଖର୍ଚ୍ଚାନ୍ତ ହେଉଛନ୍ତି। ଦେଶ ଓ ରାଜ୍ୟ ରାଜକୋଷକୁ ସିଂହ ଭାଗ ରାଜସ୍ବ ଦେଉଥିବା ଏହି ଜିଲ୍ଲାର ଏମିତି ବିକଳ ସ୍ବାସ୍ଥ୍ୟସେବା ଲୋକଙ୍କ ମନରେ ଅସନ୍ତୋଷ ବଢ଼ାଇବାରେ ଲାଗିଛି।